ୟୁପି ରାଜନୀତି : ମହାମେଣ୍ଟରେ କଂଗ୍ରେସ ନଥାଇ ବି ଫାଇଦା

Advertisment

ମୋଦୀ ଲହରକୁ ପ୍ରଭାବଶୂନ୍ୟ କରିବାକୁ ରଣନୀତି

ମୋଦୀ ଲହରକୁ ପ୍ରଭାବଶୂନ୍ୟ କରିବାକୁ ରଣନୀତି

ୟୁପି  ରାଜନୀତି : ମହାମେଣ୍ଟରେ କଂଗ୍ରେସ ନଥାଇ ବି ଫାଇଦା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଜେପିକୁ ଏବେ କଡ଼ା ଟକ୍କର ଦେଉଛି ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି-ରାଷ୍ଟ୍ରୀୟ ଲୋକଦଳକୁ ନେଇ ଗଠିତ ମହାମେଣ୍ଟ। ଏହି ମହାମେଣ୍ଟରେ କଂଗ୍ରେସକୁ ସାମିଲ କରାଯାଇ ନଥିଲେ ମଧ୍ୟ ଏହା ମେଣ୍ଟ ପାଇଁ ଅଧିକ ଫାଇଦାଜନକ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ପ୍ରଚାରକୁ ଆଞ୍ଚଳିକସ୍ତରରେ ସୀମିତ ରଖିବା ଏବଂ ମୋଦୀ ଲହରକୁ ରୋକିବାରେ ମହାମେଣ୍ଟ ନେତାମାନେ ସଫଳ ହୋଇଥିବା କୁହାଯାଉଛି। ବିଜେପିର ମୁଖ୍ୟ ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆକ୍ରମଣାତ୍ମକ ପ୍ରଚାରକୁ ରୋକିବା ପାଇଁ ମହାମେଣ୍ଟ ନେତାମାନେ କେତେକାଂଶରେ ସଫଳ ହୋଇଥିବା ରାଜନୈତିକ ତଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି ଏବଂ ଏହାର ସକରାତ୍ମକ ପରିଣାମ ମେଣ୍ଟକୁ ମିଳୁଛି। ମୋଦୀ ୟୁପି ମହାମେଣ୍ଟକୁ ‘ସରାବ୍‌’ ଏବଂ ‘ମହାମିଲାବଟ୍‌’ ଆଖ୍ୟା ଦେଇ ସମାଲୋଚନା କରୁଥିବା ବେଳେ ମହାମେଣ୍ଟ ନେତାମାନେ ମୋଦୀଙ୍କୁ ଜବାବ ଦେବାପାଇଁ ରାଜ୍ୟ ପ୍ରସଙ୍ଗଗୁଡ଼ିକୁ ଆଗକୁ ଆଣୁଛନ୍ତି। ମହାମେଣ୍ଟରେ କଂଗ୍ରେସ ନଥିବାରୁ ମୋଦୀ ଏଠାରେ କଂଗ୍ରେସକୁ ଟାର୍ଗେଟ୍‌ କରି ମେଣ୍ଟ ଉପରେ ବଡ଼ ପ୍ରହାର କରିବାକୁ ବାଟ ପାଉନାହାନ୍ତି ।
ବିଜେପି ଏଥର ରାଷ୍ଟ୍ରବାଦକୁ ମୁଖ୍ୟ ପ୍ରସଙ୍ଗ କରି ଏହାକୁ ଏକ ସର୍ବଭାରତୀୟ ପ୍ରଚାର ରଣନୀତି କରିଥିବାରୁ ଏଥିରୁ ବର୍ତ୍ତିବା ପାଇଁ ମହାମେଣ୍ଟ ନେତାମାନେ ଭିନ୍ନ ନୀତି ଧରିଛନ୍ତି ଏବଂ ରାଜ୍ୟର ଭୋଟର୍‌ଙ୍କୁ ରାଜ୍ୟ ସ୍ବାର୍ଥରେ ଧୃବୀକରଣ କରିବାକୁ ପ୍ରୟାସ କରୁଛନ୍ତି। ୨୦୧୪ରେ ମୋଦୀ ଲହର ୟୁପିରେ ସପା, ବସପା ଏବଂ କଂଗ୍ରେସକୁ ଧୁଳିସାତ କରିଦେଇଥିବାରୁ ଏଥର ମହାମେଣ୍ଟ ବେଶ୍‌ ସତକର୍ତାର ସହ ଗୋଟି ଚାଳନା କରୁଛି। ସପା-ବସପା ଏଥର ଓବିସି-ଯାଦବ-ଦଳିତ ଭୋଟର୍‌ଙ୍କ ସମର୍ଥନ ହାସଲ ପାଇଁ ଏକଜୁଟ୍‌ ହୋଇ କାର୍ଯ୍ୟ କରୁଛନ୍ତି ଏବଂ ସେମାନେ ଏହାକୁ ‘କର ବା ମର’ ନିର୍ବାଚନ ଭାବେ ଗ୍ରହଣ କରିଛନ୍ତି। ମୁସ୍‌ଲିମ୍‌ ଭୋଟ୍‌ ବିଭାଜନକୁ ରୋକିବା ପାଇଁ ମଧ୍ୟ ସପା-ବସପା ନେତାମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ମହାମେଣ୍ଟରେ ସାମିଲ ହେବାକୁ କଂଗ୍ରେସ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ସପ- ବସପା ନେତାମାନେ କଂଗ୍ରେସକୁ ସାମିଲ କରିବା ପାଇଁ ଆଗ୍ରହ ଦେଖାଇ ନଥିଲେ। ଏହି କାରଣରୁ କଂଗ୍ରେସ ଏବେ କେବଳ ହାତଗଣତି ଆସନରେ ନିଜ ପ୍ରଚାରକୁ ଫୋକସ୍‌ କରୁଛି ଏବଂ ପ୍ରିୟାଙ୍କ ଗାନ୍ଧୀଙ୍କୁ ପ୍ରଚାରରେ ନିୟୋଜିତ କରି ରାଜ୍ୟରେ ନିଜର ସମ୍ମାନ ରକ୍ଷା ପାଇଁ ଅହରହ ପ୍ରୟାସ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe