ଏବେ ତାଲା ‌ଖୋଲିବ; ଜୁନ୍‌ ୮ରୁ ଖୋଲିବ ଧର୍ମାନୁଷ୍ଠାନ, ସପିଂ ମଲ୍‌, ହୋଟେଲ୍‌, ରେସ୍ତୋରାଁ

Advertisment
ମାସ ଶେଷ ଯାଏ ଧର୍ମାନୁଷ୍ଠାନ, ସପିଂ ମଲ, ସିନେମା ହଲ୍‌ ବନ୍ଦ ରହିବ

DNA India

ଅବରୋଧ ଅଞ୍ଚଳରେ ୩୦ ଯାଏ କଟକଣା
ଏବେ ରାତି ୯ରୁ ସକାଳ ୫ଯାଏ କର୍ଫ୍ୟୁ
ସ୍କୁଲ୍‌, କଲେଜ ସମ୍ପର୍କରେ ନିଷ୍ପତ୍ତି ଜୁଲାଇରେ

ନୂଆଦିଲ୍ଲୀ : କରୋନା ଲକ୍ ଡାଉନ୍ ଯୋଗୁଁ ବନ୍ଦ ପଡ଼ିଥିବା ଧାର୍ମିକ ଅନୁଷ୍ଠାନ, ପୂଜାସ୍ଥଳି, ହେ‌ାଟେଲ ଏବଂ ରେସ୍ତୋରାଁ ଆସନ୍ତା ଜୁନ ୮ ତାରିଖରୁ ପୁଣି ଖୋଲିବ। ଆଜି ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ କଣ୍ଟେନମେଣ୍ଟ ଜୋନ୍ ବା ଅବରୋଧ ଅଞ୍ଚଳରେ ଲକ୍ ଡାଉନ୍‌କୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ଅଞ୍ଚଳରେ ପୂର୍ବଭଳି ସମସ୍ତ କଟକଣା ଜାରି ରହିବ। ତେବେ ଆସନ୍ତା ୮ ତାରିଖରୁ ଅନ୍ୟସବୁ ଅଞ୍ଚଳକୁ କେତେକ ସର୍ତ ସହିତ ପର୍ଯ୍ୟାୟ କ୍ରମେ କଟକଣାମୁକ୍ତ କରାଯିବ। ଏହାକୁ ‘ଅନ୍‌ଲକ୍‌-୧’ ଭାବେ ବର୍ଣ୍ଣନା କରି ସରକାର କହିଛନ୍ତି ଯେ ଅର୍ଥନୈତିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଅନେକ କଟକଣା ହଟାଯାଇଛି। ଅନ୍ୟପକ୍ଷରେ ସ୍କୁଲ କଲେଜ, ସିନେମା ହଲ, ଜିମ୍, ଆନ୍ତର୍ଜାତୀୟ ବିମାନ ସେବା ଏବଂ ମେଟ୍ରୋ ରେଳ ସେବାକୁ ପୂର୍ବଭଳି କଟକଣା ଭିତରେ‌ ରଖାଯାଇଛି। ସ୍କୁଲ, କଲେଜ ସଂପର୍କରେ ଜୁଲାଇ ମାସରେ ନିଷ୍ପତ୍ତି ନିଆଯିବ।

ଲକ୍ ଡାଉନ୍-୫ରେ ରାଜ୍ୟମାନଙ୍କୁ ଅଧିକ କ୍ଷମତା ଦିଆଯାଇଛି। ରାଜ୍ୟମାନେ ପରିସ୍ଥିତିକୁ ଦେଖି କଟକଣା ଲାଗୁ କରିପାରିବେ କିମ୍ବା କୋହଳ କରିପାରିବେ। ଅବରୋଧ ଅଞ୍ଚଳ ନିର୍ଧାରଣ କ୍ଷମତା ମଧ୍ୟ ସ୍ଥାନୀୟ ପ୍ରଶାସନ ହାତରେ ରହିବ।

publive-image

ଏହାସହିତ ରାଜ୍ୟ ଭିତରେ ଏବଂ ଦୁଇ ରାଜ୍ୟ ଭିତରେ ଲୋକମାନଙ୍କ ଗମନାଗମନକୁ ମଧ୍ୟ କଟକଣାମୁକ୍ତ କରାଯାଇଛି। ଅନ୍ୟ ରାଜ୍ୟକୁ ଯିବାଲାଗି ଆଉ ଅନୁମତି ନେବାକୁ ପଡ଼ିବ ନାହିଁ। ରାତି କର୍ଫ୍ୟୁ ଜାରି ରହିବ, କିନ୍ତୁ ସମୟରେ ପରିବର୍ତନ କରାଯାଇଛି। ସନ୍ଧ୍ୟା ୭ ପରିବ‌ର୍ତେ ରାତି୯ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଜାରିହେବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କ ସହିତ ବିଚାର ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଥିବା ସରକାର କହିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ସହିତ ବିଚାରବିମର୍ଶ କରିବା ପରେ ସ୍ବରାଷ୍ଟ୍ର ବିଭାଗ ଖୁବଶୀଘ୍ର ଏସଓପି ଜାରି କରିବ। ସୂଚନାଯୋଗ୍ୟ ଯେ ଲକ୍ ଡାଉନ୍ ସଂପର୍କରେ ଦୁଇ ଦିନ ତଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥାବାର୍ତା ହୋଇଥିଲେ। ସେମାନେ ଦେଇଥିବା ମତାମତ ସଂପର୍କରେ ଗତକାଲି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିଥିଲେ। ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଆଜି କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀମାନଙ୍କ ମତାମତକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।

publive-image

ନିର୍ଦେଶାବଳିର ମୁଖ୍ୟାଂଶ
ସାର୍ବଜନୀନ ପୂଜାସ୍ଥଳ, ଧାର୍ମିକ ଅନୁଷ୍ଠାନ, ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟ ଆତିଥ୍ୟ ସେବା ସହ ସପିଂ ମଲ୍‌ ୮ ଜୁନ୍‌ରୁ ଖୋଲିବ। ସରକାର ଏ ବାବଦରେ ପୃଥକ୍‌ ନ‌ିର୍ଦ୍ଦେଶାନାମା ଜାରି କରିବେ। ଧାର୍ମିକ ଅନୁଷ୍ଠାନ ଖୋଲିବ, କିନ୍ତୁ ଯାତ୍ରା/ଉତ୍ସବକୁ ଅନୁମତି ମିଳିବ ନାହିଁ।

ସ୍କୁଲ, କଲେଜ, ପ୍ରଶିକ୍ଷଣ ସଂସ୍ଥାନ, କୋଚିଂ ସଂସ୍ଥା ଆଦି ଖୋଲିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକ ସହ ବିଚାର ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ବିଭିନ୍ନ ପକ୍ଷ ସହିତ ଆଲୋଚନା ପରେ ଏ ସଂକ୍ରାନ୍ତ ନିଷ୍ପତ୍ତି ଜୁଲାଇରେ ଘୋଷଣା କରାଯିବ।

ଅନ୍ତର୍ଜାତୀୟ ବିମାନ ସେବା, ମେଟ୍ରୋ ରେଳ ସେବା, ସିନେମା ହଲ୍‌, ଜିମ୍‌, ସ୍ବିମିଂ ପୁଲ, ମନୋରଂଜନ ପାର୍କ ଆଦି ଖୋଲିବା ପାଇଁ ସେଠାକାର ପରିସ୍ଥିତି ଆଧାରରେ ନିଷ୍ପତ୍ତି ନିଆଯିବ।

ଆଗାମୀ ୧ ମାସ ପର୍ଯ୍ୟନ୍ତ ଅବରୋଧ ଅଂଚଳ ବାହାରେ ସମସ୍ତ ଗତିବିଧିକୁ ପୁଣି ପର୍ଯ୍ୟାୟକ୍ରମେ ଖୋଲିବା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି ହେବ।

ଅବରୋଧ ଅଂଚଳ ବାହାରେ ଆର୍ଥିକ କାର୍ଯ୍ୟକଳାପ ଉପରେ କୌଣସି କଟକଣା ରହିବ ନାହିଁ।

ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଏବଂ ମାଲ୍‌ ପରିବହନ ପାଇଁ ପାସ୍‌ ଆବଶ୍ୟକ ପଡ଼ିବ ନାହିଁ।

ଜୁନ୍‌ ୧ରୁ କେବଳ ରାତ୍ରୀ ସମୟରେ କର୍ଫ୍ୟୁ ଜାରି ରହିବ। ସମଗ୍ର ଦେଶରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ରହିବ।

ସାର୍ବଜନୀନ ସ୍ଥାନ, ପରିବହନ ଏବଂ କାର୍ଯ୍ୟାଳୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ପ୍ରତ୍ୟେକ ବ୍ୟକ୍ତି ସାର୍ବଜନୀନ ସ୍ଥଳରେ ଦୁଇ ଗଜ ଦୂରତା ଅବଲମ୍ବନ କରିବେ।

ବଡ଼ ସମାବେଶ ଉପରେ କଟକଣା ଜାରି ରହିବ। ବିବାହ ସମାରୋହରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ।

ଦୋକାନରେ ସାମାଜିକ ଦୂରତା ପାଳନ କରିବାକୁ ହେବ। ଏକସଂଗରେ ୫ ଜଣ ଛିଡ଼ା ହୋଇପାରେ ବାହିଁ।
ସାର୍ବଜନୀନ ସ୍ଥାନରେ ଛେପ ପକାଇଲେ ଦଣ୍ଡନୀୟ ଅପରାଧ ହେବ।

ସାର୍ବଜନୀନ ସ୍ଥାନରେ ମଦ, ପାନ, ଗୁଟ୍‌ଖା, ତମ୍ବାଖୁ ସେବନ ଉପରେ କଟକଣା ଜାରି ରହିବ।
ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସର ଶିଶୁ, ବରିଷ୍ଠ ନାଗରିକମାନନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe