ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଶକ୍ତ ଝଟ୍କା ଲାଗିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ରୁଜୁ ହୋଇଥିବା ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜି ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଆବେଦନ ଖାରଜ ହେବାପରେ ସିସୋଦିଆ ଉଚ୍ଚ ଅଦାଲତର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ସିସୋଦିଆ ଏବେ ନ୍ୟାaୟିକ ହାଜତରେ ଅଛନ୍ତି। ଏପ୍ରିଲ ୩ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଆଜି ଜାମିନ ଆବେଦନର ଶୁଣାଣି ସମୟରେ ସିସୋଦିଆଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ି କହିଥିଲେ ଯେ ସିବିଆଇ ଦିଲ୍ଲୀର ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ପାଇନି। ସିସୋଦିଆ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି। ତେଣୁ ତାଙ୍କୁ ଜାମିନ ମଂଜୁର କରାଯାଉ। କିନ୍ତୁ ସିବିଆଇ ପକ୍ଷରୁ ସିସୋଦିଆଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା। ସିସୋଦିଆ ପ୍ରମାଣ ନଷ୍ଟ କରିଦେଇପାରନ୍ତି ବୋଲି ସିବିଆଇ ଏହାର ଯୁକ୍ତିରେ ଦର୍ଶାଇଛି। ଅନ୍ୟପକ୍ଷେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସିସୋଦିଆଙ୍କ ବିରୋଧରେ ଇଡି ମଧ୍ୟ ତଦନ୍ତ ଚଳାଇଛି।
ଅବକାରୀ ଦୁର୍ନୀତି ମାମଲା: ସିସୋଦିଆଙ୍କ ଜାମିନ ଆବେଦନ ଖାରଜ
Advertisment
Follow Us