ନୂଆଦିଲ୍ଲୀ: କଂଗ୍ରେସ କ୍ଷମତାକୁ ଆସିଲେ, ସମସ୍ତ ଜାତୀୟ ସଂପତ୍ତି ମୁସଲମାନ ସଂପ୍ରଦାୟ ମଧ୍ୟରେ ବାଣ୍ଟିଦେବ। ମହିଳାମାନଙ୍କ ମଙ୍ଗଳସୂତ୍ର ଉପରେ ମଧ୍ୟ କଂଗ୍ରେସ ଆଖି ପକାଇଛି। ଗତକାଲି ରାଜସ୍ଥାନର ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ମନ୍ତବ୍ୟ ନେଇ ଏକ ବଡ଼ ଧରଣର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ମୋଦୀଙ୍କ ଏଭଳି ମନ୍ତବ୍ୟର ତୀବ୍ର ସମାଲୋଚନା କରିବା ସହିତ ନିର୍ବାଚନ କମିସନ ନିକଟରେ ଫେରାଦ ହୋଇଛନ୍ତି। ‘ବିଭାଜନକାରୀ’ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ଦାବି କରିଛି। ତେବେ ନିର୍ବାଚନ କମିସନ ଏସଂପର୍କରେ କୌଣସି ପ୍ରତିକ୍ର୍ରିୟା ଦେବାକୁ ମନା କରିଦେଇଛନ୍ତି।
କଂଗ୍ରେସ ପକ୍ଷରୁ ଆଜି ନିର୍ବାଚନ କମିସନଙ୍କୁ ଏକ ପତ୍ର ଲେଖାଯାଇଛି। ଏଥିରେ ଅଭିଯୋଗ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦେଶରେ ଦୁଇ ଗୋଷ୍ଠୀ ମଧ୍ୟରେ ବିଭାଜନ ଓ ଶତୃତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। ସ୍ବାଧୀନ ଭାରତ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ କେବେହେଲେ ଏଭଳି ମନ୍ତବ୍ୟ ଦେଇ ନାହାନ୍ତି। ତେଣୁ ଏଭଳି ମନ୍ତବ୍ୟ ଲାଗି କମିସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ନିର୍ବାଚନ କମିସନଙ୍କୁ ଭେଟି ଏହା ଜଣାଇଛି। ଏସଂପର୍କରେ ସୂଚନା ଦେଇ କଂଗ୍ରେସ ନେତା ଅଭିଶେକ ସିଂହଭୀ କହିଲେ ଯେ ଧାର୍ମିକ ଭାବନାକୁ ନେଇ ମୋଦୀ ଏବଂ ବିଜେପି ନେତାଙ୍କ ମନ୍ତବ୍ୟ ନିର୍ବାଚନ ଆଚରଣ ବିଧିର ଉଲ୍ଳଂଘନ କରୁଛି। କମିସନ ଏଥିପ୍ରତି ଆଖି ବୁଜି ଦେଇଥିବାରୁ ସେମାନେ ଏଭଳି ମନ୍ତବ୍ୟରୁ ବିରତ ହେଉ ନାହାନ୍ତି। ସେ କହିଲେ, ପ୍ରଧାନମନ୍ତ୍ରୀ ରାଜସ୍ଥାନ ସଭାରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଟାର୍ଗେଟ୍ କରିଛନ୍ତି। ପୁଣି ସେମାନଙ୍କୁ ଅନୁପ୍ରବେଶକାରୀଙ୍କ ସହିତ ଯୋଡ଼ିଛନ୍ତି। ପୁଣି ମଙ୍ଗଳସୂତ୍ର ସଂପର୍କରେ ମୋଦୀଙ୍କ ମନ୍ତବ୍ୟ ମଧ୍ୟ ଆଚରଣବିଧିର ଖୋଲା ଉଲ୍ଲଂଘନ କରୁଛି। ସେ କହିଲେ ଯେ ନିର୍ବାଚନ ଆଚରଣବିଧି ଏବଂ ଭାରତୀୟ ସମ୍ବିଧାନକୁ କ୍ଷୁଣ୍ଣ କଲାଭଳି ୧୭ଟି ପ୍ରସଙ୍ଗ ପ୍ରତି କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ମୋଦୀଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, କପିଲ ଶିବଲ, ଅସଦୁଦ୍ଦିନ ଅୱେସୀ ଏବଂ ତେଜସ୍ବୀ ଯାଦବଙ୍କ ଭଳି ନେତା କଠୋର ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ରାଜସ୍ଥାନ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ କହିଛି ଯେ ଦଳ କ୍ଷମତାକୁ ଆସିଲେ ସମସ୍ତଙ୍କ ସଂପତ୍ତିର ସର୍ଭେ କରାଯିବ। ମା ଓ ଉଭଣୀମାନଙ୍କ ସୁନା ଗହଣାର ହିସାବ ମଧ୍ୟ କରିବ। ଏପରିକି କଂଗ୍ରେସ ଆପଣଙ୍କ ମଙ୍ଗଳସୂତ୍ରକୁ ବି ଛାଡ଼ିବ ନାହିଁ। ଏହିସବୁ ସଂପତ୍ତିକୁ ଛଡ଼ାଇ ନେଇ ଏହାକୁ ସେମାନଙ୍କ ମଧ୍ୟରେ ବଣ୍ଟନ କରିବ, ଯେଉଁମାନଙ୍କର ଅଧିକ ପିଲା ଅଛନ୍ତି। ଯେଉଁମାନେ ଅନୁପ୍ରବେଶକାରୀ ସେମାନଙ୍କ ମଧ୍ୟରେ ଆପଣମାନଙ୍କର ସଂପତ୍ତିକୁ ବାଣ୍ଟି ଦିଆଯିବ। ଆପଣମାନେ କଠିନ ପରିଶ୍ରମ କରି ଯେଉଁ ଅର୍ଥ ଉପାର୍ଜନ କରିଛନ୍ତି, ତାହାକୁ ଅନୁପ୍ରବେଶକାରୀମାନଙ୍କ ମଧ୍ୟରେ ବଣ୍ଟନ କଲେ ଆପଣମାନେ ଏହାକୁ ଗ୍ରହଣ କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ। ବିରୋଧୀ ଦଳଙ୍କ ସମାଲୋଚନା ସତ୍ତ୍ବେ ପ୍ରଧାନମନ୍ତ୍ରୀ ଆଜି ଉତ୍ତର ପ୍ରଦେଶ ସଭାରେ ମଧ୍ୟ ପୁଣି ଥରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ବିଭାଜନ ସୃଷ୍ଟି ପାଇଁ ଉଦ୍ୟମ: ରାହୁଲ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ମିଛ କହୁଛନ୍ତି ଏବଂ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ସେମାନଙ୍କ ଇସ୍ତାହାରରେ ଏଭଳି କୌଣସି ପ୍ରତିଶ୍ରୁତି ନାହିଁ ବୋଲି କହିଛି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନରେ ନିରାଶ ହେବା ପରେ ନରେନ୍ଦ୍ର ମୋଦୀଙ୍କ ମିଛର ସ୍ତର ଏତେ ତଳକୁ ଖସିଯାଇଛି ଯେ ଭୟରେ ସେ ଏବେ ଏହି ପ୍ରସଙ୍ଗରୁ ଜନସାଧାରଣଙ୍କ ଧ୍ୟାନ ହଟାଇବାକୁ ଚାହୁଛନ୍ତି। କଂଗ୍ରେସର ‘ବୈପ୍ଳବିକ ଇସ୍ତାହାର’କୁ ମିଳୁଥିବା ପ୍ରବଳ ସମର୍ଥନକୁ ନେଇ ଟ୍ରେଣ୍ଡ ଆସିବା ଆରମ୍ଭ ହୋଇଛି। ଦେଶ ଏବେ ତା’ର ସମସ୍ୟା ସମାଧାନ, ରୋଜଗାର, ପରିବାର ଓ ଭବିଷ୍ୟତ ପାଇଁ ଭୋଟ୍ ଦେବ ବୋଲି ରାହୁଲ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମୋଦୀ ବିଷାକ୍ତ ଭାଷା ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।
ଶିବଲଙ୍କ ପ୍ରଶ୍ନ: କମିସନ ଚୁପ୍ କାହିଁକି?
ପୂର୍ବତନ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ କପିଲ ଶିବଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ସେ ଭଲ କିଛି ଆଶା କରନ୍ତି ନାହିଁ। ମୋଦୀଙ୍କ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାଙ୍କ ସପକ୍ଷରେ ଯାଉ ନ ଥିବା ସ୍ପଷ୍ଟ ହେଉଛି। ଏଥିପାଇଁ ସେ ସଂଖ୍ୟାଲଘୁଙ୍କୁ ବାହାର ଲୋକ ବୋଲି ଦର୍ଶାଉଛନ୍ତି। ଏହା କେଉଁ ପ୍ରକାର ରାଜନୀତି? ଗୋଟିଏ ପଟେ ରାମ ମନ୍ଦିର ଓ ରାମଙ୍କ ଆଚରଣ କଥା କହୁଥିବା ବେଳେ ଅନ୍ୟପଟେ ଘୃଣା ପ୍ରସାର କରୁଛନ୍ତି। କେଉଁଠି ରହିଛି ‘ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ’? ଆପଣ ଭାରତକୁ ଏଭଳି ଭାବେ ଅକ୍ଷୁଣ୍ଣ ରଖିପାରିବେ ନାହିଁ ବୋଲି ଶିବଲ କହିଚନ୍ତି।
Follow Us