ଦେଶରେ ୧୦୦ କୋଟି ଟପିଲା ଟିକାକରଣ

Advertisment
ଦେଶରେ ୧୦୦ କୋଟି ଟପିଲା ଟିକାକରଣ

ଦେଶରେ ଟିକାକରଣ ୧୦୦ କୋଟି ପାର କରିଥିବାରୁ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ନୂଆଦିଲ୍ଲୀ : ଦେଶରେ ଗୁରୁବାର ଦିନ କୋଭିଡ ଟିକାକରଣ ୧୦୦ କୋଟି ଟପିଯାଇଛି। ଗତ ଜାନୁଆରି ୧୬ରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା। ଟିକାକରଣ କାର୍ଯ୍ୟକ୍ରମକୁ ବର୍ଷେ ନପୂରୁଣୁ ଟିକାକରଣ ୧୦୦ କୋଟି ଟପିଯିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଟିକାକରଣ ୧ରୁ ୧୦୦ କୋଟି ଟପିବାପାଇଁ ୨୭୯ ଦିନ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଟିକାକରଣ ସଫଳତାକୁ ପ୍ରଶଂସା କରିଛନ୍ତି। ଭାରତ ଆଜି ଇତିହାସ ରଚିଲା ବୋଲି ମୋଦୀ ଟ୍ବିଟ୍‌ କରି କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶରେ ଟିକାକରଣ ୧୦୦ କୋଟି ଟପିବାକୁ ଏକ ଐତିହାସିକ ଏବଂ ଗୌରବ ମୁହୂର୍ତ୍ତ ବୋଲି କହିଛନ୍ତି।

publive-image IndiaToday

ଦେଶରେ ପ୍ରାୟ ୭୧ କୋଟି ଲୋକ ଅତିକମ୍‌ରେ ଗୋଟିଏ ଡୋଜ୍‌ ଟିକା ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ କୋଟି ଲୋକ ୨ଟି ଯାକ ଡୋଜ୍‌ ନେଇଛନ୍ତି। ତେବେ ଯୁବବର୍ଗଙ୍କ ମଧ୍ୟରେ ୭୫ ପ୍ରତିଶତ କେବଳ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୩୧ ପ୍ରତିଶତ ୨ଟି ଡୋଜ୍‌ ନେଇଛନ୍ତି। ‌ଦେଶରେ ସଂକ୍ରମଣ କମୁଥିବା ବେଳେ ଟିକାକରଣ ବଢ଼ିଛି। ଗତ ଗୋଟିଏ ସପ୍ତାହରେ ଦେଶରେ ଦୈନିକ ସଂକ୍ରମଣ ୧୬ ପ୍ରତିଶତ ହ୍ରାସ ହୋଇଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ସବୁଠୁ ଅଧିକ କୋଭିଡ୍‌ ଡୋଜ୍‌ ଦିଆଯାଇଛି। ଚଳିତ ମାସରେ ଦୈନିକ ଟିକାକରଣ ହାରାହାରି ୫୦ ଲକ୍ଷ ରହିଛି। ସେପ୍ଟେମ୍ବର ତୁଳନାରେ ଏହା ୫ ଗୁଣା ଅଧିକ।

publive-image

ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି, ମାତ୍ର ୯ ମାସରେ ଟିକାକରଣ ୧୦୦ କୋଟି ଟପିଯିବା ଏକ ପ୍ରଶଂସନୀୟ ପଦକ୍ଷେପ। ଦେଶରେ ଏବେ ବି ୨୫ ପ୍ରତିଶତ ଲୋକ ଟିକା ନେଇନାହାନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ପୁନମ ଖେତ୍ରପାଳ ସିଂହ କହିଛନ୍ତି, ଏହା ଅତି ଅସାଧାରଣ କାର୍ଯ୍ୟ। ଉଲ୍ଲେଖଯୋଗ୍ୟ ଯେ ଦେଶରେ କୋଭିଡ୍‌ ଟିକାକରଣ ୧୦ କୋଟି ପହଞ୍ଚିବାପାଇଁ ୮୫ ଦିନ ଲାଗିଥିଲା। ଦେଶରେ ଏବେ ପ୍ରାୟ ପ୍ରତି ରାଜ୍ୟରେ ୬୦ ପ୍ରତିଶତ ଜନସଂଖ୍ୟାଙ୍କୁ ଅତି କମ୍‌ରେ ଗୋଟିଏ ଡୋଜ୍ ଟିକା ଦିଆସରିଛି। ଏକମାତ୍ର ରାଜ୍ୟ ହିମାଚଳପ୍ରଦେଶ ୫୦ ପ୍ରତିଶତ ଜନସଂଖ୍ୟାଙ୍କୁ ସମ୍ପୂର୍ଣ୍ଣ ଟିକା ଦେଇସାରିଛି। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଗୁଜରାଟ ୪୮.୯ ପ୍ରତିଶତ, କେରଳ ୪୭.୮ ପ୍ରତିଶତ ‌ଲୋକଙ୍କୁ ସମ୍ପୂର୍ଣ୍ଣ ଟିକା ଦେଇସାରିଛି। ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଯଥାକ୍ର‌ମେ ୧୯ ପ୍ରତିଶତ ଏବଂ ୩୧.୬ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe