ନୂଆଦିଲ୍ଲୀ: ଆନ୍ଦୋଳନକାରୀ କୃଷକଙ୍କ ପ୍ରତିନିଧିମାନଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଲୋଚନା ଶେଷ ହୋଇଛି । ଆଲୋଚନା ପରେ ପ୍ରତିକ୍ରିୟା ଦେଇ କୃଷକ ନେତାମାନେ କହିଛନ୍ତି, ଆସନ୍ତାକାଲି କୃଷକଙ୍କୁ ପ୍ରସ୍ତାବ ଦେବେ କେନ୍ଦ୍ର ସରକାର । ରାତି ପ୍ରାୟ ୧୧ଟା ସମୟରେ ବୈଠକରୁ ବାହାରି ଅଖିଳ ଭାରତ କିସାନ୍ ସଭାର ସଂପାଦକ ହନାନ୍ ମୁଲ୍ଲା କହିଛନ୍ତି, ଆସନ୍ତାକାଲି କୃଷକ ଓ ସରକାରଙ୍କ ଭିତରେ ବୈଠକ ହେବ ନାହିଁ। କୃଷି ଆଇନରେ ସଂଶୋଧନ ନେଇ ଲିଖିତ ପ୍ରସ୍ତାବ ଦେବେ ସରକାର । ଏହି ପ୍ରସ୍ତାବ ଉପରେ ଆନ୍ଦୋଳନକୁ ଓହ୍ଲାଇଥିବା ବିଭିନ୍ନ କୃଷକ ସଂଗଠନ ମିଳିତ ଭାବେ ଆଲୋଚନା କରିବେ। ସରକାର କୃଷି ଆଇନ ରଦ୍ଦ କରିବା ସପକ୍ଷରେ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ଆଜି ସାରା ଦେଶରେ ଭାରତ ବନ୍ଦ ପାଳନ ହେବା ପରେ କୃଷକ ସଂଗଠନର ପ୍ରତିନିଧିଙ୍କ ସହିତ ଆଲୋଚନା କରିବାକୁ ଡାକିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହାପରେ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ- ଗେଷ୍ଟହାଉସରେ କୃଷକ ସଂଗଠନର ୧୩ ଜଣ ନେତାଙ୍କ ସହ ଆଲୋଚନା ହୋଇଥିଲା। ତେବେ ଚାଷୀ ନେତାଙ୍କ ସହ ବୈଠକ ପୂର୍ବରୁ ଦିଲ୍ଲୀ ପୁଲିସ କମିଶନରଙ୍କ ସହ ପ୍ରାୟ ଅଧଘଂଟା ଧରି ଆଲୋଚନା କରିଥିଲେ ଶାହ ।
Follow Us