କରୋନାରେ କେନ୍ଦ୍ରମନ୍ତ୍ରୀ ଅଙ୍ଗଡ଼ିଙ୍କ ପରଲୋକ

Advertisment
କରୋନାରେ କେନ୍ଦ୍ରମନ୍ତ୍ରୀ ଅଙ୍ଗଡ଼ିଙ୍କ ପରଲୋକ

DNA India

ନୂଆଦିଲ୍ଲୀ : କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କର ଆଜି କରୋନାରେ ପରଲୋକ ହୋଇଛି। ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। କୌଣସି କେନ୍ଦ୍ରମନ୍ତ୍ରୀଙ୍କର କରୋନାରେ ପରଲୋକ ହେବା ଏହା ପ୍ରଥମ ଘଟଣା। କେନ୍ଦ୍ରମନ୍ତ୍ରୀ ଅଙ୍ଗଡ଼ି ଗତ ସେପ୍‌ଟେମ୍ବର ୧୧ରେ କରୋନା ସଂକ୍ରମିତ ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ସଂକଟଜନକ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍‌ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ୪ ଜଣ ସାଂସଦଙ୍କର କରୋନାରେ ମୃତ୍ୟୁ ହୋଇଛି।

ଅଙ୍ଗଡ଼ି ୧୯୫୫ରେ କର୍ଣ୍ଣାଟକର ବେଲଗାଓଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ବିଜେପିର ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅବସ୍ଥାପିତ ଥିଲେ। ୧୯୯୬ରେ ସେ ବେଲ୍‌ଗାମ ଜିଲ୍ଲା ଉପ ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଚତୁର୍ଥ ଥର
ନିର୍ବାଚିତ ହେବା ପରେ ସେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ।

ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ୩୦ ଜଣ ସାଂସଦ କରୋନା ସଂକ୍ରମିତ ହୋଇଥିବାର ଜଣାପଡ଼ିଥିଲା। କେନ୍ଦ୍ରମନ୍ତ୍ରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଅଙ୍ଗଡ଼ି ଜଣେ ଉତ୍ସର୍ଗୀକୃତ କର୍ମୀ ଥିଲେ ଏବଂ ତାଙ୍କ ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରିଛନ୍ତି। ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା ଅଙ୍ଗାଡ଼ିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ସାନଭାଇ ଭଳି ଥିଲେ ବୋଲି ଦେବେଗୌଡ଼ା ଟ୍ବିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ତିନି ଜଣ ସାଂସଦ କରୋନାରେ ପ୍ରାଣ ହରାଇଥିଲେ। ସେମାନେ ‌ହେଲେ ବିଜେପିର ଅଶୋକ ଗସ୍ତି, କଂଗ୍ରେସର ଏଚ୍. ବସନ୍ତ କମୁାର ଏବଂ ୱାଇଏସଆର୍ କଂଗ୍ରେସର ବଲ୍ଲି ଦୁର୍ଗା ପ୍ରସାଦ ରାଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe