Image Courtesy of NDTV
ୱାସିଂଟନ୍: ‘ଏସ୍-୪୦୦ କ୍ଷେପଣାସ୍ତ୍ର’ ଖରିଦ କରିବା ଲାଗି ରୁଷ୍ ସହିତ ରାଜିନାମା କରିବା କାରଣରୁ ଭାରତ ବିରୋଧରେ ଆମେରିକା ଜାରି କରିଥିବା ‘କାଟ୍ସା’ (ସିଏଏସଏସ୍ଏ) କଟଣା ହଟାଇବା ଲାଗି ଆଗତ ବିଧେୟକ ସଂଶୋଧନ ପ୍ରସ୍ତାବ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟିଭ୍’ରେ ବାଚନିକ ଭୋଟ୍ରେ ଅନୁମୋଦନ ହାସଲ କରିଛି।
‘ନ୍ୟାସ୍ନାଲ୍ ଡିଫେନ୍ସ୍ ଅଥରାଇଜେସନ୍ ଆକ୍ଟ’ରେ (ଏନ୍ଡିଏଏ) ସଂଶୋଧନ କରିବା ଲାଗି ଭାରତୀୟ ବଂଶୋଦ୍ଭବ କଂଗ୍ରେସ ସଦସ୍ୟ ରୋ ଖାନ୍ନାଙ୍କ ପ୍ରସ୍ତାବକୁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧି ସଭା ଗୃହୀତ କରିବା ପରେ ଭାରତ-ଆମେରିକା ସୁସମ୍ପର୍କରେ ଅନ୍ତରାୟ ହୋଇଥିବା ‘କାଉଣ୍ଟରିଙ୍ଗ୍ ଆମେରିକାଜ୍ ଆଡ୍ଭର୍ସାରିଜ୍ ଥ୍ରୁ ସାଙ୍କ୍ସନ୍ସ୍ ଆକ୍ଟ୍’କୁ (ସିଏଏଟିଏସ୍ଏ) ହଟାଇ ଦିଆଯିବା ପାଇଁ ମାର୍ଗ ପ୍ରସ୍ତୁତି ହୋଇପାରିଛି।
Image Courtesy of India Todayଆକ୍ରମଣକାରୀ ମନୋଭାବସମ୍ପନ୍ନ ଚୀନ୍ ଭଳି ଦେଶକୁ ପ୍ରତିରୋଧ କରିବା ଲାଗି ଭାରତ ରୁଷ୍ ସହିତ ‘ଏସ୍-୪୦୦’ ଚୁକ୍ତି ସ୍ବାକ୍ଷର କରିଥିବା ଦର୍ଶାଇ ରୋ ଖାନ୍ନାଙ୍କଦ୍ବାରା ଲିଖିତ ଏବଂ ଉପସ୍ଥାପିତ ବିଧେୟକ ସଂଶୋଧନ ପ୍ରସ୍ତାବରେ ଭାରତ ବିପକ୍ଷରେ ଜାରି କରାଯାଇଥିବା କଠୋର ‘କାଟ୍ସା’ କଟକଣା ପ୍ରତ୍ୟାହାର କରିବା ଲାଗି ବାଇଡେନ୍ ପ୍ରଶାସନକୁ ଅନୁରୋଧ କରାଯାଇଛି।
ରୁଷ୍ ପ୍ରତିରକ୍ଷା ଏବଂ ଇଣ୍ଟେଲିଜେନ୍ସ୍ କ୍ଷେତ୍ରରେ ଲିପ୍ତ ଥିବା ଯେକୌଣସି ଦେଶ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ୨୦୧୭ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ‘କାଟ୍ସା’କୁ ଆଇନରେ ପରିଣତ କରିଥିଲା।
ଗୁରୁବାର ଦିନ କଟକଣା ହଟାଇବା ନିମନ୍ତେ ଆଗତ ପ୍ରସ୍ତାବ ଗୃହୀତ ହେବା ପରେ ରୋ ଖାନ୍ନା କହିଲେ ଯେ, ଏହାଦ୍ବାରା ଭାରତ ଏବଂ ଆମେରିକାର ପ୍ରତିରକ୍ଷା ଭାଗିଦାରିତା ସୁଦୃଢ଼ ହେବ।
Follow Us