Image Courtesy of Zee News
କିବ୍: ୟୁକ୍ରେନ୍ର ପୂର୍ବ ପ୍ରାନ୍ତରେ ରୁଷ୍ ଅଗ୍ରସର ହେଉଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଓ ଜର୍ମାନି ଯୁଦ୍ଧ-ବିକ୍ଷତ ଦେଶକୁ (ୟୁକ୍ରେନ୍) ଅସ୍ତ୍ରଶସ୍ତ୍ର ଯୋଗାଉଥିବା କଥା ରୁଷୀୟ ସେନା କହିଛି। ଏବଂ, ସେଗୁଡ଼ିକରୁ କିଛି ଅସ୍ତ୍ରଶସ୍ତ୍ର ରୁଷ୍ ସେନା ନଷ୍ଟ କରି ଦେଇଛି ବୋଲି ମସ୍କୋ କହିଛି।
ୟୁକ୍ରେନ୍ର ପୂର୍ବାଞ୍ଚଳରେ ଥିବା ଏକ ପ୍ରମୁଖ ନଗରୀରେ ଭୀଷଣ ଯୁଦ୍ଧ ସତ୍ତ୍ବେ ରୁଷ୍ ଅଗ୍ରସର ହେଉଥିବା କଥା ସେଠାକାର ଗଭର୍ଣ୍ଣର୍ ମଧ୍ୟ ସ୍ବୀକାର କରିଛନ୍ତି। ବୁଧବାର ଦିନ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରି ୟୁକ୍ରେନ୍ର ଲିଭିଭ୍ ଅଞ୍ଚଳରେ ଅବସ୍ଥିତ ଅସ୍ତ୍ରାଗାରକୁ ଧ୍ବଂସ କରି ଦେଇଥିବା କଥା ରୁଷୀୟ ସେନା କହିଛି। ସେ ଅସ୍ତ୍ରାଗାରରେ ‘ନାଟୋ’ ଯୋଗାଇ ଦେଇଥିବା ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିଲା।
ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ଆଇଗୋର୍ କୋନଶେଙ୍କୋଭ୍ କହିଛନ୍ତି, ରୁଷୀୟ ସୈନିକମାନେ ତୀକ୍ଷ୍ଣ-ଲକ୍ଷ୍ୟଭେଦୀ କାଲିବର୍ କ୍ଷେପଣାସ୍ତ୍ର ବଳରେ ଜୋଲୋଚିଭ୍ ନଗରୀ ନିକଟରେ ଥିବା ଅସ୍ତ୍ରାଗାରକୁ ଧ୍ବଂସ କରି ଦେଇଛନ୍ତି। ସେଠାରେ ଯୁକ୍ତରାଷ୍ଟ୍ର ଆମେରିକା ଯୋଗାଇଥିବା ‘ଏମ୍୭୭୭ ହାୱିଜର୍ସ’ ଗଚ୍ଛିତ ଥିଲା।
Image Courtesy of DWୟୁକ୍ରେନ୍ର ପୂର୍ବାଞ୍ଚଳ ଅନ୍ତର୍ଗତ ଡୋନ୍ବାସ୍ ଅଞ୍ଚଳରେ ଅବସ୍ଥିତ ସିଏଭିଏରୋଦୋନେତସ୍କ ନଗରୀ ପାଇଁ ଚାଲିଥିବା ଯୁଦ୍ଧ ଉପରେ ଏବେ ସମସ୍ତଙ୍କ ଦୃଷ୍ଟି ରହିଛି।
ସୂଚନାଯୋଗ୍ୟ, ଲହାନ୍ସ୍କ ଏବଂ ଡୋନେତ୍ସ୍କ ଅଞ୍ଚଳକୁ ମିଶାଇ ଡୋନ୍ବାସ୍ ଗଠିତ। ଲୁହାନ୍ସ୍କର ୟୁକ୍ରେନୀୟ ଗଭର୍ଣ୍ଣର୍ ସେର୍ହିଇ ହାଇଦାଇ ସମ୍ବାଦ ସରବରାହ ସଂସ୍ଥାନ ‘ଆସୋସିଏଟ୍ ପ୍ରେସ୍’କୁ କହିଛନ୍ତି ଯେ, ଆଜି ମଧ୍ୟ ସିଏଭିଏରୋଦୋନେତସ୍କ ନଗରୀରେ ତୁମୁଳ ଯୁଦ୍ଧ ଚାଲିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନଗରୀର ପରିସ୍ଥିତି ନିମ୍ନଗାମୀ ହୋଇଚାଲିଛି। କାରଣ, ରୁଷ୍ ସେନାର ଅଧିକ ଲୋକବଳ ଏବଂ ଅସ୍ତ୍ରଶସ୍ତ୍ର ଅଛି। ତା’ ସତ୍ତ୍ବେ ଆମ ସୈନିକମାନେ ଥରକେ ଶତ୍ରୁ ସେନାଙ୍କୁ ତିନି ପଟରୁ ମୁକାବିଲା କରି ଅଟକାଇବା ଲାଗି ପ୍ରୟାସ କରୁଛନ୍ତି।
Follow Us