ନୂଆଦିଲ୍ଲୀ: ୨୦୨୧ ସାଧାରଣତନ୍ତ୍ର ଦିବସ ପରେଡ୍ ଅବସରରେ ରାଜପଥରେ ପ୍ରଦର୍ଶୀତ ପବିତ୍ର ନଗରୀ ଅଯୋଧ୍ୟାର ପ୍ରାଚୀନ ସାଂସ୍କୃତିକ ଐହିତ୍ୟ ଏବଂ ରାମ ମନ୍ଦିରର ପ୍ରତିକୃତି ଥିବା ଉତ୍ତର ପ୍ରଦେଶ ସରକାରଙ୍କର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଛି।
ସାଧାରଣତନ୍ତ୍ର ଦିବସ ପରେଡ୍ରେ ରାମ ମନ୍ଦିର ଥିବା ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ବେଳେ ଶହ ଶହ ଦର୍ଶକ ଯୋଡ଼ହସ୍ତରେ ତାହାକୁ ସ୍ୱାଗତ କରିଥିଲେ। ଅନେକେ କରତାଳି ଦେବା ସହ କେତେକ ‘ଜୟ ଶ୍ରୀରାମ’ ଧ୍ୱନି ଦେଇଥିଲେ।
Image Courtesy of Twiterଉତ୍ତର ପ୍ରଦେଶର ଏହି ସୁସଜ୍ଜିତ ପ୍ରଜ୍ଞାପନ ମେଢ଼ର ପଶ୍ଚାତ୍ ଭାଗରେ ଥିବା ପ୍ରସ୍ତାବିତ ରାମ ମନ୍ଦିର ପ୍ରତିକୃତି ସମ୍ମୁଖରେ ମହର୍ଷି ବାଲ୍ମୀକ ବସି ରାମାୟଣ ରଚନା କରୁଥିବାର ଦୃଶ୍ୟଟି ପରେଡ୍ ସମୟରେ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା।
Image Courtesy of Zee Newsଏହି ପ୍ରଜ୍ଞାପନ ମେଢ଼ ଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କରିବେ। ଏହି ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ବୋଲି ଉତ୍ତର ପ୍ରଦେଶର ସୂଚନା ନିର୍ଦେଶକ ଶିଶିର (ଆଇଏଏସ୍) ଟୁଇଟ୍ କରିବା ସହ ଏହାର ପରିକଳ୍ପନାକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିସହ ସେ ଗୀତିକାର ବିରେନ୍ଦ୍ର ଓ୍ଵାତ୍ସ୍ଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି।
ମଙ୍ଗଳବାର ଦିନ ରାଜପଥରେ ପ୍ରଦର୍ଶୀତ ଏହି ପ୍ରଜ୍ଞାପନ ମେଢ଼ରେ ପ୍ରଥମ କରି ‘ଦୀପୋତ୍ସବ’ ଏବଂ ରାମାୟଣ କାବ୍ୟର କେତେକ ଆଖ୍ୟାୟିକା ବର୍ଣ୍ଣନା କରାଯାଇଥିଲା। ପ୍ରଭୁ ରାମଚନ୍ଦ୍ର ନିଷାଦରାଜଙ୍କୁ ଆଲିଙ୍ଗନ କରିବା, ଶବରୀଙ୍କ ଠାରୁ କୋଳି ଖାଇବା, ଅହଲ୍ୟାଙ୍କୁ ଶାପମୁକ୍ତ କରିବା, ହନୁମାନ ସଞ୍ଜୀବନୀ ଆଣିବା, ଜଟାୟୁ-ରାମ ସମ୍ବାଦ, ଅଶୋକ ବାଟିକା ଓ ଅନ୍ୟାନ୍ୟ ଦୃଶ୍ୟରାଜି ଏହି ପ୍ରଜ୍ଞାପନ ମେଢ଼ରେ ଚିତ୍ରଦ୍ୱାରା ପ୍ରଦର୍ଶୀତ ହୋଇଥିଲା।
ସୂଚନାଯୋଗ୍ୟ, କୋଭିଡ୍-୧୯ ସଂକ୍ରମଣ ଯୋଗୁଁ କାଣ୍ଟଛାଣ୍ଟ କରାଯାଇଥିବା ଏଥରର ସାଧାରଣତନ୍ତ୍ର ଦିବସ ପରେଡ୍ରେ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶୀତ ହୋଇଥିଲା।
Follow Us