Image Courtesy of NDTV
ନୂଆଦିଲ୍ଲୀ: ଜାଣିଶୁଣି ନୂଆଦିଲ୍ଲୀର ସମ୍ମତି ନ ନେଇ ଏ ସପ୍ତାହରେ ଲକ୍ଷାଦ୍ୱୀପ ନିକଟବର୍ତ୍ତୀ ଭାରତର ‘ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍’ରେ (ଇଇଜେଡ୍) ‘ଫ୍ରିଡମ୍ ଅଫ୍ ନେଭିଗେସନ୍ ପାଟ୍ରୋଲ୍ସ୍’ କରିଥିବା କଥା ଆମେରିକୀୟ ନୌସେନା ଘୋଷଣା କରିଛି।
ପଡ଼ୋଶୀ ଦେଶମାନଙ୍କରେ ନିଜ ଅଞ୍ଚଳ ଥିବା କଥା ଚୀନ୍ ବରାବର ଦାବି କରୁଛି। ଚୀନ୍ର ଏ ପ୍ରକାର ଦାବିକୁ ମୁକାବିଲା କରିବା ନିମନ୍ତେ ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ନିୟମିତ ଏଭଳି ପାଟ୍ରୋଲ୍ କରିଥାଏ। କିନ୍ତୁ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ ପତିଆରାକୁ ପରାହତ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭାରତର ସହଯୋଗ ଲୋଡୁଥିବା ବେଳେ ‘ଇଇଜେଡ୍’ରେ ଏଭଳି ପାଟ୍ରୋଲ୍ କରିଥିବା କଥାକୁ ଉତ୍ତେଜନା ସୃଷ୍ଟି କରିବା ଭଳି ଘୋଷଣା କରିବା କଥା ଖୁବ୍ ବିସ୍ମୟ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଭାରତ ତରଫରୁ ଏ ସଂକ୍ରାନ୍ତରେ କୌଣିସ ଔପଚାରିକ ପ୍ରତିକ୍ରିୟା ମିଳିନାହିଁ।
ଯୁକ୍ତରାଷ୍ଟ୍ର ଆମେରିକାର ‘୭ମ ଫ୍ଲିଟ୍’ ଏକ ଆନୁଷ୍ଠାନିକ ବିଜ୍ଞପ୍ତିରେ କହିଛି ଯେ, ତା’ର ‘ଆର୍ଲେ ବର୍କେ-କ୍ଲାସ୍ ଗାଇଡେଡ୍ କ୍ଷେପଣାସ୍ତ୍ର ବିନାଶକାରୀ ୟୁଏସ୍ଏସ୍ ଜନ୍ ପଲ୍ ଜୋନ୍ସ୍’ ପୋତ ଭାରତର ସମ୍ମତି ବିନା ଏପ୍ରିଲ୍ ୭ ତାରିଖ ଦିନ ଲକ୍ଷାଦ୍ୱୀପପୁଞ୍ଜ ଅଞ୍ଚଳର ପଶ୍ଚିମ ପଟରେ ପାଟ୍ରୋଲିଙ୍ଗ୍ କରିଛି।
Follow Us