୧୦ ଦିନରେ ୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଫେରାଇବ ୟୁପି

୧୦ ଦିନରେ ୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଫେରାଇବ ୟୁପି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ଘୋଷଣା କରି କହିଥିଲେ ଯେ, ଅନ୍ୟ ରାଜ୍ୟରେ ଫସିଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଯିବ। ୧୦ ଦିନ ମଧ୍ୟରେ ୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇବାପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଏହି ନିଷ୍ପତ୍ତି ଆଜି କାର୍ଯ୍ୟକାରୀ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହରିୟାଣାରୁ ୨,୨୨୪ ଶ୍ରମିକ ଉତ୍ତରପ୍ରଦେଶ ଫେରିଛନ୍ତି। ୮୨ଟି ବସ୍‌ରେ ପ୍ରଥମ ପର୍ଯ୍ୟାୟରେ ୨,୨୨୪ ଶ୍ରମିକ ଆସିଛନ୍ତି। ରବିବାର ସୁଦ୍ଧା ହରିୟାଣାରୁ ୧୧,୦୦୦ ଶ୍ରମିକ ଫେରିବେ। ପଶ୍ଚିମ ଉତ୍ତରପ୍ରଦେଶର ପ୍ରାୟ ୧୬ଟି ଜିଲ୍ଲାର ଏହି ଶ୍ରମିକମାନଙ୍କ ପାଇଁ ଶିବିର କରାଯାଇଛି। ଏମାନେ ପ୍ରଥମେ ୧୫ ଦିନ କ୍ବାରାଣ୍ଟିନ୍‌ ଶିବିବରେ ରହି‌ବେ। ଏଠାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ସଚିବ (ଗୃହ ଏବଂ ସୂଚନା) ଅୱନିଶ ଅଗସ୍ଥି କହିଛନ୍ତି। ତେବେ ଉତ୍ତରପ୍ରଦେଶ ସରକାର ଆସନ୍ତା ୧୦ ଦିନ ମଧ୍ୟରେ ୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବାପାଇଁ ଯୋଜନା କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍‌ କରି କହିଛନ୍ତି, ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାପାଇଁ ପ୍ରଥମେ ଏକ ତାଲିକା ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରମିକମାନେ ଆସିଲେ ସେମାନଙ୍କୁ ପ୍ରଥମେ ୨ ସପ୍ତାହ କ୍ବାରାଣ୍ଟିନ୍‌ରେ ରଖାଯିବ। ଏହାପରେ ସେମାନଙ୍କୁ ପରବର୍ତ୍ତୀ ୨ ସପ୍ତାହ ପାଇଁ ହୋମ୍‌ ଆଇସୋଲେସନ୍‌କୁ ପଠାଯିବ। ତେବେ ହୋମ୍‌ ଆଇସୋଲେସନ୍‌ ସମୟରେ ସେମାନଙ୍କୁ ରାସନ୍‌ କିଟ୍‌ ଏବଂ ୧,୦୦୦ ଟଙ୍କା ଦିଆଯିବ। ଅନ୍ୟପକ୍ଷେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି, ମଧ୍ୟପ୍ରଦେଶରେ ଫସିଥିବା ପ୍ରବାସୀମାନଙ୍କୁ ବି ସେମାନଙ୍କ ନିଜ ନିଜ ଘରକୁ ପଠାଇବାପାଇଁ ବ୍ୟବସ୍ଥା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe