ଡବ୍ଲ୍ୟୁଏଚ୍‌ଓକୁ ପାଣ୍ଠି ବନ୍ଦ କଲେ ଟ୍ରମ୍ପ୍‌

Advertisment

ଏହା ଠିକ୍‌ ସମୟ ନୁହେଁ: ଜାତିସଂଘ ମୁଖ୍ୟ

ଏହା ଠିକ୍‌ ସମୟ ନୁହେଁ: ଜାତିସଂଘ ମୁଖ୍ୟ

ଡବ୍ଲ୍ୟୁଏଚ୍‌ଓକୁ ପାଣ୍ଠି ବନ୍ଦ କଲେ ଟ୍ରମ୍ପ୍‌

Image Source: India Today

ୱାସିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ପାଣ୍ଠି ବନ୍ଦ କରିଦେଇଛନ୍ତି । ସାରା ବିଶ୍ବ ଏବେ କରୋନା ବିଶ୍ବ ମହାମାରୀ ଭଳି ଅତ୍ୟନ୍ତ ଜଟିଳ ସ୍ଥିତି ଦେଇ ଗତି କରୁଥିବା ବେଳେ ଟ୍ରମ୍ପ୍‌ଙ୍କର ଏଭଳି ନିଷ୍ପତ୍ତି ପାଇଁ ତାଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି। ଟ୍ରମ୍ପ୍‌ ଅଭିଯୋଗ କରିଛନ୍ତି ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନା ଭାଇରସ୍‌କୁ ନେଇ ବିଭ୍ରାନ୍ତି ବଢ଼ାଇଛି ଏବଂ ସଠିକ୍‌ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିନାହିଁ। କରୋନା ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ନେଇ ଡବ୍ଲ୍ୟୁଏଚ୍‌ଓ ଭୁଲ୍‌ ତଥ୍ୟ ପ୍ରସାର କରୁଛି। ଚୀନ୍‌ର ତଥ୍ୟ ଉପରେ ଡବ୍ଲ୍ୟୁଏଚ୍‌ଓର ନିର୍ଭରଶୀଳତା ଦ୍ବାରା ଏହା ବିଶ୍ବବ୍ୟାପୀ କରୋନା ସଂକ୍ରମଣ ୨୦ ଗୁଣ ବୃଦ୍ଧି କରିପାରେ ବୋଲି ଟ୍ରମ୍ପ୍‌ କହିଛନ୍ତି। ଡବ୍ଲ୍ୟୁଏଚ୍‌ଓ ଅତି ବେପରୁଆ ଢଙ୍ଗରେ କ‌ରୋନା ପରିଚାଳନା କରିଛି ଏବଂ କରୋନା ସଂକ୍ରମଣ ନେଇ ତଥ୍ୟ ଲୁଚାଉଛି ବୋଲି ଟ୍ରମ୍ପ୍‌ ଅଭିଯୋଗ କରିଛନ୍ତି। ଡବ୍ଲ୍ୟୁଏଚ୍‌ଓ ଏହାର ଆବଶ୍ୟକ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛି ଏବଂ ଏଥିପାଇଁ ଏହା ଉତ୍ତରଦା‌ୟୀ ରହିବା ଉଚିତ୍‌ ବୋଲି ଟ୍ରମ୍ପ୍‌ କହିଛନ୍ତି। ଗତକାଲି ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ ଡବ୍ଲ୍ୟୁଏଚ୍‌ଓକୁ ପାଣ୍ଠି ବନ୍ଦ କରିବା ନେଇ ଘୋଷଣା କରିଥିଲେ। ଡବ୍ଲ୍ୟୁଏଚ୍‌ଓକୁ ପାଣ୍ଠି ବନ୍ଦ କରିବାପାଇଁ ସେ ତାଙ୍କ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।
ଆମେରିକା ଗତବର୍ଷ ଡବ୍ଲ୍ୟୁଏଚ୍‌ଓକୁ ୪୦୦ ନିୟୁତ ଡଲାର ପାଣ୍ଠି ଦେଇଥିଲା। ଡବ୍ଲ୍ୟୁଏଚ୍‌ଓକୁ ଏହା ସବୁଠାରୁ ଅଧିକ ପାଣ୍ଠି ଦେଇଥାଏ କିନ୍ତୁ କ‌‌ରୋନ ବିଶ୍ବ ମହାମାରୀ ସହ ଏବେ ସମଗ୍ର ବିଶ୍ବ ଲଢ଼ୁଥିବା ବେଳେ ଟ୍ରମ୍ପ୍‌ଙ୍କର ଏହି ନିଷ୍ପତ୍ତିକୁ ଅନେକ ବୈଜ୍ଞାନିକ ମଧ୍ୟ ସମାଲୋଚନା କରିଛନ୍ତି। ତେବେ ଟ୍ରମ୍ପ୍‌ ତାଙ୍କର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାପରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଭାଇରସ୍‌ ମୁକାବିଲା ପାଇଁ ଡବ୍ଲ୍ୟଏଚ୍‌ଓ କିମ୍ବା ଅନ୍ୟ କୌଣସି ସଂଗଠନ ପାଇଁ ସମ୍ବଳ ହ୍ରାସ କରିବାର ସମୟ ଏହା ନୁହେଁ। ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିପଜ୍ଜନକ ବୋଲି କହିଛନ୍ତି। ସେହିପରି ଆମେରିକାର ମେଡିକାଲ୍‌ ସଂଗଠନ ଅଧ୍ୟକ୍ଷ ଡ. ପାଟ୍ରିସ୍‌ ହାରିସ୍‌ ଟ୍ରମ୍ପ୍‌ଙ୍କର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରି କହିଛନ୍ତି, ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ପଦକ୍ଷେପ। ଟ୍ରମ୍ପ୍‌ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ପୁନଃ ବିଚାର କରିବାପାଇଁ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe