ଆମେରିକା-ଚୀନ ଉତ୍ତେଜନା ଚରମରେ: ଚୀନ୍‌ର ଧମକ ସତ୍ତ୍ବେ ତାଇୱାନ୍‌ ପହଞ୍ଚିଲେ ନାନ୍‌‌ସି ପେଲୋସି

Advertisment

କ୍ଷେପଣାସ୍ତ୍ର, ଯୁଦ୍ଧଜାହାଜ ଓ ଫାଇଟର୍‌ ଜେଟ୍‌ ମୁତୟନ, ତାଇୱାନରେ ବଡ଼ ଧରଣର ସାଇବର ଆକ୍ରମଣ

କ୍ଷେପଣାସ୍ତ୍ର, ଯୁଦ୍ଧଜାହାଜ ଓ ଫାଇଟର୍‌ ଜେଟ୍‌ ମୁତୟନ, ତାଇୱାନରେ ବଡ଼ ଧରଣର ସାଇବର ଆକ୍ରମଣ

ଆମେରିକା-ଚୀନ ଉତ୍ତେଜନା ଚରମରେ: ଚୀନ୍‌ର ଧମକ ସତ୍ତ୍ବେ ତାଇୱାନ୍‌ ପହଞ୍ଚିଲେ ନାନ୍‌‌ସି ପେଲୋସି

ବେଜିଂ: ବିଶ୍ବର ଦୁଇ ସୁପରପାୱାର ଆମେରିକା ଓ ଚୀନ ସେନା ତାଇୱାନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଦକ୍ଷିଣ ଚୀନ୍ ସାଗର ଦୁଇ ମହାଶକ୍ତିଙ୍କ ଯୁଦ୍ଧ ଆଖଡ଼ାରେ ପରିଣତ ହେବା ଦେଖିବାକୁ ମିଳୁଛି। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଙ୍କ ତାଇୱାନ ଗସ୍ତକୁ ନେଇ ଦୃଢ଼ ରହିଥିବା କୁହାଯାଉଛି। ପେଲୋସିଙ୍କ ଏହି ଗସ୍ତ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ଅସ୍ତିତ୍ବର ପ୍ରଶ୍ନ ହୋଇଯାଇଛି। ପରମାଣୁ ଅସ୍ତ୍ର-ସମ୍ପନ୍ନ ଦୁଇ ରାଷ୍ଟ୍ରର ସେନା ବର୍ତ୍ତମାନ ପରସ୍ପର ବିରୋଧରେ କ୍ଷେପଣାସ୍ତ୍ର, ଯୁଦ୍ଧଜାହାଜ ଓ ଫାଇଟର ଜେଟ୍ ପ୍ରସ୍ତୁତ କରି ରଖିଲେଣି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେଇଛନ୍ତି ଯେ ଟିକିଏ ଭୁଲ୍ ହେଲେ ବିଶ୍ବରେ ପରମାଣୁ ଶକ୍ତିର ବିଧ୍ବଂସ ଲୀଳା ଆରମ୍ଭ ହୋଇପାରେ। ପେଲୋସିଙ୍କ ଏହି ଗସ୍ତକୁ ନେଇ ସାରା ବିଶ୍ବରେ ଶ୍ବାସରୁଦ୍ଧକର ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ତାଇୱାନରେ ଆଜି ଚୀନ୍‌ ବଡ଼ ସାଇବର ଆକ୍ରମଣ କରିଛି। ଏଥିରେ ପ୍ରଶାସନ ଓ ପ୍ରତିରକ୍ଷା ବିଭାଗର ସମସ୍ତ ଗୁରୁତ୍ବପୂର୍ଣ୍ଣ ୱେବ୍‌ସାଇଟ୍‌ ଡାଉନ୍‌ ହୋଇଯାଇଥିଲା।

publive-image

ଆମେରିକା ବର୍ତ୍ତମାନ ସୁଦ୍ଧା ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ବିଷୟରେ କୌଣସି ଘୋଷଣା କରିନାହିଁ। କିନ୍ତୁ ଆମେରିକା ସେନା ପକ୍ଷରୁ ଏୟାରକ୍ରାଫ୍ଟ କ୍ୟାରିୟରଠାରୁ ଆରମ୍ଭ କରି ଫାଇଟର ଜେଟ୍ ପର୍ଯ୍ୟନ୍ତ ତାଇୱାନ ସୀମା ପାଖରେ ଜାପାନ ଓ ନିଜ ନିୟନ୍ତ୍ରଣାଧୀନ ଗୁଆମ୍ ଦ୍ବୀପରେ ଠୁଳ କରିସାରିଲାଣି। ଆମେରିକାର ରାଷ୍ଟ୍ରପତି ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କ ପରେ ପଦାନୁକ୍ରମରେ ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ସ୍ଥାନ ହେଉଛି ତୃତୀୟ। ୧୯୯୭ ପରେ ସେ ହେଉଛନ୍ତି ଆମେରିକାର ସର୍ବୋଚ୍ଚ ଅଧିକାରୀ ଯିଏ ତାଇୱାନ ଗସ୍ତରେ ଯିବେ। ଏହି କାରଣରୁ ଚୀନ୍ ପୂରା ରାଗିଯାଇଛି, କାରଣ ଆମେରିକା ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଛି ଯାହାକୁ ଚୀନ୍ ନିଜର ବୋଲି କହୁଛି। ଚୀନ୍ ସେନା ପେଲୋସିଙ୍କୁ ଡରାଇବା ପାଇଁ ତାଇୱାନ ଷ୍ଟ୍ରେଟ୍‌ରେ ଜୋରଦାର ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଉକ୍ତ ଅଞ୍ଚଳରେ ଯାତ୍ରୀବାହୀ ବିମାନର ଯାତାୟାତ ଉପରେ ଚୀନ୍‌ ପ୍ରତିବନ୍ଧକ ଲଗାଇଛି।

ଚୀନ୍ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଝାଓ ଲିଜିନ ଧମକ ଦେଇ କହିଛନ୍ତି କି ଆମେରିକାକୁ ଏହି ଗସ୍ତର ସମସ୍ତ ଦୁଷ୍ପରିଣାମ ଭୋଗ କରିବାକୁ ହେବ। ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବି କୁହାଯାଇଛି ଯେ ଏହି ଗସ୍ତ ଦ୍ବାରା ତାଇୱାନ ପ୍ରଣାଳୀରେ ଅଧିକ ଉତ୍ତେଜନା ସୃଷ୍ଟି ହେବ। ଚୀନ୍ ସେନା ହାତ ବାନ୍ଧି ବସିବ ନାହିଁ। ତାଇୱାନର ସ୍ବତନ୍ତ୍ରତା ବିରୋଧରେ ଏହା କଠୋରରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହା ପୂର୍ବରୁ ଚୀନ୍ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ବି କଥାବାର୍ତ୍ତା ହୋଇଥିଲା। କିନ୍ତୁ ଏହି ପୂରା ବିବାଦର କୌଣସି ସମାଧାନ ବାହାରିଲା ନାହିଁ। ଚୀନ୍ ସେନା ବର୍ତ୍ତମାନ ଦକ୍ଷିଣ ଚୀନ୍ ସାଗର ଓ ବୋହାଇ ସାଗରରେ ବାରୁଦ ବର୍ଷା କରୁଛି। ତାଇୱାନ ମିଡ଼ିଆର ଦାବି ଅନୁସାରେ ନାନ୍ସି ପେଲୋସି ଆଜି ରାତିରେ ତାଇପେ ପହଞ୍ଚିପାରନ୍ତି। ଚୀନ ସେନା ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ଅଗଷ୍ଟ ୨ରୁ ୬ ପର୍ଯ୍ୟନ୍ତ ଯୁଦ୍ଧାଭ୍ୟାସ କରିବ। ତେଣେ ତାଇୱାନ ସେନା ବି ଜୋରଦାର ପ୍ରସ୍ତୁତି ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe