Image Courtesy of India Today
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍ ବୁଧବାର ଦିନ ‘ଭାବି ଜୀ’ ପାମ୍ପଡ଼ର ଶୁଭାରମ୍ଭ କରି କହିଲେ ଯେ, ଏହା କରୋନାଭାଇରସ୍ ତଡ଼ିବାରେ ସହାୟକ ହେବ। ଶୁକ୍ରବାର ଦିନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ହୋଇଥିବା ଏହି ଉଦ୍ଘାଟନୀ ଉତ୍ସବର ଭିଡିଓ ସମ୍ପ୍ରତି ଭାଇରାଲ୍ ହେଉଛି।
ଅର୍ଜୁନରାମ ମେଘୱାଲ୍ ହେଉଛନ୍ତି ଜଳ ସମ୍ବଳ, ନଦୀ ବିକାଶ ଓ ଗଙ୍ଗା ପୁନଃନବୀକରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ।
ଭାଇରାଲ୍ ହେଉଥିବା ଭିଡିଓରେ ରାଜସ୍ଥାନର ବିକାନେର ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ମେଘୱାଲ୍ ଦୁଇ ପ୍ୟାକେଟ୍ ‘ଭାବି ଜୀ’ ପାମ୍ପଡ଼ ଧରିଥିବା ଦେଖାଯାଉଛି। ସେଥିରେ ସେ କହୁଛନ୍ତି, ଆତ୍ମନିର୍ଭର ଭାରତ ଅଭିଯାନରେ ଜଣେ ପାମ୍ପଡ଼ ନିର୍ମାତା ଏ ଭଳି ଜିନିଷଟିଏ ତିଆରି କରିଛନ୍ତି ଯାହା କରୋନାଭାଇରସ୍ ସହ ଲଢ଼ିବାକୁ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସହାୟକ ହେବ। ଆତ୍ମନିର୍ଭର ଭାରତ ଅଭିଯାନରେ ଏଭଳି ଉପକ୍ରମ ଆରମ୍ଭ କରିଥିବାରୁ ଆମେ ତାଙ୍କ କମ୍ପାନିକୁ ଅଭିନନ୍ଦନ ଜଣାଉଛୁ।
ଏହି ପାମ୍ପଡ଼ ତିଆରି କରିଥିବା ବିକାନେର୍ର କମ୍ପାନି ଦାବି କରୁଛି ଯେ, ଏଥିରେ ଗୁଡୁଚି ଏବଂ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିକାରୀ ଅନ୍ୟାନ୍ୟ ଜିନିଷ ମିଶ୍ରିତ ହୋଇଛି।
Follow Us