PT Usha Husband Photograph: (sambad.in)
କୋଝିକୋଡ୍: ମହାନ ଆଥ୍ଲେଟ୍ ତଥା ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାନେତ୍ରୀ ପିଟି ଉଷାଙ୍କ ସ୍ବାମୀ ଭି ଶ୍ରୀନିବାସନ ଆକସ୍ମିତ ପରଲୋକ ଗମନ କରିଛନ୍ତି। ଶୁକ୍ରବାର ସକାଳୁ ହୃଦ୍ଘାତରେ ତାଙ୍କୁ ହସ୍ପିଟାଲ୍ ନିଆଯିବା ବାଟରେ ସେ ଶେଷ ନିଶ୍ବାସ ପରିତ୍ୟାଗ କରିଥିଲେ। ତାଙ୍କୁ ୬୭ ବର୍ଷ ହୋଇଥିଲା। ସିଆଇଏସ୍ଏଫ୍ର ଡିଏସ୍ପି ଭାବେ ଅବସର ନେଇଥିବା ଶ୍ରୀନିବାସନ କୋଝିକୋଡ଼ରେ ‘ଉଷା ସ୍କୁଲ୍ ଅଫ୍ ଆଥଲେଟିକ୍ସ’ର ପ୍ରତିଷ୍ଠା ଓ ପରିପ୍ରକାଶରେ ବଡ଼ ଯୋଗଦାନ ରଖିଥିଲେ। ଏଠାରୁ ବହୁ ଅନ୍ତର୍ଜାତୀୟ ଓ ଜାତୀୟସ୍ତରର ଆଥଲେଟ୍ ବାହାରିଛନ୍ତି।
ପିଟି ଉଷାଙ୍କ ଖେଳ ଓ ରାଜନୈତିକ ଜୀବନ ବିକାଶରେ ଶ୍ରୀନିବାସନଙ୍କ ବଡ଼ ଭୂମିକା ରହିଥିଲା। ଶ୍ରୀନିବାସନଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି। ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍ଜେଏଫଆଇ) ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା) ମଧ୍ୟ ଏହି ପୂର୍ବତନ କବାଡ଼ି ଖେଳାଳିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛି। ସୂଚନାଯୋଗ୍ୟ, ୨୦୨୬ରେ ଭୁବନେଶ୍ବରଠାରେ ଅନୁଷ୍ଠିତ ଏସ୍ଜେଏଫଆଇର ଜାତୀୟ ସମ୍ମିଳନୀରେ ପିଟି ଉଷା ଅତିଥି ଥିବାବେଳେ ଭି ଶ୍ରୀନିବାସନ ମଧ୍ୟ ଓଡ଼ିଶାର ଆତିଥେୟତା ଗ୍ରହଣ କରିଥିଲେ।
Follow Us