ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସନ୍ତ କବୀର ନଗର ଅଞ୍ଚଳରୁ ଏକ ଭୟାବହ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଯେଉଁ ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳୁଛି ତାକୁ ଦେଖି ଲୋକେ ସ୍ତବ୍ଧ ହୋଇଯାଉଛନ୍ତି।
‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’ ବୋଲି କଥାରେ ରହିଛି। ନିକଟରେ ଉତ୍ତରପ୍ରଦେଶର ସନ୍ତ କବୀର ନଗର ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ବାଳକଙ୍କ ଜୀବନ ଅଳ୍ପକେ ବଞ୍ଚି ଯାଇଛି।
ଏହି ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ଉକ୍ତ ବାଳକ ଜଣକ ରାସ୍ତା ଅତିକ୍ରମ କରିବାକୁ ଛିଡା ହୋଇଥିଲେ। ଏହି ସମୟରେ ତାଙ୍କ ସାମ୍ନାରୁ ଗୋଟିଏ ଟ୍ରକ ପାର ହୋଇଥିଲା। ଟ୍ରକ ପାର ହେବା ଦେଖି ସେ ରାସ୍ତାକୁ ଦୌଡ଼ି ଯାଉଥିବା ବେଳେ ତାଙ୍କ ବାମପଟରୁ ଏକ ଡମ୍ଫର ମାଡ଼ି ଆସିଥିଲା। ଆଉ ଡମ୍ଫର ଧକ୍କାରେ ବାଳକ ଜଣକ ତଳେ ପଡ଼ି ଯାଇଥିଲେ। ଏ ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କିଛିସମୟ ପାଇଁ ବାଳକଙ୍କ ଅବସ୍ଥା କ’ଣ ହୋଇଥିବ ବୋଲି ଭାବି ଆଖିବୁଜି ହେ ଭଗବାନ … ହେ ଭଗବାନ… ବୋଲି ଡାକ ଛାଡ଼ିଥିଲେ।
କିଛି ସମୟ ପରେ ଦେଖିଲା ବେଳକୁ ବାଳକ ରାସ୍ତାରୁ ଉଠି ଆରପାର୍ଶ୍ବକୁ ଚାଲି ଯାଇଥିଲେ। ଏତେବଡ଼ ଦୁର୍ଘଟଣା ଘଟିଥିଲେ ହେଁ ବାଳକଙ୍କୁ ବିଶେଷ କିଛି ଆଘାତ ଲାଗି ନାହିଁ। ରାସ୍ତାରେ ପଡ଼ିଯାଇଥିବା ହେତୁ ତାଙ୍କର ଗୋଡ ଓ ହାତରେ ସାମାନ୍ୟ ଖଣ୍ଡିଆ ହୋଇଯାଇଥିଲା।
Follow Us