Representative Image Courtesy of India TV News
ଆଗ୍ରା: ବୁଧବାର ଦିନ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଟ୍ରକ୍ ଚାପାରେ ମୃତ୍ୟୁବରଣ କରିଥିବା ଜଣେ ୮ ମାସର ଅନ୍ତଃସତ୍ତ୍ବା ମହିଳାଙ୍କ ପେଟରୁ ଆଶ୍ଚର୍ଯ୍ୟଜନକ ଭାବେ ଜୀବନ୍ତ ଅବସ୍ଥାରେ ଶିଶୁ-କନ୍ୟାଟିଏ ବାହାରି ପଡ଼ିଥିବା କଥା ପୁଲିସ କହିଛି।
ଶିଶୁ-କନ୍ୟାଟିକୁ ଫିରୋଜାବାଦ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯିବା ପରେ ତା’ର ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ, ପିଲାର ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି। ତା’ର ଖାଲି ‘ନିଓନାଟାଲ୍’ (ଅପରିପକ୍ବ ଅବସ୍ଥାରେ ଜନ୍ମିତ ଶିଶୁ) ଚିକିତ୍ସା ଆବଶ୍ୟକ।
ଏସ୍.ଏଚ୍.ଓ. ଫତେ ବାହାଦୁର ସିଂହ ବଧୋରିୟା କହିଛନ୍ତି ଯେ, ନର୍ଖି ଥାନା ଅନ୍ତର୍ଗତ ବାର୍ତରା ଗାଁରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳାଜଣକ ହେଉଛନ୍ତି ଆଗ୍ରାବାସିନୀ ୨୬ ବର୍ଷୀୟ କାମିନୀ। ସ୍ବାମୀଙ୍କ ସହିତ ବାଇକ୍ ଯୋଗେ କୋଟ୍ଲା ଫରିହା ଅଞ୍ଚଳରେ ଥିବା ବାପଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।
Image Courtesy of By Newstrackସ୍ଥାନୀୟ ବାସିନ୍ଦାମାନଙ୍କ କହିବା ଅନୁସାରେ, ବିପରୀତ ପଟୁ ଆସୁଥିବା ଗୋଟାଏ କାର୍ ସହିତ ଧକ୍କା ଖାଇବାରୁ ବର୍ତ୍ତିବା ଲାଗି ଉଦ୍ୟମ କରୁଥିବା ବେଳେ କାମିନୀଙ୍କ ସ୍ବାମୀ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇବାରୁ କାମିନୀ ତଳେ ପଡ଼ିଯାଇଥିଲେ। ସେତିକି ବେଳେ ଦ୍ରୁତ ବେଗରେ ଆସୁଥିବା ଟ୍ରକ୍ଟି ତାଙ୍କ ଉପରେ ଚଢ଼ି ଯାଇଥିଲା।
ଏସ୍.ଏଚ୍.ଓ. ବଧୋରିୟା କହିଛନ୍ତି, ନିରାପଦ ଥିବା ନବଜାତକର ଆବଶ୍ୟକ ଚିକିତ୍ସା ଚାଲିଛି। ବାଇକ୍ ଚଳାଉଥିବା ତା’ର ବାପା ମଧ୍ୟ ସୁସ୍ଥ ଅଛି। କିନ୍ତୁ, ଟ୍ରକ୍ ଚଳାଉଥିବା ଡ୍ରାଇଭର୍ ଘଟଣାସ୍ଥଳରେ ଟ୍ରକ୍ ଛାଡ଼ି ପଳାଇଛି। ସି.ସି.ଟି.ଭି. କ୍ୟାମେରା ଯାଞ୍ଚ କରାଯାଇ ତାଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ମୃତା ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକୁ ଭିତ୍ତି କରି ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରାଯିବ।
Follow Us