Image Courtesy of NDTV
ରିହୋବଥ୍: ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଡେଲୱେର୍ସ୍ଥିତ ଅବକାଶ ଗୃହ ନିକଟ ଆକାଶକୁ ଭୁଲ୍କ୍ରମେ ଗୋଟାଏ କ୍ଷୁଦ୍ର ଘରୋଇ ବିମାନ ପଶି ଆସିବାରୁ ସ୍ବଳ୍ପ ସମୟ ଲାଗି ତାଙ୍କୁ ଓ ଫାଷ୍ଟ୍ ଲେଡିଙ୍କୁ ସେଠାରୁ ସ୍ଥାନାନ୍ତରଣ କରାଯାଇଥିବା କଥା ‘ହ୍ବାଇଟ୍ ହାଉସ୍’ ଏବଂ ‘ସିକ୍ରେଟ୍ ସର୍ଭିସ୍’ କହିଛନ୍ତି।
ହ୍ବାଇଟ୍ ହାଉସ୍ କହିଛି, ବାଇଡେନ୍ କିଂବା ତାଙ୍କ ପରିବାର ପ୍ରତି ବିପଦ ନ ଥିଲେ ସୁଦ୍ଧା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରକୃତ କଥା ଜଣାପଡ଼ିବା ପରେ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ୍ ସେମାନଙ୍କର ରିହୋବଥ୍ ବିଚ୍ ହୋମ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ଏ ସଂକ୍ରାନ୍ତ ବିବୃତିରେ ‘ସିକ୍ରେଟ୍ ସର୍ଭିସ୍’ କହିଛି ଯେ, ଭୁଲ୍ କ୍ରମେ ସୁରକ୍ଷିତ ଅଞ୍ଚଳ ମଧ୍ୟକୁ ପଶି ଆସିବା ପରେ ତୁରନ୍ତ ଉକ୍ତ ବିମାନଟିକୁ ନିଷିଦ୍ଧ ଘୋଷିତ ଆକାଶରୁ ବିଦା କରାଯାଇଥିଲା।
Image Courtesy of India Todayଉକ୍ତ ବିମାନ ଚଳାଉଥିବା ବୈମାନିକଜଣକ ଉପଯୁକ୍ତ ରେଡିଓ ଚାନେଲ୍ରେ ନ ଥିବା ଏବଂ ଜାରି ହୋଇଥିବା ବିମାନ ଉଡ଼ାଣ ମାର୍ଗଦର୍ଶିକା ଅନୁସରଣ କରି ନ ଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ସେଥିପାଇଁ ତାଙ୍କୁ ଜେରା କରାଯିବ।
ରାଷ୍ଟ୍ରପତି ୱାସିଂଟନ୍ ବାହାରକୁ ଗଲେ ‘ଫେଡେରାଲ୍ ଏଭିଏସନ୍ ଆଡ୍ମିନିଷ୍ଟ୍ରେସନ୍’ ବିମାନ ଚଳାଚଳ ନିମନ୍ତେ ଜାରି କଟକଣା ସଂକ୍ରାନ୍ତରେ ପ୍ରକାଶ କରିବା ବିଧି ରହିଛି। ତେଣୁ, ବାଇଡେନ୍ଙ୍କ ବିଚ୍ ଟାଉନ୍ ଗସ୍ତ ନିମନ୍ତେ ଚଳିତ ସପ୍ତାହ ପ୍ରାରମ୍ଭରେ ଉପରୋକ୍ତ କଟକଣା ପ୍ରକାଶ ପାଇଥିଲା। କଟକଣା ଅନୁସାରେ, ରାଷ୍ଟ୍ରପତି ଅବସ୍ଥାନ କରୁଥିବା ୧୦ ମାଇଲ୍ ପରିଧି ଆକାଶକୁ ‘ନୋ-ଫ୍ଲାଇ-ଜୋନ୍ ଏବଂ ୩୦ ମାଇଲ୍ ପରିଧି ଆକାଶକୁ ‘ରେଷ୍ଟ୍ରିକ୍ଟେଡ୍ ଜୋନ୍’ ଭାବେ ଘୋଷଣା କରାଯାଇଥାଏ।
Follow Us