ନୂଆଦିଲ୍ଲୀ: କୋଭିଡ୍ ବିରୋଧରେ ଭାରତ ଆଜିଠାରୁ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ୩ କୋଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ମାଗଣା ଟିକା ପ୍ରଦାନ କରାଯିବ। ଆମ ବୈଜ୍ଞାନିକମାନଙ୍କ ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା ପରେ ହିଁ ଭାରତରେ ପ୍ରସ୍ତୁତ ଦୁଇଟି ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନ୍ର ଉପଯୋଗ କରିବା ପାଇଁ ଅନୁମତି ଦିଆଯାଇଛି। ତେଣୁ ଦେଶବାସୀ ଟିକାର ଫଳପ୍ରଦତା ନେଇ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମ ଦଫାରେ କେବଳ ତିନି କୋଟି ହିତାଧିକାରୀଙ୍କୁ ଏହି ଟିକା ମାଗଣାରେ ଯୋଗାଇ ଦିଆଯାଉଥିବା ବେଳେ ଦ୍ବିତୀୟ ଦଫାରେ ଏହି ସଂଖ୍ୟା ୩୦ କୋଟି ହେବ ବୋଲି ସେ ଆଶାପୋଷଣ କରିଛନ୍ତି। ଏଭଳି ବିଶାଳ କାର୍ଯ୍ୟକ୍ରମ ଇତିହାସରେ କେବେ ଆଗରୁ ହୋଇନଥିଲା। ଦେଶ ଏବେ ପ୍ରଥମ ଦଫାରେ ୩ କୋଟି ନାଗରିକଙ୍କୁ ମାଗଣାରେ ଟିକା ଦେଉଥିବା ବେଳେ ବିଶ୍ବରେ ୧୦୦ରୁ ଅଧିକ ଦେଶ ରହିଛି ଯେଉଁମାନଙ୍କର ଲୋକସଂଖ୍ୟା ୩ କୋଟି ତଳେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଉଦ୍ବୋଧନ ଦେବା ସମୟରେ ଭାରତରେ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ କଥା ସ୍ମରଣ କରି ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇଉଠିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଶହ ଶହ ସାଥୀ ଏମିତି ଅଛନ୍ତି ଯେଉଁମାନେ ଅନ୍ୟର ଜୀବନ ବଞ୍ଚାଇବାକୁ ସଂଘର୍ଷ କରି ଆଉ ଘରକୁ ଫେରିନାହାନ୍ତି। ଦେଶରେ ଏବେ ୧ କୋଟି ୫ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୫୨ ହଜାର ଲୋକଙ୍କ ଜୀବନ ଯାଇଛି। ଆମେରିକା ପରେ ଭାରତ ବିଶ୍ବର ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି।
Follow Us