Image Courtesy of India Today
ନୂଆଦିଲ୍ଲୀ: ଆଜି ଏକ ସଦ୍ୟତମ ‘ଲେଭେଲ୍-ଟୁ ଟ୍ରାଭେଲ୍ ଆଡ୍ଭାଇଜରି’ ଜାରି କରି ଯୁକ୍ତରାଷ୍ଟ୍ର ଆମେରିକା ଭାରତ ଭ୍ରମଣରେ ଥିବା ନିଜ ନାଗରିକମାନଙ୍କୁ ଅଧିକ ସତର୍କ ରହିବାକୁ କହିଛି। ଭାରତରେ ଅପରାଧ ଏବଂ ଆତଙ୍କବାଦ ଚାଲିଥିବା ଯୋଗୁଁ ଏ ଭଳି ସତର୍କତା ବଢ଼ାଇ ଦିଆଯାଇଥିବା କୁହାଯାଉଛି।
ଆତଙ୍କବାଦ ଏବଂ ସାଧାରଣ ନାଗରିକ ଅସ୍ଥିରତା ଯୋଗଁ ପୂର୍ବ ଲଦାଖ ଏବଂ ଲେହ୍ ଛଡ଼ା ଜମ୍ମୁ ଏବଂ କଶ୍ମୀରକୁ ଭ୍ରମଣରେ ନ ଯିବା ପାଇଁ ଆମେରିକା ନିଜର ନାଗରିକମାନଙ୍କୁ କହିଛି। ଭାରତ-ପାକିସ୍ତାନ ସୀମା ମଧ୍ୟରେ ଥିବା ୧୦ କିଲୋମିଟର ଅଞ୍ଚଳରେ ସଶସ୍ତ୍ର ଲଢ଼େଇ ଲାଗିଯିବାର ଆଶଙ୍କା ରହୁଥିବାରୁ ସେଠାରୁ ଚାଲି ଆସିବାକୁ ତା’ର ସମସ୍ତ ନାଗରିକମାନଙ୍କୁ କହିଛି ଆମେରିକା।
ଏକା ଏକା ଭାରତ ଭ୍ରମଣରେ ନ ଯିବାକୁ ମହିଳାମାନଙ୍କୁ କହିବା ପୂର୍ବରୁ ଆମେରିକା ସରକାରଙ୍କର ଷ୍ଟେଟ୍ ଡିପାର୍ଟମେଣ୍ଟ୍ କହିଛି: ଭାରତରେ କ୍ଷିପ୍ର ଗତିରେ ବଢୁଥିବା ଅପରାଧଗୁଡ଼ିକ ମଧ୍ୟରେ ଦୁଷ୍କର୍ମ ଅନ୍ୟତମ ବୋଲି ଭାରତୀୟ କର୍ତ୍ତୃପକ୍ଷ କହିଛନ୍ତି। ଯୌନ ଆକ୍ରମଣ ଭଳି ସାଙ୍ଘାତିକ ଅପରାଧ ପର୍ଯ୍ୟଟନସ୍ଥଳୀ ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଘଟୁଛି।
ସେଭଳି କେତେକ ଅଞ୍ଚଳ କଥା ମଧ୍ୟ ଆମେରିକା ଉଲ୍ଲେଖ କରିଛି। ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ, ଉତ୍ତରପୂର୍ବ ରାଜ୍ୟମାନଙ୍କରେ ସାମ୍ପ୍ରଦାୟିକ ହିଂସା ଘଟଣା ଯୋଗୁଁ ବସ୍, ଟ୍ରେନ୍, ରେଳଧାରଣା ଏବଂ ବଜାର ଆଦିରେ କେବେ କେବେ ବୋମା ପଡୁଥିବା କଥା ମଧ୍ୟ ଆମେରିକା ତା’ର ଉପଦେଶାବଳୀରେ ଉଲ୍ଲେଖ କରିଛି।
ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ୍, ମେଘାଳୟ, ତ୍ରିପୁରା ଏବଂ ମଣିପୁର ଭଳି ନକ୍ସଲ୍ ଉପଦ୍ରୁତ ପ୍ରଦେଶକୁ ଯାଉଥିବା ଆମେରିକୀୟ ସରକାରୀ ଚାକିରିଆମାନେ ଏଥି ପୂର୍ବରୁ ଆମେରିକାର କନ୍ସୁଲେଟ୍ ଜେନେରାଲ୍ଙ୍କ ଅଫିସ୍ରୁ ସ୍ପେସାଲ୍ ଅଥରାଇଜେସନ୍ ନେବା ଉଚିତ।
Follow Us