Image Source: Hindustan Times
ଓ୍ଵାସିଂଟନ୍: ତାଲିବାନ ନେତାଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି ବୋଲି ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି। ଦୀର୍ଘ ୧୮ ବର୍ଷ ଧରି ଆଫଗାନିସ୍ତାନରେ ଥିବା ଆମେରିକୀୟ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ଏକ ରାଜିନାମାରେ ପହଞ୍ଚିବାର କିଛି ଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍ ତାଲିବାନ ନେତାଙ୍କ ସହ କଥା ହୋଇଥିବା ଜଣାପଡ଼ିଛି।
ହ୍ଵାଇଟ୍ ହାଉସ୍ର ଦକ୍ଷିଣ ଲନ୍ରେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଆଜି ତାଲିବାନ ନେତାଙ୍କ ସହ କଥାବାର୍ତ୍ତା କରିଛନ୍ତି। ଉଭୟଙ୍କ ମଧ୍ୟରେ ଉତ୍ତମ କଥାବାର୍ତ୍ତା ହୋଇଥିବା କଥା ମଧ୍ୟ ସେ ସୂଚନା ଦେଇଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେବାର କିଛି ସମୟ ପୂର୍ବରୁ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଟୁଇଟ୍ କରିଥିଲେ ଯେ ତାଲିବାନ ନେତା ମୁଲ୍ଲା ଅବ୍ଦୁଲ୍ ଗନି ବରାଦରଙ୍କ ସହ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍ ଟେଲିଫୋନ୍ରେ କଥାବାର୍ତ୍ତା କରିଛନ୍ତି।
Image Source: Arab Newsଉଭୟଙ୍କ ମଧ୍ୟରେ ହୋଇ ଥିବା କଥାବାର୍ତ୍ତା ସଂକ୍ରାନ୍ତରେ ଆଉ କିଛି ବିଶେଷ ବିବରଣୀ ଦିଆଯାଇ ନାହିଁ।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ପ୍ରାୟ ଦୁଇ ଦଶନ୍ଧି ଧରି ବିବାଦ ଲାଗି ରହିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଶନିବାର ଦିନ ତାଲିବାନ ସହ ଶାନ୍ତି ରାଜିନାମା ସ୍ୱାକ୍ଷର କରିଛି। ଉଭୟ ପକ୍ଷର ପ୍ରମୁଖ ବୁଝାମଣାକାରୀମାନେ ଏହି ରାଜିନାମାରେ ସ୍ୱାକ୍ଷର କରିଥିଲେ। ଏଥିରେ ସାକ୍ଷୀ ପଡ଼ିଥିଲେ ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ। ଆସନ୍ତା ୧୪ ମାସ ମଧ୍ୟରେ ଆଫଗାନିସ୍ଥାନରୁ ସମସ୍ତ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ଦିଆଯାଇଛି।
Follow Us