କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗ୍‌ଡ଼େଙ୍କ ଏସ୍‌କର୍ଟ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌; ଆକ୍ରମଣ ଆଶଙ୍କା

Advertisment
କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗ୍‌ଡ଼େଙ୍କ ଏସ୍‌କର୍ଟ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌; ଆକ୍ରମଣ ଆଶଙ୍କା

ବେଙ୍ଗାଲୁରୁ: ରାଷ୍ଟ୍ର ଦକ୍ଷତା ବିକାଶ ଓ ଉଦ୍ୟୋଗର କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗ୍‌ଡ଼େ ମଙ୍ଗଳବାର ଦିନ ଦାବି କରିଛନ୍ତି ଯେ ତାଙ୍କ ଜୀବନ ନେବା ପାଇଁ ଜାଣିଶୁଣି ଆକ୍ରମଣ ଉଦ୍ୟମ କରାଯାଇଛି।

ମନ୍ତ୍ରୀ କହିଲେ ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ହାେଓ୍ଵରି ଜିଲ୍ଲାର ରାନେବେନ୍ନୁର ତାଲୁକ୍‌ ଅନ୍ତର୍ଗତ ହଲଗେରି ନିକଟରେ ଯାଉଥିବା ସମୟରେ ଗୋଟାଏ ଟ୍ରକ ତାଙ୍କ କାର୍‌ ଆଡ଼କୁ ମାଡ଼ି ଆସିଥିଲା। କିନ୍ତୁ ତାହା ମନ୍ତ୍ରୀଙ୍କ କାର୍‌କୁ ଧକ୍କା ଦେବାରେ ଲକ୍ଷ୍ୟଚ୍ୟୁତ ହୋଇ ତାଙ୍କ ଏସ୍‌କର୍ଟ ଗାଡ଼ିକୁ ଧକ୍କା ଦେଇଥିଲା। ମନ୍ତ୍ରୀ କହିଛନ୍ତି: ଆମ ଗାଡ଼ି ଅତି ଦ୍ରୁତ ବେଗରେ ଚାଲୁଥିବାରୁ ଆମେ ଧକ୍କା ଏଡ଼ାଇ ପାରିଲୁ। ସେ ଦୁର୍ଘଟନା ପରର ଭିଡିଓ ଓ ନାସିର୍‌ ନାମକ ସେ ଗିରଫ ଟ୍ରକ୍‌ ଟ୍ରାଇଭର୍‌ଙ୍କର ଫଟୋ ଟୁଇଟ୍‌ କରିଛନ୍ତି।

publive-image

ଧକ୍କାର ପ୍ରକୋପ ଏମିତି ଥିଲା ଯେ ଏସ୍‌କର୍ଟ ଗାଡ଼ିରେ ଥିବା ମନ୍ତ୍ରୀଙ୍କ ସହାୟକ କର୍ମଚାରୀ କ୍ଷତବିକ୍ଷତ ହେବା ସହ ତାଙ୍କ କାନ୍ଧ ହାଡ଼ ଚଡ଼କି ଯାଇଛି।

ମନ୍ତ୍ରୀ କହିଛନ୍ତି: ଘଟନାଟି ଦୁର୍ଘଟଣା ନୁହେଁ ବୋଲି ମନେହେବାରୁ ମୁଁ ଭାବୁଛି ମୋ ଜୀବନ ନେବା ପାଇଁ ସାଙ୍ଘାତିକ ଉଦ୍ୟମ ହୋଇଛି। ଟ୍ରକ୍‌ ଡ୍ରାଇଭର୍‌ ଜାଣିଶୁଣି ଆମ ଗାଡ଼ିକୁ ଧକ୍କା ଦେବାକୁ ଉଦ୍ୟମ କରିବା ପରେ ଆମ ଏସ୍‌କର୍ଟ ଗାଡ଼ିକୁ ଧକ୍କା ଦେଇଥିଲା। ଆମ କାର୍‌ ଦ୍ରୁତ ବେଗରେ ଚାଲୁଥିବାରୁ ଟ୍ରକ୍‌ ଧକ୍କା ଦେବା ଆଗରୁ ଆମେ ଖସି ଯାଇଥିଲୁ।

ମନ୍ତ୍ରୀଙ୍କର ସନ୍ଦେହ ଯେ ଏହି ଘଟନା ପଛରେ ଅନେକ ବଡ଼ କାରଣ ରହିଛି। ତାଙ୍କର ଭରସା ପୁଲିସ ନିଶ୍ଚୟ ସେ ସବୁ ଖୋଜି ପାଇବ। ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ଧରା ହେବା ବେଳେ ଟ୍ରକ୍‌ ଡ୍ରାଇଭର୍‌ ସାଧାରଣ ଅବସ୍ଥାରେ ଥିଲା ଅର୍ଥାତ୍‌ ନିଶାପାଣି ସେବନ କରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe