ଅସ୍ତ୍ର ବ୍ୟବସାୟୀଙ୍କ ପ୍ରତିବଦଳରେ ରୁଷ୍‌ ଜେଲ୍‌ରୁ ମୁକୁଳିଲେ ଆମେରିକୀୟ ବାସ୍କେଟ୍‌ବଲ୍‌ ଖେଳାଳି

Advertisment
ଅସ୍ତ୍ର ବ୍ୟବସାୟୀଙ୍କ ପ୍ରତିବଦଳରେ ରୁଷ୍‌ ଜେଲ୍‌ରୁ ମୁକୁଳିଲେ ଆମେରିକୀୟ ବାସ୍କେଟ୍‌ବଲ୍‌ ଖେଳାଳି

ୱାସିଂଟନ୍‌: ‘ମୃତ୍ୟୁର ସୌଦାଗର’ ନାମରେ କୁଖ୍ୟାତ ଜଣେ ଅସ୍ତ୍ରଶସ୍ତ୍ର ବ୍ୟବସାୟୀଙ୍କ ପ୍ରତିବଦଳରେ ଗୁରୁବାର ଦିନ ରୁଷୀୟ କାରାଗାରରୁ ପ୍ରଖ୍ୟାତ ଆମେରିକୀୟ ବାସ୍‌କେଟ୍‌ବଲ୍‌ ଖେଳାଳି (କ୍ରୀଡ଼ିକା) ବ୍ରିଟ୍‌ନି ଗ୍ରିନର୍‌ ମୁକ୍ତି ପାଇଛନ୍ତି। ଏହି ପ୍ରତିବଦଳକୁ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ‘ସତର୍କତାପୂର୍ଣ୍ଣ ତଥା ଅସାଧାରଣ’ ରାଜିନାମା ବୋଲି ଅଭିହିତ କରିଛନ୍ତି।

ଡ୍ରଗ୍‌ ଅଭିଯୋଗରେ ଫେବ୍ରୁଆରି ମାସରେ ୩୨ ବର୍ଷୀୟ ଗ୍ରିନର୍‌ ରୁ‌ଷ୍‌ରେ ଗିରଫ ହୋଇଥିଲେ। ସେହିପରି, ୫୫ ବର୍ଷିୟ ଅସ୍ତ୍ର ବ୍ୟବସାୟୀ ଭିକ୍ଟର୍‌ ବାଉଟ୍‌ ଆମେରିକୀୟ କାରାଗାରରେ ୨୫ ସଜା କାଟୁଥିଲେ। ଆବୁଧାବିର ଏକ ବିମାନ ବନ୍ଦରରେ ଉଭୟଙ୍କୁ ଅଦଳବଦଳ କରାଯାଇଛି।

ରାଷ୍ଟ୍ରାୟତ ରୁଷୀୟ ଗଣମାଧ୍ୟମ ରିଲିଜ୍‌ କରିଥିବା ଫୁଟେଜ୍‌ରେ ଦେଖାଯାଉଛି ଗ୍ରିନର୍‌ ଓ ବାଉଟ୍‌ ବିମାନ ବନ୍ଦରର ଟାର୍ମାକ୍‌ରେ ଥିବା ରାସ୍ତା ପାର ହୋଇ ନିଜ ନିଜ ଦେଶକୁ ଯିବା ପାଇଁ ଉଦ୍ଦିଷ୍ଟ ବିମାନ ଆଡ଼କୁ ମୁହାଁଉଛନ୍ତି।

publive-image Image Courtesy of Radio Free Europe

ହ୍ବାଇଟ୍‌ ହାଉସ୍‌ରେ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବା ବ‌େଳେ ବାଇଡେନ୍‌ ଗ୍ରିନର୍‌ଙ୍କ ମୁକ୍ତି କଥା ଘୋଷଣା କରିଥିଲେ। ସେ କହିଥିଲେ, ସେ ସୁରକ୍ଷିତ ଅଛନ୍ତି। ଏବେ ସେ ବିମାନରେ ଘରକୁ ଫେରୁଛନ୍ତି। ମୁଁ ତାଙ୍କ ସହିତ କଥାବାର୍ତ୍ତା କରିଛି। ଅକାରଣରେ ନିର୍ଯାତନା ଭ‌ୋଗି ଥିଲେ ବି ଏବେ ତାଙ୍କର ମତିଗତି ଭଲ ଅଛି।

ଦୁଇ ଥର ଅଲିମ୍ପିକ୍‌ ସ୍ବର୍ଣ୍ଣପଦକ ପ୍ରାପ୍ତ, ‘ଡବ୍ଲୁଏନ୍‌ବିଏ’ ଚାମ୍ପିଅନ୍‌ ତଥା ‘ଏଲ୍‌ଜିବିଟି ଟ୍ରାଏଲ୍‌ବ୍ଲେଜର୍‌’ ଗ୍ରିନର୍‌ଙ୍କୁ ୯ ମାସ ତଳେ ମସ୍କୋ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ତାଙ୍କ ନିକଟରେ ସ୍ବଳ୍ପ ମାତ୍ରାରେ ଗଞ୍ଜେଇ ତୈଳ ଥିବା ‘ଭେପ୍‌ କାଟ୍ରିଜ୍‌’ ଥିବା ଅଭିଯୋଗ ହୋଇଥିଲା। ଫଳରେ ଅଗଷ୍ଟ ମାସରେ ତାଙ୍କୁ ୯ ବର୍ଷ ପାଇଁ କାରାଦଣ୍ଡାଦେଶ ହୋଇଥିଲା।

ବିଶ୍ବରେ ସଙ୍ଘଠିତ କେତେକ ରକ୍ତାକ୍ତ ସଂଘର୍ଷରେ ବିଦ୍ରୋହୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା କଥା ବାଉଟ୍‌ଙ୍କ ନାଁରେ ଅଭିଯୋଗ ହୋଇଥିଲା। ୨୦୦୮ରେ ଥାଇଲାଣ୍ଡ୍‌ରେ ଆମେରିକା କରିଥିବା ‘ଷ୍ଟଙ୍ଗ୍‌ ଅପରେସନ୍‌’ରେ ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇ ୨୦୧୨ରେ ୨୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe