ୟୁପିଏସ୍‌ସିର ‘ପାର୍ଶ୍ବିକ ନିଯୁକ୍ତି’ ବିଜ୍ଞାପନ ପ୍ରତ୍ୟାହାର ହେବ

Advertisment

ୟୁପିଏସ୍‌ସିକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ, ୨୦୦୫ରୁ ଚାଲିଥିଲା ପାର୍ଶ୍ବିକ ନିଯୁକ୍ତି

ୟୁପିଏସ୍‌ସିକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ, ୨୦୦୫ରୁ ଚାଲିଥିଲା ପାର୍ଶ୍ବିକ ନିଯୁକ୍ତି

ୟୁପିଏସ୍‌ସିର ‘ପାର୍ଶ୍ବିକ ନିଯୁକ୍ତି’ ବିଜ୍ଞାପନ ପ୍ରତ୍ୟାହାର ହେବ

ନୂଆଦିଲ୍ଲୀ: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ୪୬ ଜଣ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ଲେଟରଲ ଏଣ୍ଟ୍ରି (ସିଧାସଳଖ ତଥା ପାର୍ଶ୍ବିକ ନିଯୁକ୍ତି) ମାଧ୍ୟମରେ ନିଯୁକ୍ତି ଦେବା ପାଇଁ ବିଜ୍ଞାପନ ଜାରି କରିଥିବା ବେଳେ ଏହି ବିଜ୍ଞାପନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ୟୁପିଏସ୍‌ସିକୁ ଚିଠି ଲେଖିଥିବା ଜଣାପଡ଼ିଛି। ଏହି ବିଜ୍ଞାପନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିରୋଧ କରିଥିବା ବେଳେ ଏନ୍‌ଡିଏର ସହଯୋଗୀ ଏଲ୍‌ଜେପି (ରାମ ବିଳାସ) ମୁଖ୍ୟ ଚିରାଗ ପାଶ୍ବାନ ମଧ୍ୟ ଏହାକୁ ବିରୋଧ କରିବା ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଚିଠି ଲେଖିଛନ୍ତି।

ୟୁପିଏସ୍‌ସି ଅଧ୍ୟକ୍ଷ ପ୍ରୀତି ସୂଦନଙ୍କୁ କେନ୍ଦ୍ରମନ୍ତ୍ରୀ ସିଂହ ଲେଖିଥିବା ଚିଠିରେ ଜଣାଇଛନ୍ତି ଯେ, ପାର୍ଶ୍ବିକ ନିଯୁକ୍ତି ମଧ୍ୟ ଆମ ସମ୍ବିଧାନରେ ପ୍ରଦତ୍ତ ସମାନତା ଓ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରୁଥିବା ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହାନ୍ତି। ସୂଚନାଯୋଗ୍ୟ, ପାର୍ଶ୍ବିକ ନିଯୁକ୍ତିକୁ ବିରୋଧ କରି ନିକଟରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ତମ୍ବିତୋଫାନ ଆରମ୍ଭ ହୋଇଥିଲା। ସିଂହ କହିଛନ୍ତି ଯେ, ୨୦୦୫ ମସିହାରେ ବୀରାପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ପ୍ରଶାସନିକ ସଂସ୍କାର ଆୟୋଗ ଦ୍ବାରା ପାର୍ଶ୍ବିକ ନିଯୁକ୍ତିକୁ ଏକ ନୀତି ଭାବରେ ଗ୍ରହଣ କରାଯାଇଥିଲା। ୨୦୧୩ ମସିହାରେ ଷଷ୍ଠ ବେତନ ଆୟୋଗ ମଧ୍ୟ ସମାନ ସୁପାରିସ କରିଥିଲେ।

ତେବେ ତା’ ପୂର୍ବରୁ ଓ ପରେ ମଧ୍ୟ ପୂର୍ବ ସରକାର ଅମଳରେ ଅନେକ ହାଇପ୍ରୋଫାଇଲ ଲେଟରଲ ନିଯୁକ୍ତି ହୋଇଥିଲା, ଯେଉଁଥିରେ ସଂରକ୍ଷଣକୁ ବିଚାରକୁ ନିଆଯାଇ ନ ଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଏ ସବୁ ନିଯୁକ୍ତିରେ ମଧ୍ୟ ସଂରକ୍ଷଣ ନିୟମ ଲାଗୁ ହେବା ଦରକାର ବୋଲି ଚାହୁଥିବା ଜିତେନ୍ଦ୍ର ସିଂହ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ୪୫ଟି ଉପ ନିର୍ଦ୍ଦେଶକ ଓ ଡେପୁଟି ସଚିବ ପଦବି ପୂରଣ କରାଯିବାକୁ ନେଇ କେନ୍ଦ୍ର ଲୋକସେବା ଆୟୋଗର ବିଜ୍ଞାପନ ବାତିଲ ହେବା ପ୍ରସଙ୍ଗରେ ଉଭୟ ଶାସକ ଓ ବିରୋଧୀ ଦଳମାନେ ଏଥିପାଇଁ ଶ୍ରେୟ ନେବାକୁ ବୟାନବାଜି ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe