Image Courtesy of NDTV
ଲକ୍ଷ୍ନୌ: ଲକ୍ଷ୍ନୌସ୍ଥିତ ବାସଭବନରେ ଚେତା ହରାଇ ତଳେ ପଡ଼ି ଯାଇଥିବା ବିଧାୟିକା ପଲ୍ଲବୀ ପଟେଲ୍ଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ବୁଧବାର ରାତିରେ ଡାକ୍ତରଖାନା ଜାରି କରିଥିବା ବିବୃତିରୁ ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ଅଚାନକ ‘ଅପ୍ନା ଦଲ୍ (କେ)’ର ନେତ୍ରୀ ତଥା ବିଧାୟିକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ‘ମେଦାନ୍ତ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଛି। ପରିବାର ଲୋକେ କହୁଛନ୍ତି ଯେ, ମଙ୍ଗଳବାର ରାତିରେ ତାଙ୍କ ମୁଣ୍ଡ ବୁଲାଇ ଦେବାରୁ ହଠାତ୍ ସେ ପଡ଼ିଗଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।
ଗତରାତିରେ ‘ମେଦାନ୍ତ ହସ୍ପିଟାଲ୍’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି: ମଙ୍ଗଳବାର ରାତିରେ ହଠାତ୍ ପଟେଲ୍ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତୀ ଘଟିବାରୁ ସେ ଅଚେତ ହୋଇପଡ଼ିଗଲେ। ପଡ଼ିଯିବା କାରଣରୁ ତାଙ୍କ ମସ୍ତିଷ୍କରେ ଆଘାତ ଲାଗି ରକ୍ତ ଜମାଟ ବାନ୍ଧିଛି (ବ୍ରେନ୍ ହେମୋରେଜ୍) ବୋଲି ଡାକ୍ତରମାନେ କହୁଛନ୍ତି।
Image Courtesy of India.com‘ବିଜେପି’ର ବୟୋଜ୍ୟେଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ପରାସ୍ତ କରି ଚଳିତ ବର୍ଷ ପ୍ରାରମ୍ଭରେ ୪୧ ବର୍ଷୀୟ ପଲ୍ଲବୀ ପଟେଲ୍ ଉତ୍ତର ପ୍ରଦେଶର ସିରାଥୁ ଆସନରୁ ବିଜୟ ହାସଲ କରିଥିଲେ।
ସେ ‘ଅପ୍ନା ଦଲ୍’ର (କାମେରାୱାଡ଼ି) ନେତ୍ରୀ ଏବଂ ତାଙ୍କ ଭଉଣୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍।
ସେ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ପାଇ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟୁଇଟ୍ କରି ଲେଖିଛନ୍ତି: କୌଶାମ୍ବୀ ଜିଲ୍ଲା ଅନ୍ତର୍ଗତ ସିରାଥୁ ନିର୍ବାଚନ ମଣ୍ଡଳୀର ଜନପ୍ରିୟ ବିଧାୟିକା ପଲ୍ଲବୀ ପଟେଲ୍ଙ୍କ ବିଷୟରେ ଖବର ପାଇଛୁ। ତାଙ୍କର ଆଶୁ ଆରାଗ୍ୟ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।
ଚଳିତ ବର୍ଷ ପ୍ରାରମ୍ଭରେ ଏକ ପ୍ରତିବାଦ ସମୟରେ ବିଧାୟିକା ପଟେଲ୍, ତାଙ୍କ ମାଆ କୃଷ୍ଣା ପଟେଲ୍ ଏବଂ ବିରୋଧୀ ମେଣ୍ଟର ନେତା ଓ.ପି. ରାଜଭରଙ୍କୁ ପୁଲିସ ଅଟକ ରଖିଥିଲା।
Follow Us