ଦେଶରେ ସର୍ବୋଚ୍ଚ ସ୍ତରରେ ବେକାରୀ ହାର

ସିଏମ୍‌ଆଇଇ ରିପୋର୍ଟ: ହରିୟାଣାରେ ସର୍ବାଧିକ, ଓଡ଼ିଶାରେ ସର୍ବନିମ୍ନ

ଦେଶରେ ସର୍ବୋଚ୍ଚ ସ୍ତରରେ ବେକାରୀ ହାର

NewsClick

ନୂଆଦିଲ୍ଲୀ : ନୂଆବର୍ଷ ଅର୍ଥନୀତି ପାଇଁ ଖରାପ ଖବର ଆଣିଛି। ଦେଶରେ ବେକାରୀ ହାର ଗତ ଡିସେମ୍ବରରେ ୮.୩୦ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ୧୬ ମାସ ମଧ୍ୟରେ ସର୍ବୋଚ୍ଚ। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ରବିବାର ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି।
ସହରାଞ୍ଚଳରେ ବେକାରୀ ହାର ୧୦.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ନଭେମ୍ବର ମାସରେ ଏହା ୮.୯୬ ପ୍ରତିଶତ ରହିଥିଲା। ଅନ୍ୟପକ୍ଷରେ ଆଶ୍ବାସନାର ବିଷୟ ହେଲା ଗ୍ରାମାଞ୍ଚଳରେ ବେକାରୀ ହାର ହ୍ରାସ ପାଇଛି। ଗତ ନଭେମ୍ବରରେ ଗ୍ରାମାଞ୍ଚଳରେ ବେକାରୀ ହାର ୭.୫୫ ପ୍ରତିଶତ ଥିବାବେଳେ ଡିସେମ୍ବରରେ ଏହା ୭.୪୪ ପ୍ରତିଶତକୁ କମିଛି।

publive-image

ରାଜ୍ୟଭିତ୍ତିକ ବେକାରୀ ରିପୋର୍ଟ ମଧ୍ୟ ସିଏମଆଇଇ ତଥ୍ୟରେ ରହିଛି। ଏଥିରୁ ଜଣାଯାଇଛି ଯେ ହରିୟାଣାରେ ବେକାରୀ ହାର ଡିସେମ୍ବର ମାସରେ ୩୭.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପଛକୁ ରାଜସ୍ଥାନରେ ବେକାରୀ ହାର ୨୮.୫ ପ୍ରତିଶତ, ଦିଲ୍ଲୀରେ ୨୦.୮ ପ୍ରତିଶତ, ବିହାରରେ ୧୯.୧ ପ୍ରତିଶତ, ତ୍ରିପୁରାରେ ୧୪.୩ ପ୍ରତିଶତ, ସିକ୍କିମରେ ୧୩.୬ ପ୍ରତିଶତ ଭଳି ଉଚ୍ଚସ୍ତରରେ ରହିଛି। ଅନ୍ୟପକ୍ଷରେ ଓଡ଼ିଶାରେ ଡିସେମ୍ବର ମାସରେ ବେକାରୀ ହାର ସର୍ବନିମ୍ନ ୦.୯ ପ୍ରତିଶତ ଥିବାବେଳେ ଗୁଜରାଟରେ ୨.୩ ପ୍ରତିଶତ, ମେଘାଳୟରେ ୨.୭ ପ୍ରତିଶତ, ମହାରାଷ୍ଟ୍ରରେ ୩.୧ ପ୍ରତିଶତ, ଛତିଶଗଡ଼ରେ ୩.୪ ପ୍ରତିଶତ ରହିଛି।
କରୋନା ମହାମାରୀ ସମୟରେ ଭାରତରେ ବେକାରୀ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ତାହାପରଠାରୁ ଏହା ହ୍ରାସ ପାଉଥିଲା। କିନ୍ତୁ ଡିସେମ୍ବରରେ ପ୍ରଥମ ଥର ପାଇଁ ଏହା ବୃଦ୍ଧି ପାଇ ୧୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

publive-image The Economic Times

୨୦୨୪ ମସିହାର ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏଭଳି ସ୍ଥିତିରେ ବେକାରୀ ଏବଂ ଉଚ୍ଚ ଦରଦାମ ସମସ୍ୟାର ସମାଧାନ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି। ମୁଖ୍ୟ ବିରୋଧୀ କଂଗ୍ରେସ ଦଳର ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଦେଶରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କାଶ୍ମୀରରେ ପହଞ୍ଚିବ। କଂଗ୍ରେସର ନେତାମାନେ ଏହି ଅବସରରେ ମୋଦୀ ସରକାରଙ୍କ ବିଭାଜନମୂଳକ ରାଜନୀତି ସହିତ ଉଚ୍ଚ ଦରଦାମ ଏବଂ ବେକାରୀ ଆଦି ପ୍ରସଙ୍ଗ ଉଠାଉଛନ୍ତି। ସରକାର କେବଳ ଜିଡିପି ଅଭିବୃଦ୍ଧି ପରିବର୍ତ୍ତେ ନିଯୁକ୍ତି ସୃଷ୍ଟି ହେଉଥିବା ଜିଡିପି ଅଭିବୃଦ୍ଧି ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ରାହୁଲ ଶନିବାର ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe