Image Source: India Today
ନୂଆଦିଲ୍ଲୀ: ‘ଉପହାର’ ସିନେମା ହଲ୍ର ମାଲିକ ଅନ୍ସଲ୍ ଭ୍ରାତା ସୁଶୀଳ ଏବଂ ଗୋପାଳଙ୍କ ବିରୋଧରେ ଦାଏର କରାଯାଇଥିବା କ୍ୟୁରେଟିଭ୍ ପିଟିସନ୍କୁ ସୁପ୍ରିମ୍ କୋର୍ଟ ଖାରଜ କରି ଦେଇଛନ୍ତି। ୨୩ ବର୍ଷ ତଳେ ‘ଉପହାର’ ସିନେମାରେ ଅଗ୍ନିକାଣ୍ଡ ଘଟି ୫୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ‘ବର୍ଡର୍’ ସିନେମା ଚାଲିଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
ପ୍ରଧାନ ବିଚାରପତି ଏସ୍ଏ ବୋବଡ଼େ, ବିଚାରପତି ଏନ୍ଭି ରମଣ ଏବଂ ବିଚାରପତି ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଦିନ ଏହି କ୍ୟୁରେଟିଭ୍ ପିଟିସନ୍କୁ ଖାରଜ କରିଛନ୍ତି। ଫଳରେ ଏହି ମାମଲାରେ ଅନ୍ସଲ୍ ଭ୍ରାତାଙ୍କୁ ଆଉ ଜେଲ୍ ଯିବାକୁ ପଡ଼ିବ ନାହିଁ।
Image Source: News Nationସୁପ୍ରିମ୍ କୋର୍ଟ ଦେଇଥିବା ରାୟକୁ ପୁନର୍ବିଚାର କରନ୍ତୁ ବୋଲି ଅନୁରୋଧ କରି ‘ଆସୋସିଏସନ୍ ଫର୍ ଭିକ୍ଟିମ୍ସ୍ ଅଫ୍ ଉପହାର ଟ୍ରାଜେଡି’ ଏହି କ୍ୟୁରେଟିଭ୍ ପିଟିସନ୍ ଦାଏର କରିଥିଲା।
ବୟସାଧିକ୍ୟଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରତି ଧ୍ୟାନ ଦେଇ ୨୦୧୭ ଫେବ୍ରୁଆରି ୯ ତାରିଖ ଦିନ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ୭୮ ବର୍ଷିୟ ସୁଶୀଳ ଅନ୍ସଲ୍ଙ୍କୁ ଜେଲ୍ଦଣ୍ଡରୁ ମୁକ୍ତି ଦେଇଥିଲେ। ଅବଶ୍ୟ ଏହି ରାୟ ପୂର୍ବରୁ ସେ ବିଚାରଧୀନ କଏଦୀ ଭାବେ ଦୀର୍ଘ ବର୍ଷ ଜେଲ୍ରେ ରହିସାରିଥିଲେ। କିନ୍ତୁ ତାଙ୍କ ଭାଇ ଗୋପାଳ ଅନ୍ସଲ୍ଙ୍କ ଜେଲ୍ଦଣ୍ଡାଦେଶ ସମୟ ଅବଧି ଆଉ ବର୍ଷେ ବାକିଥିଲା। ତେଣୁ ସେ ଆଉ ଗୋଟିଏ ବର୍ଷ ଜେଲ୍ ଦଣ୍ଡ ଭୋଗିବେ ବୋଲି ଖଣ୍ଡପୀଠ ଆଦେଶ ଦେଇଥିଲେ।
Follow Us