Amroha Student Death Photograph: (sambad.in)
ଅମରୋହା(ଉତ୍ତରପ୍ରଦେଶ): ଫାଷ୍ଟଫୁଡ ନେଲା ଜୀବନ। ବଳି ପଡିଲେ ଜଣେ କଲେଜ ପଢୁଆ ଛାତ୍ରୀ। ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। +୨ ପ୍ରଥମ ବର୍ଷର ଜଣେ ଛାତ୍ରୀ ଅଧିକ ଫାଷ୍ଟଫୁଡ୍ ଖାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ମୃତ୍ୟୁର କାରଣ ମାତ୍ରାଧିକ ଫାଷ୍ଟଫୁଡ୍ ସେବନ ବୋଲି ଡାକ୍ତର କହିଛନ୍ତି। ଏହି ଘଟଣା ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ଗଭୀର ପ୍ରଭାବ ପକାଇଛି।
ଆଜିକାଲି ସମୟରେ ପ୍ରାୟ ସମସ୍ତେ ଫାଷ୍ଟଫୁଡ୍ କିମ୍ବା ଜଙ୍କ ଫୁଡକୁ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି। ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। କିନ୍ତୁ ଅନେକ ସମୟରେ ସମସ୍ତଙ୍କ ବାରଣ ସତ୍ତ୍ବେ ମଧ୍ୟ ପିଲାମାନେ ଏହାକୁ ଖାଇଥାଆନ୍ତି, ଯାହାଫଳରେ ବେଳେବେଳେ ସେମାନେ ଅନେକ ଗମ୍ଭୀର ରୋଗର ଶିକାର ହୋଇଥାଆନ୍ତି। ଏଭଳି ଘଟଣା ଏବେ ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରେ ଘଟିଥିବାର ଦେଖିବାକୁ ମିଳିଛି। ଅଧିକ ଫାଷ୍ଟଫୁଡ୍ ଖାଇ ରୋଗଗ୍ରସ୍ତ ହୋଇଥିବା ଛାତ୍ରୀ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହେଲେ ତାଙ୍କୁ ବଞ୍ଚାଯାଇ ପାରିନଥିଲା।
ପ୍ରାଥମିକ ସୂଚନାରୁ କ’ଣ ଜଣାପଡିଛି ?
ରିପୋର୍ଟ ଅନୁଯାୟୀ, ଛାତ୍ରୀଜଣକ ଅମରୋହାର ନଗର କୋତୱାଲି ଅଞ୍ଚଳର ଆଫଗାନ ମୋହଲ୍ଲାର ବାସିନ୍ଦା ଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ତାଙ୍କର ଚାଉମିନ୍, ମ୍ୟାଗି, ପିଜା ଏବଂ ବର୍ଗର ଭଳି ଫାଷ୍ଟଫୁଡ୍ ଖାଇବାର ଅଭ୍ୟାସ ଥିଲା। କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିବାରୁ ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା ।
କ’ଣ କହିଛନ୍ତି ଡ଼ାକ୍ତର ?
ଡାକ୍ତରଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଫାଷ୍ଟଫୁଡ ସେବନ କରିବା ଯୋଗୁଁ ତାଙ୍କର ଅନ୍ତନଳୀରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥିଲା । ଅନ୍ତନଳୀ ସଫା କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। କିନ୍ତୁ ଛାତ୍ରୀଙ୍କ ଜୀବନ ବଞ୍ଚାଯାଇପାରିଲା ନାହିଁ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା
ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଛାତ୍ରୀଙ୍କ ଏପରି ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି।
ଆହୁରି ପଢ଼ନ୍ତୁ: UBT-MNS Alliance: ପ୍ରାୟ ୨୦ବର୍ଷ ପରେ ଏକାଠି ହେଲେ ଉଦ୍ଧବ-ରାଜ୍ ଠାକ୍ରେ, ବିଏମସି ନିର୍ବାଚନ ପାଇଁ କଲେ ମେଣ୍ଟ
Follow Us