Donald Trump Photograph: (sambad.in)
ୱାସିଂଟନ/ତେହେରାନ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଚ ବୃଦ୍ଧି ପାଇବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଇରାନ ଉପରେ ସମ୍ଭାବ୍ୟ ସାମରିକ ଆକ୍ରମଣ ପାଇଁ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିବା ନେଇ ଚେତାବନୀ ଦେଇଛନ୍ତି। ଏନେଇ ଆରବ ଓ ମୁସଲିମ ଦେଶ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନେ ଆମେରିକା ଓ ଇରାନ ଉଭୟକୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରୁଛନ୍ତି। ସାଉଦି ଆରବ, ତୁର୍କୀ, ଓମାନ ଓ କତାର ଭଳି ଦେଶଗୁଡ଼ିକ ବର୍ତ୍ତମାନ ଆମେରିକାର ରାଜଧାନୀ ୱାଶିଂଟନ ତଥା ଇରାନର ରାଜଧାନୀ ତେହେରାନ ସହିତ ଯୋଗାଯୋଗରେ ଅଛନ୍ତି। ଏହି ଦେଶଗୁଡ଼ିକ ଅନୁମାନ କରୁଛନ୍ତି ଯେ, ଯଦି ଆମେରିକା ଅବା ଇରାନ ପରିସ୍ଥିତିକୁ ଆହୁରି ଖରାପ କରନ୍ତି, ତେବେ ଏହାର ପ୍ରଭାବ ସମଗ୍ର ମଧ୍ୟପ୍ରାଚ୍ୟ ଉପରେ ପଡ଼ିବ। ଏହା ରାଜନୈତିକ ଅସ୍ଥିରତା ବୃଦ୍ଧି କରିବା ସହିତ ତୈଳ ଓ ଗ୍ୟାସ ବଜାରକୁ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ କରିବ। ଫଳରେ ବିଶ୍ୱ ଅର୍ଥନୀତିରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି
ଆମେରିକା-ଇରାନ ଯୁଦ୍ଧକୁ ନେଇ ଭୟଭୀତ ଆରବ ଦେଶ
ଆରବ ଦେଶଗୁଡ଼ିକ ଭୟ କରୁଛନ୍ତି ଯେ, ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ, ତେବେ ଇରାନ ପ୍ରତିଶୋଧ ନେଇପାରେ। ଇରାନ ସିଧାସଳଖ ଆମେରିକାର ସାମରିକ ଘାଟିଥିବା ଆରବ ଦେଶଗୁଡ଼ିକ ଉପରେ ଆକ୍ରମଣ କରି ସେସବୁ ଘାଟିକୁ ନଷ୍ଟ କରିବାକୁ ଉଦ୍ୟମ କରିବ।ଫଳରେ ପରୋକ୍ଷ ଭାବେ ସେସବୁ ଆରବ ଦେଶ ନଚାହିଁ ମଧ୍ୟ ଯୁଦ୍ଧ ଜାଲରେ ପଡ଼ିଯିବେ।
ସାଉଦି ପ୍ରତିରକ୍ଷା ମନ୍ତ୍ରୀ ୱାସିଂଟନରେ
ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରୀ ଖାଲିଦ ବିନ୍ ସଲମାନ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ, ସେ ୱାସିଂଟନରେ ଅନେକ ବରିଷ୍ଠ ଆମେରିକୀୟ ନେତାଙ୍କ ସହ ସାକ୍ଷାତ କରିଛନ୍ତି। ଏଥିରେ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍, ଟ୍ରମ୍ପଙ୍କ ଆଞ୍ଚଳିକ ଦୂତ ଷ୍ଟିଭ୍ ୱିଟକଫ ଓ ଆମେରିକୀୟ ଶୀର୍ଷ ସାମରିକ ଅଧିକାରୀ ଜେନେରାଲ ଡାନ୍ କେନ୍ ସାମିଲ ଥିଲେ। ଏହି ବୈଠକଗୁଡ଼ିକରେ ଆଞ୍ଚଳିକ ଓ ବିଶ୍ୱ ଶାନ୍ତି ବଜାୟ ରଖିବା ଉପରେ ଆଲୋଚନା ହୋଇଥିଲା। ଇତିମଧ୍ୟରେ ଟ୍ରମ୍ପ ଇରାନ ବିରୋଧରେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିଜର କାରଣ ମଧ୍ୟ ବଦଳାଇଛନ୍ତି। ପୂର୍ବରୁ, ସେ କହିଥିଲେ ଯେ, ପ୍ରତିବାଦକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଅତ୍ୟାଚାର ଯୋଗୁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । କିନ୍ତୁ ଏବେ ସେ ଇରାନର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ବିଷୟରେ କହୁଛନ୍ତି। ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ, ଜୁନ୍ ମାସରେ ଆମେରିକା ଆକ୍ରମଣରେ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା।
ଯୁଦ୍ଧ ଚାହୁଁ ନାହାନ୍ତି ଟ୍ରମ୍ପ
ଟ୍ରମ୍ପ କହିଛନ୍ତି,ସେ ଯୁଦ୍ଧ ଚାହାନ୍ତି ନାହିଁ। ସେ ଇରାନ ସହିତ ଏକ ଚୁକ୍ତି ଚାହାନ୍ତି। ସେ କହିଛନ୍ତି, ଆଶା କରୁଛୁ, ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହେବ। କିନ୍ତୁ ଯଦି ନହେବ ତେବେ ପରବର୍ତ୍ତୀ ସମୟରେ କ'ଣ ହେବ ତାହା କହିବା କଷ୍ଟକର। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଇରାନକୁ ଏକ ସମୟସୀମା ଦେଇଛନ୍ତି କି, ସେ ସ୍ପଷ୍ଟ ଉତ୍ତର ଦେଇ ନଥିଲେ। କହିଥିଲେ ଏହି ପ୍ରସଙ୍ଗ ସହ ଜଡ଼ିତ ବ୍ୟକ୍ତିମାନେ ଏ ସମ୍ପର୍କରେ ଜାଣିଛନ୍ତି। ଟ୍ରମ୍ପ ପ୍ରଶାସନର ଅଧିକାରୀ କହିଛନ୍ତି, ପରମାଣୁ ପ୍ରସଙ୍ଗରେ ଟ୍ରମ୍ପଙ୍କ ନୂଆ ରଣନୀତିରେ ପରିବର୍ତ୍ତନର ସଙ୍କେତ ଦେଉନାହିଁ। ଇରାନ ସହିତ ମୁକାବିଲା କରିବା ପାଇଁ ତାଙ୍କର ବ୍ୟାପକ ଆଭିମୁଖ୍ୟର ଏହା ଏକ ଅଂଶ। ପ୍ରାରମ୍ଭରେ ଟ୍ରମ୍ପ ଜନସାଧାରଣଙ୍କୁ ଉତ୍ସାହିତ କରିବା ଓ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଇରାନରେ ବିରୋଧ ପ୍ରଦର୍ଶନ ଉପରେ ଗୁରୁତ୍ବାରୋପ କରିଥିଲେ। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଚେତାବନୀ ପରେ ଇରାନ ପ୍ରତିବାଦକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାରୁ ନିବୃତ୍ତ ରହିଛି। ସେ ସ୍ୱୀକାର କରିଛନ୍ତି, ଅନେକ ଲୋକଙ୍କୁ ଏବେ ବି ହତ୍ୟା କରାଯାଉଛି। ଇରାନର ପରମାଣୁ କାର୍ଯ୍ୟକ୍ରମ ଆମେରିକା, ସମଗ୍ର ମଧ୍ୟପ୍ରାଚ୍ୟ ଓ ବିଶେଷକରି ଇସ୍ରାଏଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରୁଛି। ଏହି ବିପଦକୁ ଦୂର କରିବା ଅତ୍ୟନ୍ତ ଜରୁରୀ।
ଧମକ ମଧ୍ୟରେ କୌଣସି ଆଲୋଚନା ହେବ ନାହିଁ
ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ତାଙ୍କ ଦେଶ ଆଲୋଚନା ପାଇଁ ପ୍ରସ୍ତୁତ। କିନ୍ତୁ ବର୍ତ୍ତମାନ ଆମେରିକା ସହିତ କୌଣସି ଠୋସ୍ ଆଲୋଚନାର ଯୋଜନା ନାହିଁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଇରାନ ଶାନ୍ତି ଓ ଯୁଦ୍ଧ ଉଭୟ ପାଇଁ ପ୍ରସ୍ତୁତ।
ତୁର୍କୀର ପ୍ରୟାସ
ଦୁଇଦେଶ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ହ୍ରାସ କରିବାକୁ ତୁର୍କୀ ଚେଷ୍ଟା କରୁଛି। ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଇରାନ ଏବଂ ଆମେରିକା ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି,ଆଲୋଚନା ମାଧ୍ୟମରେ ଏହି ସଙ୍କଟର ସମାଧାନ ହୋଇପାରିବ।
Follow Us