କାରୋଲିନା ଉପକୂଳବର୍ତ୍ତୀ ସମୁଦ୍ରରେ ସନ୍ଦିଗ୍ଧ ଚୀନା ‘ସ୍ପାଏ ବେଲୁନ୍‌’କୁ ଲଢୁଆ ବିମାନରୁ କ୍ଷେପଣାସ୍ତ୍ର ମାରି ଖସାଇଲା ଆମେରିକା

Advertisment
କାରୋଲିନା ଉପକୂଳବର୍ତ୍ତୀ ସମୁଦ୍ରରେ ସନ୍ଦିଗ୍ଧ ଚୀନା ‘ସ୍ପାଏ ବେଲୁନ୍‌’କୁ ଲଢୁଆ ବିମାନରୁ କ୍ଷେପଣାସ୍ତ୍ର ମାରି ଖସାଇଲା ଆମେରିକା

Image Courtesy of Reuters

ସର୍ଫସାଇଡ୍‌ ବିଚ୍‌: ଶନିବାର ଦିନ ଦକ୍ଷିଣ କାରୋଲିନା ଉପକୂଳବର୍ତ୍ତୀ ଅଗଭୀର ସମୁଦ୍ର ଉପରେ ଆମେରିକୀୟ ସେନାର ଏକ ଲଢୁଆ ଜେଟ୍‌ ଗୋଟାଏ ସନ୍ଦିଗ୍ଧ ଚୀନା ‘ସ୍ପାଏ ବେଲୁନ୍‌’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଥିବା କଥା ପେଣ୍ଟାଗନ୍‌ କହିଛି।

ସପ୍ତାହେ ତଳେ ଆମେରିକା ଆକାଶରେ ଦେଖା ଦେଇଥିବା ଏହି ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ବପୂର୍ଣ୍ଣ ସାମରିକ ସ୍ଥଳୀଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା କହିଛି।

ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି, ବେଲୁନ୍‌ଟିକୁ ବିସ୍ଫୋରକ ମାରି ଖସାଇ ଦେବାଲାଗି ବୁଧବାର ଦିନ ସେ ଆଦେଶ ଜାରି କରିଥିଲେ। କିନ୍ତୁ, ତିନୋଟି ବସ୍‌ର ସମୁଦାୟ ଆକାର ଭଳି ଉକ୍ତ ପ୍ରକାଣ୍ଡ ବେଲୁନ୍‌ଟି ସ୍ଥଳଭାଗ ଉପରେ ଥିବାରୁ ବିସ୍ଫୋରଣ ପରେ ତାହାର ଭଗ୍ନାଂଶଗୁଡ଼ିକ ଜନବସତି ଅଞ୍ଚଳରେ ପଡ଼ି ଅନିଷ୍ଟ କରିବାର ଆଶଙ୍କା ଥିବା ଦର୍ଶାଇ ପେଣ୍ଟାଗନ୍‌ କହିଥିଲା କି, ବେଲୁନ୍‌ଟି ସମୁଦ୍ର ଉପର ଆକାଶକୁ ଗଲେ ଯାହା କିଛି କରାଯିବ।

ଏବେ ସେମାନେ ତାହାକୁ ଖସାଇବାରେ ସଫଳ ହୋଇଛନ୍ତି। ବେଲୁନ୍‌ଟିକୁ ଖସାଇଥିବା ବୈମାନିକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ବୋଲି ବାଇଡେନ୍‌ କହିଛନ୍ତି।

publive-image Image Courtesy of Tenterfield Star

ଉକ୍ତ ବେଲୁନ୍‌କୁ ଖସାଇବା ଲାଗି କରାଯାଇଥିବା ମିସନ୍‌ରେ ଏକାଧିକ ଲଢୁଆ ବିମାନ ଏବଂ ‘ରିଫୁଏଲିଙ୍ଗ୍‌ ଏୟାର୍‌କ୍ରାଫ୍‌ଟ୍‌ ସମ୍ପୃକ୍ତ ଥିଲେ। କିନ୍ତୁ, ଭର୍ଜିନିଆସ୍ଥିତ ଲ୍ୟାଙ୍ଗ୍‌ଲି ଏୟାର୍‌ ଫୋର୍ସ ବେସ୍‌ରୁ ମାତ୍ର ଗୋଟିଏ ‘ଏଫ୍‌-୨୨’ ଲଢୁଆ ବିମାନ ଅପରାହ୍ଣ ୨.୩୯ ମିନିଟ୍‌ରେ ଉକ୍ତ ବେଲୁନ୍‌କୁ ଗୋଟିଏ ‘ଏମ୍‌-୯ଏକ୍ସ୍‌ ସୁପର୍‌ସୋନିକ୍‌ କ୍ଷେପଣାସ୍ତ୍ର ନି‌କ୍ଷେପ କରି ଖସାଇ ଦେଇଥିବା କଥା ଜଣେ ପଦସ୍ଥ ସାମରିକ ଅଧିକାରୀ କହିଛନ୍ତି।

ଆମେରିକୀୟ ଲଢୁଆ ବିମାନ ଚୀନ୍‌ର ସେ ‘ସ୍ପାଏ ବେଲୁନ୍‌’କୁ ଖସାଇ ଦେବାର ଅଳ୍ପ ସମୟ ‘ବେଲୁନ୍‌ ବିସ୍ଫୋରଣକାଳୀନ’ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।

ପାଣିପାଗ ଏବଂ ଅନ୍ୟାନ୍ୟ ବୈଜ୍ଞାନିକ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ଉକ୍ତ ବିମାନ ଉପରେ ଆମେରିକୀୟ ସେନା ଆକ୍ରମଣକୁ ଚୀନ୍‌ ତୀବ୍ର ନିନ୍ଦା କରିଛି। ବେଲୁନ୍‌ଟି ଆକସ୍ମିକ ଭାବେ ଆମେରିକା ଆକାଶକୁ ଉଡ଼ିଯାଇଥିଲା ବୋଲି ଚୀନ୍‌ କହିଛି।

ଆମେରିକା ଉପକୂଳରୁ ପ୍ରାୟ ୧୧ କିଲୋମିଟର୍‌ ଦୂର ଆଟ୍‌ଲାଣ୍ଟିକ୍‌ ସାଗର ଉପରେ ଧ୍ବଂସ କରିଦିଆଯାଇଥିବା ଉକ୍ତ ବେଲୁନ୍‌ର ଭଗ୍ନାଂଶ ଅପେକ୍ଷାକୃତ ଅଗଭୀର ଜଳରାଶିରେ (ପ୍ରାୟ ୧୪ ମିଟର୍‌ ଗଭୀର) ଖସିପଡ଼ିଛି। ସେଥିରେ ଥିବା ଚୀନା ପ‌ର୍ଯ୍ୟବେକ୍ଷଣକାରୀ ଯନ୍ତ୍ରପାତିଗୁଡ଼ିକୁ ଜଳରାଶିରୁ ଉଦ୍ଧାର କରାଯିବ ବୋଲି ଉକ୍ତ ଅଧିକାରୀଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe