Image Courtesy of India Today
ଜାତିସଂଘ: ଗାଜା ଷ୍ଟ୍ରିପ୍ ଯିବା ବାଟରେ ମଙ୍ଗଳବାର ଦିନ ‘ୟୁନିସେଫ୍’ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ କ୍ୟାଥେରାଇନ୍ ରସେଲ୍ ଇଜିପ୍ଟରେ କାର୍ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା କଥା ବୁଧବାର ଦିନ ‘ୟୁନିସେଫ୍’ର ଜଣେ ମୁଖପାତ୍ର କହିଛନ୍ତି।
‘ୟୁନିସେଫ୍’ର ଗଣମାଧ୍ୟମ ମୁଖ୍ୟ କର୍ଟିସ୍ କୁପର୍ କହିଛନ୍ତି, ଆମର ମନେ ହୁଏ ରାଫା ଯିବା ବାଟରେ କାର୍ଟି ରାସ୍ତାରେ ଥିବା ବଡ଼ ଗର୍ତ୍ତରେ ପଡ଼ିଛି। କିଂବା ସେ ଗର୍ତ୍ତକୁ ଏଡ଼ାଇବାକୁ ଉଦ୍ୟମ କରାଯାଉଥିବା ବେଳେ କାର୍ଟି ଗଭୀର ଖାଇକୁ ଖସି ପଡ଼ି କଡ଼େଇ ହୋଇ ଓଲଟି ପଡ଼ିଛି। ଫଳରେ ରସେଲ୍ କ୍ଷତବିକ୍ଷତ ହୋଇଯାଇଛନ୍ତି। ତାଙ୍କୁ ଖୁବ୍ ଅଶ୍ବସ୍ତି ଲାଗୁଥିଲେ ବି କ୍ଷତ ସେତେ ସାଙ୍ଘାତିକ ନୁହେଁ ବୋଲି ଜଣାପଡ଼ିଛି।
Image Courtesy of Mtvଆହତ ହେବା ସତ୍ତ୍ବେ ରସେଲ୍ ଗାଜା ଗସ୍ତରେ ବାହାରି ଥିଲେ, କିନ୍ତୁ ସେ ଆହୁରି ଅଧିକ ଚିକିତ୍ସା ଆବଶ୍ୟକ କରୁଛନ୍ତି ବୋଲି ଡାକ୍ତରମାନେ ସୁନିଶ୍ଚିତ କରି କହିବାରୁ ସେ ବାକି ସମସ୍ତ ଅଞ୍ଚଳ ପାଇଁ କରିଥିବା ଗସ୍ତ କାର୍ଯ୍ୟକ୍ରମ ବାତିଲ୍ କଲେ। ତାଙ୍କ କାର୍ଯ୍ୟକ୍ରମରେ ଇସ୍ରାଏଲ୍ ଗସ୍ତ ବି ଥିଲା। ଇସ୍ରାଏଲ୍ରେ ସେ ଅପହୃତ ପିଲାମାନଙ୍କର ପରିବାରବର୍ଗଙ୍କୁ ଭେଟି ଥାଆନ୍ତେ।
ସେ ଦିନ କାର୍ ଦୁର୍ଘଟଣା ଆଗରୁ ଗଣମାଧ୍ୟମ ‘ଅଲ୍ ଜଜୀରା’କୁ ରସେଲ୍ କହିଥିଲେ ଯେ, ସେ ଖାଁ ୟୁନିସ୍ରେ ଥିବା ଏକ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଇସ୍ରାଏଲ୍ ସେନା ଅଧିକୃତ ଅଞ୍ଚଳକୁ ଅଧିକ ଇନ୍ଧନ ପଠାଇବା ଲାଗି ଅନୁମତି ଦେବାକୁ ସେ ଇସ୍ରାଏଲ୍ ସରକାରଙ୍କୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ‘ୟୁନାଇଟେଡ୍ ନେସନ୍ସ୍ ରିଲିଫ୍ ଆଣ୍ଡ୍ ୱାର୍କସ୍ ଏଜେନ୍ସି ଫର୍ ପାଲେଷ୍ଟାଇନ୍ ରିଫ୍ୟୁଜିସ୍’ର (ୟୁଏନ୍ଆର୍ଡବ୍ଲୁଏ) ଟ୍ରକ୍ ଲାଗି କିଛି ଇନ୍ଧନ ପଠାଇବା ପାଇଁ ଅନୁମତି ଦେଇଥିଲା ବୋଲି ଏହା ପୂର୍ବରୁ ଇସ୍ରାଏଲ୍ କହିଥିଲା। କିନ୍ତୁ, ‘ୟୁଏନ୍ଆର୍ଡବ୍ଲୁଏ’ କର୍ତ୍ତୃପକ୍ଷ କହିଛନ୍ତି ଯେ, ତାହା ସମୁଦ୍ରକୁ ଶଙ୍ଖେ ଭଳି।
Follow Us