ରାହୁଲ ଓ ପ୍ରିୟଙ୍କାଙ୍କ ବିରୋଧରେ ଉତ୍ତରପ୍ରଦେଶ ପୁଲିସର ଏଫ୍‌ଆଇଆର୍‌

ରାହୁଲଙ୍କୁ ବଳ ପ୍ରୟୋଗ ଗଣତନ୍ତ୍ର ପ୍ରତି ଗଣଦୁଷ୍କର୍ମ: ଶିବସେନା

ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ସୋନିଆଙ୍କ ଅନୁରୋଧ

India TV

ଲକ୍ଷ୍ନୌ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଉତ୍ତରପ୍ରଦେଶ ପୁଲିସ ଏକ ଏଫ୍‌ଆଇଆର୍‌ ରୁଜୁ କରିଛି। ମହାମାରୀ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ ଏହି ଦୁଇ କଂଗ୍ରେସ ନେତାଙ୍କ ସମେତ ମୋଟ ୧୫୩ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଏହି କଂଗ୍ରେସ ନେତାମାନେ କରୋନା ମହାମାରୀ ସତ୍ତ୍ବେ ମହାମାରୀ ଆଇନର ଉଲ୍ଲଂଘନ କରି ହାଥ୍‌ରାସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ। ପରିବାରକୁ ଭେଟିଲାବେଳେ ଏମାନେ ମୁହଁରେ ମାସ୍କ ପିନ୍ଧି ନଥିଲେ ଏବଂ ସାମାଜିକ ଦୂରତ୍ବ ରକ୍ଷା କରି ନଥିଲେ। ଏ ନେଇ ଗୌତମବୁଦ୍ଧନଗର ଥାନାରେ ଏକ ଲିଖିତ ଅଭିଯୋଗ ଆସିବା ପରେ ପୁଲିସ ମାମଲା ରୁଜୁ କରିଛି। ରାହୁଲ, ପ୍ରିୟଙ୍କାଙ୍କ ସମେତ କଂଗ୍ରେସ ନେତାମାନେ ମୁହଁରେ ମାସ୍କ ପିନ୍ଧି ନଥିଲେ ଏବଂ ସାମାଜିକ ଦୂରତ୍ବ ରକ୍ଷା କରି ନଥିଲେ ବୋଲି ଗୌତମବୁଦ୍ଧନଗର ପୁଲିସ କହିଛି। ଆଇପିସି ଧାରା ୧୮୮ ଅନୁସାରେ ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ରାହୁଲଙ୍କୁ ବଳ ପ୍ରୟୋଗ ଗଣତନ୍ତ୍ର ପ୍ରତି ଗଣଦୁଷ୍କର୍ମ: ଶିବସେନା
ମୁମ୍ବାଇ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଳପ୍ରୟୋଗ ପୂର୍ବକ ଉତ୍ତରପ୍ରଦେଶ ପୁଲିସ ଅଟକାଇବାର ଦିନକ ପରେ ଶିବସେନା ପକ୍ଷରୁ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାହୁଲଙ୍କ କାମିଜି କଲାରକୁ ଟାଣି ପୁଲିସ ତାଙ୍କୁ ଭୂଇଁକୁ ଘୋଷାଡ଼ି ଆଣିଥିଲା ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ଅଭିଯୋଗ ଆଣିବା ସହ ଏପରି ବଳପ୍ରୟୋଗ ଦେଶର ଗଣତନ୍ତ୍ର ପ୍ରତି ଗଣଦୁଷ୍କର୍ମ ସହ ସମାନ ବୋଲି କହିଛନ୍ତି। ରାହୁଲ ହେଉଛନ୍ତି ଜଣେ ଜାତୀୟ ସ୍ତରର ନେତା। ସେ ମଧ୍ୟ ଦେଶପାଇଁ ପ୍ରାଣବଳି ଦେଇଥିବା ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ନାତି ଏବଂ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପୁଅ ବୋଲି କେହି ଭୁଲିଯିବା ଉଚିତ ନୁହେଁ। ଆମର କଂଗ୍ରେସ ଦଳ ସହ ମତଭେଦ ଥାଇପାରେ, ମାତ୍ର ରାହୁଲଙ୍କ ପ୍ରତି ପୁଲିସର ଏପରି କଦର୍ଯ୍ୟ ବ୍ୟବହାରକୁ କେହି ବରଦାସ୍ତ କରିବେନି ବୋଲି ଶ୍ରୀ ରାଉତ କହିଛନ୍ତି। ସୂଚନା ଥାଉ କି, ଉତ୍ତରପ୍ରଦେଶର ହାଥରାସ୍‌ ପୀଡ଼ିତାଙ୍କ ପରିବାରକୁ ଭେଟିବା ଲାଗି ଗୁରୁବାର ରାହୁଲ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅନ୍ୟ କର୍ମୀମାନଙ୍କ ସହ ଯାଉଥିବା ବେଳେ ଯମୁନା ଏକ୍ସପ୍ରେସ ୱେରେ ପୁଲିସ ସେମାନଙ୍କୁ ଅଟକାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe