Image Courtesy of India Today
ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ଭାରତ ଗସ୍ତରେ ଆସି ମଙ୍ଗଳବାର ସନ୍ଧ୍ୟା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଗତ ମାର୍ଚ ମାସରେ ପ୍ରତିରକ୍ଷା ସଚିବ ଲିୟଡ୍ ଅଷ୍ଟିନ୍ ଏବଂ ଏପ୍ରିଲ୍ ମାସରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସ୍ବତନ୍ତ୍ର ଦୂତ ଜନ୍ କେରିଙ୍କ ଗସ୍ତ ପରେ ବ୍ଲିଙ୍କେନ୍ ହେଉଛନ୍ତି ଦିଲ୍ଲୀ ଗସ୍ତରେ ଆସିଥିବା ବାଇଡେନ୍ ପ୍ରଶାସନର ତୃତୀୟ ଉଚ୍ଚ ପାହ୍ୟା ଅଧିକାରୀ।
ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ସୂଚନା ଅନୁସାରେ, ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିବଦ୍ଧତାକୁ ଆହୁରି ସୁନିଶ୍ଚିତ କରାଇବା ହେଉଛି ଆଣ୍ଟୋନି ବ୍ଲିଙ୍କେନ୍ଙ୍କ ନୂଆଦିଲ୍ଲୀ ଗସ୍ତର ଉଦ୍ଦେଶ୍ୟ। ସେ ୨୦ ଘଣ୍ଟାରୁ ସାମନ୍ୟ ଅଧିକ ସମୟ ଜାତୀୟ ରାଜଧାନୀ ଅଞ୍ଚଳ ନୂଆଦିଲ୍ଲୀରେ ଅବସ୍ଥାନ କରି ବୁଧବାର ସନ୍ଧ୍ୟା ୫.୩୦ରେ କୁଏତ୍ ଅଭିମୁଖେ ଯାତ୍ରା ଆରମ୍ଭ କରିବେ।
Image Courtesy of India Todayଆଜି ମଧ୍ୟାହ୍ନ ୧୨ଟା ବେଳେ ଆଣ୍ଟୋନି ବ୍ଲିଙ୍କେନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ବ୍ୟାପକ ଆଲୋଚନା କରିବେ। ଅପରାହ୍ଣ ୪.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପୂର୍ବରୁ ସେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍ଙ୍କୁ ମଧ୍ୟ ସାକ୍ଷାତ୍ କରିବେ।
ଆଫଗାନିସ୍ତାନରୁ ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟ ପ୍ରତ୍ୟାହାର, କୋଭିଡ୍-୧୯ ପରିଚାଳନା ଏବଂ ଟିକା ଯୋଗାଣ ନିମନ୍ତେ ‘କ୍ବାଡ୍’ ସଦସ୍ୟଙ୍କ ମଧ୍ୟରେ ସମନ୍ବୟତା, ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନୌସେନା ମୁତୟନ, ଆଞ୍ଚଳିକ ନିରାପତ୍ତା, ଗଣତାନ୍ତ୍ରିକ ମୂଲ୍ୟବୋଧ, ଜଳବାୟୁ ସଙ୍କଟ ସମେତ ଅନେକ ଦ୍ବିପାକ୍ଷିକ ସ୍ବାର୍ଥ ସମ୍ବଳିତ ବିଷୟବସ୍ତୁ ସେମାନଙ୍କ ଆଲୋଚନାରେ ସ୍ଥାନ ପାଇବ ବୋଲି ଜଣାପଡ଼ିଛି।
Follow Us