‘ଆମେରିକା-ଭାରତ ବିଶ୍ବର ନୂଆ ‘ଏଆଇ’ ଶକ୍ତି’

Advertisment

ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ‘ଏଆଇ’ (କୃତ୍ରିମ ବୁଦ୍ଧିମତା)କୁ ଏକ ନୂଆ ଅର୍ଥ ଦେଇଛନ୍ତି।

ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ‘ଏଆଇ’ (କୃତ୍ରିମ ବୁଦ୍ଧିମତା)କୁ ଏକ ନୂଆ ଅର୍ଥ ଦେଇଛନ୍ତି।

modi

News9live

ନ୍ୟୁୟର୍କ: ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ‘ଏଆଇ’ (କୃତ୍ରିମ ବୁଦ୍ଧିମତା)କୁ ଏକ ନୂଆ ଅର୍ଥ ଦେଇଛନ୍ତି। ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଆୟୋଜିତ ‘ମୋଦୀ ଆଣ୍ଡ ୟୁଏସ୍’ (ମୋଦୀ ଏବଂ ଆମେରିକା) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୋ ପାଇଁ ଏଆଇ ଅର୍ଥ ଆମେରିକୀୟ-ଭାରତୀୟ ଏବଂ ଏହି ଭାବନା ହିଁ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଯାଉଛି। ‘ନାସାଉ କୋଲିଜିୟମ୍‌’ରେ ଅନୁଷ୍ଠିତ ଏହି ବିଶାଳ ଓ ଭବ୍ୟ କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିବା ବେଳେ ୫୦୦ରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ପ୍ରଧାନମନ୍ତ୍ରୀ ‘ଭାରତ ମାତା କୀ ଜୟ’ରୁ ଅଭିଭାଷଣ ଆରମ୍ଭ କରିବା ସହ ‘ନମସ୍ତେ’ ଶବ୍ଦ ଏବେ ସମଗ୍ର ବିଶ୍ବରେ ପରିବ୍ୟାପ୍ତ ବୋଲି କହିଥିଲେ। ପ୍ରବାସୀ ଭାରତୀୟମାନେ ଭାରତକୁ ଆମେରିକା ଓ ଆମେରିକାକୁ ଭାରତ ସହ ଯୋଡ଼ିଛନ୍ତି। ଆପଣଙ୍କ ଦକ୍ଷତା, ପ୍ରତିଭା ଏବଂ ପ୍ରତିବଦ୍ଧତାର କୌଣସି ସୀମା ନାହିଁ ଏବଂ ଏହା ଭାରତ-ଆମେରିକା ସଂପର୍କକୁ ନୂଆ ଶିଖରରେ ପହଞ୍ଚାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ବଳିଦାନ ଦିଅନ୍ତି ସେମାନେ ହିଁ ଭୋଗ କରିପାରିବେ, ଅନ୍ୟର ଭଲ ପାଇଁ ଆମେ ତ୍ୟାଗ କରି ସୁଖ ପାଇଥାଉ। ଆମେ ଯେଉଁ ଦେଶରେ ରହିଲେ ବି ଏହି ଭାବନା ବଦଳିନଥାଏ। ସେ କହିଥିଲେ ଯେ ଆମେ ଯେଉଁ ସମାଜରେ ରହୁଛୁ ସେଥିରେ ଆମର ଅଧିକ ଅବଦାନ ରହିଛି। ଏବେ ଆମେରିକା ଭାରତ ଏକ ଆତ୍ମା ଭଳି କାମ କରୁଛନ୍ତି ଏବଂ ଏହି ‘ଏଆଇ’ ସ୍ପିରିଟ୍ ଆମ ସମ୍ପର୍କକୁ ନୂଆ ଉଚ୍ଚତା ଦେଇଛି। ଏଥିପାଇଁ ମୁଁ ଭାରତୀୟ ସମୁଦାୟକୁ ପ୍ରଣାମ କରୁଛି।

ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ମୋଦୀଙ୍କ ଉଦ୍‌ବୋଧନ

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୪ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ପୃଥିବୀର ଅନେକ ଦେଶ ମଧ୍ୟରେ ଏବେ ସଂଘର୍ଷ ଲାଗିରହିଛି। ଅନେକ ଦେଶରେ ନିର୍ବାଚନ ହେଉଛି ଏବଂ ଗଣତନ୍ତ୍ରର ଉତ୍ସବରେ ଭାରତ ଓ ଆମେରିକା ଏକାଠି ଅଛନ୍ତି। ଆମେରିକାରେ ଆଗକୁ ନିର୍ବାଚନ ହେବାକୁ ଯାଉଛି ଏବଂ ଭାରତରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଭାରତରେ ହୋଇଥିବା ନିର୍ବାଚନ ମାନବ ଇତିହାସରେ ସବୁଠାରୁ ବଡ଼ ନିର୍ବାଚନ ଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟାର ପ୍ରାୟ ଦୁଇଗୁଣ ଲୋକ ଭାରତରେ ମତଦାନ କରିଥିଲେ। ଯେତେବେଳେ ଆମେ ଭାରତୀୟ ଗଣତନ୍ତ୍ରର ମାପକାଠି ଦେଖୁ, ଆମେ ଅଧିକ ଗର୍ବିତ ଅନୁଭବ କରୁ। ଭାରତର ବିବିଧତାକୁ ବୁଝିବା ଏବଂ ଏହାକୁ ଆମ ଜୀବନରେ କାର୍ଯ୍ୟକାରୀ କରିବା ଆମ ସଂସ୍କୃତିରେ ଓ ଆମ ରକ୍ତରେ ରହିଛି। ଶତାଧିକ ଭାଷା, ଶହ ଶହ ଉପଭାଷା ଏବଂ ବିଶ୍ୱର ସମସ୍ତ ଧର୍ମ ଥିବା ଦେଶ ଭାରତରେ ଆମେ ଅଧିକ ମହାନତାର ସହ ଆଗକୁ ବଢ଼ୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହର ୱିଲ୍‌ମିଙ୍ଗଟନ୍‌ରେ ଅନୁଷ୍ଠିତ କ୍ୱାଡ୍ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ ଏବଂ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା ଯୋଗ ଦେଇଥିଲେ। କ୍ବାଡ୍‌ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ମଧ୍ୟ ସାମିଲ ଥିଲେ। କ୍ୱାଡ୍ ସମ୍ମିଳନୀ ଅବସରରେ ବାଇଡେନ୍‌ଙ୍କ ଦ୍ୱାରା ସର୍ଭିକାଲ୍ କ୍ୟାନ୍‌ସର ମୁକାବିଲା ପାଇଁ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଥିଲେ। ସୋମବାର ପ୍ରଧାନମନ୍ତ୍ରୀ ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ଅଧିବେଶନରେ ‘ଭବିଷ୍ୟତର ବିଶ୍ବ’ ସମ୍ମିଳନୀରେ ଉଦବୋଧନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe