ୟୁକ୍ରେନ୍‌ ଯୁଦ୍ଧ ପାଇଁ ଉତ୍ତର କୋରିଆରୁ କ୍ଷେପଣାସ୍ତ୍ର ଆଣିଛି ରୁଷ୍‌: ଯୁକ୍ତରାଷ୍ଟ୍ର ଆମେରିକା

Advertisment
ୟୁକ୍ରେନ୍‌ ଯୁଦ୍ଧ ପାଇଁ ଉତ୍ତର କୋରିଆରୁ କ୍ଷେପଣାସ୍ତ୍ର ଆଣିଛି ରୁଷ୍‌: ଯୁକ୍ତରାଷ୍ଟ୍ର ଆମେରିକା

Image Courtesy of Times Now

ୱାସିଂଟନ୍‌: ୟୁକ୍ରେନ୍‌ ସହିତ ଚଳାଇଥିବା ଯୁଦ୍ଧରେ ବ୍ୟବହାର କରିବା ଲାଗି ରୁଷ୍‌ ଉତ୍ତର କୋରିଆରୁ ‘ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର’ ଆଣିଛି ଏବଂ ଇରାନ୍‌ରୁ ସ୍ବଳ୍ପ ଦୂରତାରୁ ଲକ୍ଷଭେଦ କରୁଥିବା ‘ବାଲିଷ୍ଟିକ୍‌ ‌କ୍ଷେପଣାସ୍ତ୍ର’ ଆଣିବାକୁ ଉଦ୍ୟମ କରୁଛି ବୋଲି ଗୁରୁବାର ଦିନ ହ୍ବାଇଟ୍‌ ହାଉସ୍‌ କହିଛି।

‘ଜାତୀୟ ନିରାପତ୍ତା ପରିଷଦ୍‌’ର ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି, ନିକଟରେ ପ୍ରକାଶ କରାଯାଇଥିବା ଗୁପ୍ତ ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି ଯେ, ଉତ୍ତର କୋରିଆ ରୁଷ୍‌କୁ ‘ବାଲିଷ୍ଟିକ୍‌ ମିସାଇଲ୍‌ ଲଞ୍ଚର୍‌’ ଓ କେତେଗୁଡ଼ିଏ ବାଲିଷ୍ଟିକ୍‌ ମିସାଇଲ୍‌ ବା କ୍ଷେପଣାସ୍ତ୍ର ଯୋଗାଇ ଦେଇଛି।

ଡିସେମ୍ବର ୩୦ ତାରିଖ ଦିନ ରୁଷୀୟ ସେନା ଉକ୍ତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରଗୁଡ଼ିକରୁ ଅନ୍ୟୂନ ଗୋଟିଏ ୟୁକ୍ରେନ୍‌ ଉପରେ ପକାଇଛି। ସେ କ୍ଷେପଣାସ୍ତ୍ରଟି ଜାପୋରିଝ୍‌ଝିଆ ଅଞ୍ଚଳ ଅନ୍ତର୍ଗତ ଗୋଟାଏ ଖୋଲା ପଡ଼ିଆରେ ପଡ଼ିଛି ବୋଲି ସେ କହିଛନ୍ତି।

U.S. says North Korea delivered 1,000 containers of equipment to Russia Image Courtesy of CNBC

ମଙ୍ଗଳବାର ରାତ୍ରକାଳୀନ ଆକ୍ରମଣ ବେଳେ ରୁଷ୍‌ ନିକ୍ଷେପ କରିଥିବା ଏକାଧିକ ଉତ୍ତର କୋରିଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ପ୍ରଭାବ ସମ୍ବନ୍ଧରେ ଆମେରିକା ପର୍ଯ୍ୟବେକ୍ଷଣ କରୁଥିବା କଥା ମଧ୍ୟ ସେ କହିଛନ୍ତି।

କିର୍ବି ଆହୁରି ମଧ୍ୟ କହିଛନ୍ତି, ରୁଷ୍‌-ଇରାନ୍‌ ରାଜିନାମା ସମ୍ପୂର୍ଣ୍ଣ ହୋଇନାହିଁ, କିନ୍ତୁ ଇରାନ୍‌ରୁ ‘କ୍ଲୋଜ୍‌ ରେଞ୍ଜ୍‌ ମିସାଇଲ୍‌’ ଆଣିବା ପାଇଁ ଉଦ୍ୟମରେ ତତ୍ପରତା ଦେଖାଦେଇଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ମାସରେ ହ୍ବାଇଟ୍‌ ହାଉସ୍‌ କହିଥିଲା ଯେ, ଉତ୍ତର କୋରିଆ ରୁଷ୍‌କୁ ୧୦୦୦ କଣ୍ଟେନର୍‌ରୁ ଅଧିକ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ଯୋଗାଇ ଦେଇଛି।

ଉତ୍ତର କୋରିଆ ଓ ରୁଷ୍‌ ମଧ୍ୟରେ ସମ୍ପର୍କ ୧୯୪୮ ମସିହାରେ ଉତ୍ତର କୋରିଆର ସ୍ଥାପନା ହେବା ସମୟରୁ ରହିଆସିଛି। ଉତ୍ତର କୋରିଆର ପ୍ରଥମ ଶାସକ ଭାବେ କିମ୍ ଜୋଙ୍ଗ୍‌ ଉନ୍‌ଙ୍କ ଜେଜେ କିମ୍‌ ଇଲ୍‌ ସଙ୍ଗ୍‌ଙ୍କୁ ସୋଭିଏତ୍‌ ଦେଶ (ରୁଷ୍‌) ଅଭିଷିକ୍ତ କରାଇଥିଲା।

ସୂଚନାଯୋଗ୍ୟ, ଆଣବିକ କାର୍ଯ୍ୟକ୍ରମ ଓ ମାନବ ଅଧିକାର କ୍ଷେତ୍ରରେ ମନ୍ଦ ରେକର୍ଡ ଲାଗି ଉତ୍ତର କୋରିଆ ଓ ଇରାନ୍‌ ଆନ୍ତର୍ଜାତିକ ସ୍ତରରେ ବାସନ୍ଦ ହେଲା ଭଳି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe