ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶଙ୍କ ପରଲୋକ, ରଘୁବଂଶଙ୍କ ମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା ମନରେଗା‌

Advertisment
ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶଙ୍କ ପରଲୋକ, ରଘୁବଂଶଙ୍କ ମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା ମନରେଗା‌

ପାଟନ‌ା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କର ଆଜି ପରଲୋକ ହୋଇଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ଗତ ଜୁନ୍‌ରେ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ରଘୁବଂଶଙ୍କର କୋଭିଡ୍‌ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା। ପ୍ରାୟ ସପ୍ତାହକ ତଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ରଘୁବଂଶଙ୍କ ସ୍ବାସ୍ଥ୍ୟାବସ୍ଥା ଗତକାଲି ହଠାତ୍‌ ଗୁରୁତର ହୋଇଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବାବେଳେ ଆଜି ସକାଳ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ରଘୁବଂଶ ଗତ ଗୁରୁବାର ଦିନ ଆର୍‌ଜେଡିରୁ ଇସ୍ତଫା ଦେଇଥି‌ଲେ। ୨ ମାସ ତଳେ ସେ ଆରଜେଡିର ଜାତୀୟ ଉପାଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଭାରତର ସବୁଠାରୁ ବଡ଼ କଲ୍ୟାଣକାରୀ କାର୍ଯ୍ୟକ୍ରମ ମନରେଗା (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା)ର ସେ ଜଣେ ବିନ୍ଧାଣୀ। ଲୋକସଭାରେ ବିହାରର ବୈଶାଳୀ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରିଥିଲେ ରଘୁବଂଶ। ସେ ମଧ୍ୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ଜଣେ ଘନିଷ୍ଠ ସହଯୋଗୀ ଏବଂ ବହୁ ଦିନର ବନ୍ଧୁ। ରଘୁବଂଶ ମେଡିକାଲ୍‌ରେ ଥାଇ ଲାଲୁଙ୍କ ପାଖକୁ ଇସ୍ତଫା ପତ୍ର ଲେଖିଥିଲେ। କିନ୍ତୁ ଲାଲୁ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନଥିଲେ। ସେ ସୁସ୍ଥ ହେବାପରେ ଉଭୟ ବସି କଥା ହେବେ ଏବଂ ରଘୁବଂଶ ଅନ୍ୟ କେଉଁଠାକୁ ଯାଉନାହାନ୍ତି ବୋଲି ଲାଲୁ କହିଥିଲେ।

ରଘୁବଂଶଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ଏଲ୍‌ଜେପି ମୁଖ୍ୟ ରାମ ବିଳାସ ପାଶ୍ବାନ, ଲାଲୁ ପ୍ରସାଦ ଯାଦବଙ୍କ ସମେତ ବହୁ ବରିଷ୍ଠ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ରଘୁବଂଶଙ୍କ ବିୟୋଗ ଗଭୀର କଷ୍ଟ ଦେଇଛି। ରଘୁବଂଶ ଜଣେ ପ୍ରତିଷ୍ଠିତ ନେତା ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଶୋକ ପ୍ରକାଶ କରି କହିଛନ୍ତି , ରଘୁବଂଶ ଆମ ସହ ନାହାନ୍ତି। ତାଙ୍କ ମୃତ୍ୟୁ ବିହାର ସହ ସମଗ୍ର ଦେଶର ରାଜନୈତିକ କ୍ଷେତ୍ର‌ରେ ଏକ ଶୂନ୍ୟସ୍ଥାନ ଛାଡ଼ିଯାଇଛି। ଲାଲୁ ପ୍ରସାଦ ଯାଦବ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ପ୍ରିୟ ରଘୁବଂଶ ବାବୁ ! ତୁମେ କ'ଣ କଲ। ମୁଁ ଗତ ୨ ଦିନ ତଳେ କହିଥିଲି, ତୁମେ କେଉଁଠାକୁ ଯାଉନାହଁ। କିନ୍ତୁ ତୁମେ ଏତେ ଦୂରକୁ ଚାଲିଗଲ। ଏହା ଖୁବ୍‌ ଦୁଃଖ ଦେଇଛି ବୋଲି ଲାଲୁ ଏକ ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe