ଉନ୍ନାଓ ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ, ନ୍ୟାୟ ନ ମିଳିଲେ ଆତ୍ମଦାହ କରିବାକୁ ପୀଡ଼ିତା ଭଉଣୀଙ୍କ ଧମକ

Advertisment
ଉନ୍ନାଓ ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ, ନ୍ୟାୟ ନ ମିଳିଲେ ଆତ୍ମଦାହ କରିବାକୁ ପୀଡ଼ିତା ଭଉଣୀଙ୍କ ଧମକ

The Times of India

ଉନ୍ନାଓ: ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶେଷକୃତ୍ୟ ଆଜି ସମ୍ପନ୍ନ ହୋଇଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଶୁକ୍ରବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ପୀଡ଼ିତାଙ୍କ ମରଶରୀର ଗତକାଲି ତାଙ୍କ ଗାଁରେ ପହଞ୍ଚିଥିଲା। ଏହାପରେ ଆଜି ସେଠାରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କର ଶେଷକୃତ୍ୟ କରାଯାଇଛି। ତାଙ୍କ ପରିବାରର ଜମିରେ, ଜେଜେ‌ବାପାଙ୍କ ସମାଧି ନିକଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅତ୍ୟନ୍ତ ଶୋକାକୁଳ ପରିବେଶ ଭିତରେ ସ୍ଥାନୀୟ ଗ୍ରାମବାସୀ ଓ ଅଧିକାରୀମାନଙ୍କ ଉପସ୍ଥିତିରେ ‌ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି। ଏହି ଅବସରରେ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ କମଲ ରାଣୀ ବରୁଣ ଉପସ୍ଥିତ ଥିଲେ। ପୀଡ଼ିତାଙ୍କ ମରଶରୀରକୁ ସମାଧି ଦେବାକୁ ନେବା ପୂର୍ବରୁ ସବୁ ବର୍ଗର ଲୋକେ ସେମାନଙ୍କ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ପୀଡ଼ିତାଙ୍କ ଘରେ ସ୍ଥାନୀୟ କଂଗ୍ରେସ ନେତା ତଥା ଉନ୍ନାଓର ପୂର୍ବତନ ‌ସାଂସଦ ଅନୁ ଟଣ୍ଡନ ଉପସ୍ଥିତ ଥିଲେ। ସେ ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହିତ ପୀଡ଼ିତାଙ୍କ ମୃତ୍ୟୁ ବୃଥାରେ ଯିବାକୁ ଦିଆଯିବା ଉଚିତ ନୁହେଁ ବୋଲି ଟଣ୍ଡନ କହିଛନ୍ତି।

ସକାଳେ ପୀଡ଼ିତାଙ୍କ ପରିବାର ସଦସ୍ୟମାନେ ଲକ୍ଷ୍ନୌର ଡିଭିଜନାଲ କମିସନର ମୁକେଶ ମେସରାମ ଓ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ ବୋଲି ମେସରାମ୍ ସାମ୍ବାଦିକମାନଙ୍କୁ କହିଛନ୍ତି। ଏଥିସହିତ ପୀଡ଼ିତାଙ୍କ ଭଉଣୀକୁ ପୃଥକ ଭାବେ ସୁରକ୍ଷା ଯୋଗାଇ ଦିଆଯିବ। କାରଣ ସେ ଏହି ମାମଲାର ସାକ୍ଷୀ ହୋଇପାରନ୍ତି। ପରିବାରର ଜଣକୁ ଚାକିରି ମଧ୍ୟ ଦିଆଯିବ। ଏଥିସହିତ ପରିବାରର କେହି ସଦସ୍ୟ ଯଦି ସୁରକ୍ଷା ଦୃଷ୍ଟିରୁ ବନ୍ଧୁକ ଲାଇସେନ୍ସ ଆବଶ୍ୟକ କରନ୍ତି ତାହା ମଧ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗ୍ରାମକୁ ଆସି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ନଦେଲେ ଶେଷକୃତ୍ୟ କରାଯିବ ନାହିଁ ପୀଡ଼ିତାଙ୍କ ପରିବାର ସଦସ୍ୟମାନେ ପ୍ରଥମେ ଜିଦ୍ ଧରିଥିଲେ। ତେବେ ପରେ ସେମାନଙ୍କୁ ବୁଝାସୁଝା କରିବା ପରେ ପୀଡ଼ିତାଙ୍କ ସମାଧି ଦେବାକୁ ରାଜି ହୋଇଥିଲେ। ପୀଡ଼ିତାଙ୍କ ଭଉଣୀ ଆଜି କହିଛନ୍ତି ଯେ ଯଦି ତାଙ୍କ ପରିବାରକୁ ନ୍ୟାୟ ନ ମିଳେ ତା’ହେଲେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe