‘କଂଗ୍ରେସ-ସିପିସି ଏମ୍‌ଓୟୁ’ ମାମଲା: ପ୍ରଧାନ ବିଚାରପତି କହିଲେ, ରାଜନୈତିକ ଦଳ କେମିତି ଚୀନ୍‌ ସହ ରାଜିନାମା କରି ପାରିବ? ଏ କଥା ଆଗରୁ ଶୁଣି ନ ଥିଲି

‘କଂଗ୍ରେସ-ସିପିସି ଏମ୍‌ଓୟୁ’ ମାମଲା: ପ୍ରଧାନ ବିଚାରପତି କହିଲେ, ରାଜନୈତିକ ଦଳ କେମିତି ଚୀନ୍‌ ସହ ରାଜିନାମା କରି ପାରିବ? ଏ କଥା ଆଗରୁ ଶୁଣି ନ ଥିଲି

Image Courtesy of OneIndia

ନୂଆଦିଲ୍ଲୀ: ୨୦୦୮ରେ କଂଗ୍ରେସ ଏବଂ ଚୀନ୍‌ର କମ୍ୟୁନିଷ୍ଟ୍‌ ପାର୍ଟି ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ବୁଝାମଣା ପତ୍ର ବା ‘ମେମୋରାଣ୍ଡମ୍ ଅଫ୍ ଅଣ୍ଡର୍‌ଷ୍ଟାଣ୍ଡିଙ୍ଗ୍‌’ ସମ୍ବନ୍ଧରେ ‘ଏନ୍‌ଆଇଏ’ କିଂବା ‘ସିବିଆଇ’ ତଦନ୍ତ ଦାବି କରିଥିବା ଏକ ପିଟିସନ୍ ଦେଖି ସୁପ୍ରିମ୍ କୋର୍ଟ ଆଚମ୍ବିତ ହୋଇଯାଇଛନ୍ତି।

ଏ ସଂକ୍ରାନ୍ତରେ ଆଦେଶ ଦେବାକୁ ଅଗ୍ରାହ୍ୟ କରି ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ ମନ୍ତବ୍ୟ ଦେଇଛନ୍ତି, ଗୋଟାଏ ରାଜନୈତିକ ଦଳ କେମିତି ଚୀନ୍‌ ସହ ରାଜିନାମା କରିବ? ଏ କଥା ପୂର୍ବରୁ ଆଇନ୍‌ରେ ଶୁଣାଯାଇ ନାହିଁ ବୋଲି ତାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମନ୍ତବ୍ୟ ଦେଇଛନ୍ତି। ଅବଶ୍ୟ, ସୁପ୍ରିମ୍‌ କୋର୍ଟକୁ ଆସିବା ପୂର୍ବରୁ ଏ ମାମଲାରେ ହାଇକୋର୍ଟରୁ ନିର୍ଦେଶନାମା ଆଣିବାକୁ ଖଣ୍ଡପୀଠ ଆବେଦନକାରୀଙ୍କୁ ଆଦେଶ ଦେଇଛନ୍ତି।

ଦିଲ୍ଲୀର ଆଡ୍‌ଭୋକେଟ୍‌ ଶଶାଙ୍କ ଶେଖର ଝା ଏବଂ ଗୋଆର ଅନ୍‌ଲାଇନ୍‌ ପୋର୍ଟାଲ୍ ‘ଗୋଆ କ୍ରୋନିକ୍ଲ୍‌’ର ସମ୍ପାଦକ ସାବିଓ ରୋଡ୍ରିଗୁଏସ୍‌ ଏହି ପିଟିସନ୍ ଦାୟର କରିଥିଲେ। ପିଟିସନ୍‌ରେ ସେମାନେ ଲେଖିଥିଲେ ଯେ, ଜାତୀୟ ନିରାପତ୍ତାକୁ ବିପଦଗ୍ରସ୍ତ କରୁଥିବାରୁ ଏହି ‘ବୁଝାମଣା ପତ୍ର’ ‘ଏନ୍‌ଆଇଏ’ର ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍ (ପ୍ରିଭେନ୍‌ସନ୍) ଆକ୍ଟ୍‌ରେ ତଦନ୍ତ ହେବା ଉଚିତ।

publive-image Image Courtesy of Live Law

ଆବେଦନକାରୀଙ୍କ ପକ୍ଷରୁ ହାଜର ‌ହୋଇ ବରିଷ୍ଠ ଆଡ୍‌ଭୋକେଟ୍‌ ମହେଶ ଜେଠମାଳିନୀ କହିଲେ ଯେ, ଏଥିରେ କିଛି ମନ୍ଦ ଉଦ୍ଦେଶ୍ୟ ନିହିତ ରହିଥିବାରୁ ତାହାକୁ ସର୍ବସାଧାରଣଙ୍କ ଦୃଷ୍ଟିକୁ ଅଣାଯିବା ଉଚିତ। ଆବେଦନକାରୀମାନେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରରେ ମିଳିତ ସରକାରର ନେତୃତ୍ବ ନେଉଥିବା ବେଳେ କଂଗ୍ରେସ ଏହି ବୁଝାମଣା ପତ୍ର ସ୍ବାକ୍ଷର କରିଥିଲା।

ପିଟିସନ୍‌ରେ ସେମାନେ ସୋନିଆ ଏବଂ ରାହୁଳ ଗାନ୍ଧୀଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଚୀନ୍‌ ସହ ବିଦ୍ବେଷାତ୍ମକ ସମ୍ପର୍କ ଥିବା ସତ୍ତ୍ବେ କଂଗ୍ରେସ ଏହି ରାଜିନାମା ସ୍ବାକ୍ଷର କରି ଦେଶବାସୀଙ୍କ ନିକଟରେ ଏହାର ତଥ୍ୟ ଓ ବିସ୍ତୃତ ସୂଚନା ଲୁଚାଇଛି। ଜାତୀୟ ନିରାପତ୍ତାରେ କେହି ସାଲିସ କରିପାରିବେ ନାହିଁ, କରିବା ଉଚିତ ନୁହେଁ ବୋଲି ଆବେଦନକାରୀମାନଙ୍କର ଦୃଢ଼ ବିଶ୍ବାସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe