କମଳା ହାରିସ୍‌ଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିବା ଅଭିଯୋଗରେ ଆମେରିକୀୟ ନର୍ସ ଗିରଫ

Advertisment
କମଳା ହାରିସ୍‌ଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିବା ଅଭିଯୋଗରେ ଆମେରିକୀୟ ନର୍ସ ଗିରଫ

Image Courtesy of NBC News

ହଷ୍ଟନ୍‌: ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ହତ୍ୟା କରିବା ଲାଗି ଧମକ ଦେଇଥିବା ଅଭିଯୋଗରେ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରେ ଜଣେ ୩୯ ବର୍ଷୀୟ ନର୍ସଙ୍କୁ ଗିରଫ କରାଯାଇଥିବା ଶନିବାର ଦିନ ଗଣମାଧ୍ୟମ ରିପୋର୍ଟ କରିଛି।

ଯୁକ୍ତରାଷ୍ଟ୍ର ଆମେରିକାର ‘ସିକ୍ରେଟ୍‌ ସର୍ଭିସ୍‌’ ତଦନ୍ତ ପରେ ନିଭିଏନ୍‌ ପିଟିଟ୍‌ ଫେଲ୍‌ପ୍‌ସ୍‌ ନାମ୍ନୀ ଉକ୍ତ ନର୍ସଙ୍କୁ ଗିରଫ କରାଯାଇଛି ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ଫ୍ଲୋରିଡାର ଦକ୍ଷିଣ ଜିଲ୍ଲାସ୍ଥିତ ‘ଯୁକ୍ତରାଷ୍ଟ୍ର ଆମେରିକା ଜିଲ୍ଲା ଅଦାଲତ’ରେ ଦାଏର ହୋଇଥିବା ଅପରାଧିକ ଅଭିଯୋଗରେ ଉଲ୍ଲେଖ ଅଛି ଯେ, ଫେବ୍ରୁଆରି ୧୩ରୁ ଫେବ୍ରୁଆରି ୧୮ ମଧ୍ୟରେ ଫେଲ୍‌ପ୍‌ସ୍‌ ଜାଣିଶୁଣି ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ହତ୍ୟା କରିବାକୁ ଧମକ ଦେବା ସହ ତାଙ୍କୁ ଶାରୀରିକ ଆଘାତ ଦେଇଥିଲେ।

publive-image Image Courtesy of NDTV

୨୦୦୧ରୁ ‘ଜ୍ୟାକ୍‌ସନ୍‌ ହେଲ୍‌ଥ୍‌ ସିଷ୍ଟମ୍‌’ରେ କାର୍ଯ୍ୟରତା ଫେଲ୍‌ପ୍‌ସ୍‌ଙ୍କ ବିରୋଧରେ ହାରିସ୍‌ଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗରେ କୁହାଯାଇଛି ଯେ, ସମ୍ପ୍ରତି ଜେଲ୍‌ରେ ଥିବା ତାଙ୍କ ସ୍ୱାମୀଙ୍କ ନିକଟକୁ ‘ଜେପେ’ ଜରିଆରେ ଫେଲ୍‌ପ୍‌ସ୍‌ କେତୋଟି ଭିଡିଓ ପଠାଇଥିଲେ। ସୂଚନାଯୋଗ୍ୟ, ‘ଜେପେ’ ଆପ୍‌ ଜରିଆରେ କଏଦୀମାନଙ୍କ ସହ ଯୋଗାଯୋଗ କରିବା ଲାଗି ସେମାନଙ୍କ ପରିବାରବର୍ଗଙ୍କୁ ଅନୁମତି ମିଳିଥାଏ।

ଉପରାଷ୍ଟ୍ରପତି ହାରିସ୍‌ଙ୍କୁ ହତ୍ୟା କରିବା ଲାଗି ଏହି ସବୁ ଭିଡିଓ ରେ ଫେଲ୍‌ପ୍‌ସ୍‌ କେତେକ ବିବୃତି ଦେଇଛନ୍ତି। ଗୋଟାଏ ଭିଡିଓରେ ସେ କହିଛନ୍ତି, କମଳା ହାରିସ୍‌ ଆପଣ ମରିବେ। ଆପଣଙ୍କର ଆୟୁଷ ପୂରିଆସିଲାଣି।

ଫେବ୍ରୁଆରି ୧୮ ତାରିଖ ଦିନ ଅନ୍ୟ ଏକ ଭିଡିଓରେ ଫେଲ୍‌ପ୍‌ସ୍‌ କହିଛନ୍ତି, ମୁଁ ବନ୍ଧୁକ ଚାଳନା ଶିକ୍ଷା ପାଇଁ ଯାଉଛି। ଈଶ୍ୱରଙ୍କ ନିକଟରେ ଶପଥ ନେଇ କହୁଛି, ଆଜି ଆପଣଙ୍କର ଅନ୍ତିମ ଦିବସ, ଆପଣ ମରିବେ।

ତଦନ୍ତରୁ ଜଣାପଡ଼ିଛି ଯେ, ଫେଲ୍‌ପ୍‌ସ୍‌ଙ୍କ ମତରେ କମଳା ହାରିସ୍‌ ପ୍ରକୃତରେ କୃଷ୍ଣକାୟା ନୁହନ୍ତି। ସେ ଉପରାଷ୍ଟ୍ରପତି ହେଉଥିବା ସମୟରେ ଫେଲ୍‌ପ୍‌ସ୍‌ ଖୁବ୍‌ ରାଗିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe