ଅନିଶ୍ଚିତତାରେ ଟିକାକରଣ, ସାରା ଦେଶରେ ହାହାକାର

Advertisment
ଅନିଶ୍ଚିତତାରେ ଟିକାକରଣ, ସାରା ଦେଶରେ ହାହାକାର

ନୂଆଦିଲ୍ଲୀ: ଗତ ଜାନୁଆରି ମଧ୍ୟଭାଗରେ ଭାରତ ସରକାର ଯେତେବେଳେ ଦେଶରେ ବିଶ୍ବର ବୃହତ୍ତମ ଟିକାକରଣ ଯୋଜନା ଆରମ୍ଭ କଲେ, ଏହା ଅଭୂତପୂର୍ବ ସଫଳତା ହାସଲ କରିବ ବୋଲି ଆଶା କରାଯାଉଥିଲା। ଭାରତ ମଧ୍ୟ ଅନ୍ୟ ଦେଶକୁ ଟିକା ଯୋଗାଇ ପ୍ରଶଂସା ଅର୍ଜନ କରିଥିଲେ। ତେବେ ଏବେ ତିନି ମାସ ତଳର ସେହି ଭରସା ପାଣି ଫଟକିଯିବା ସହ ସରକାରଙ୍କ ଯୋଜନା ସବୁ ଭୁଶୁଡ଼ିପଡ଼ିଲା ପରି ସ୍ଥିତିକୁ ଆସିଛି। ଅଦ୍ୟାବଧି ଦେଶର ୧୩୭ କୋଟି ଲୋକସଂଖ୍ୟାର ମାତ୍ର ୨ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଅନେକ ଟିକାଦାନ କେନ୍ଦ୍ରରେ ଟିକା ନାହିଁ ବୋଲି ହତାଶାବାଣୀ ଶୁଣିବାକୁ ପଡୁଛି। ଏଣେ ଅନ୍ୟ ଦେଶମାନଙ୍କୁ ଟିକା ରପ୍ତାନି ମଧ୍ୟ ବନ୍ଦ ହୋଇଯାଇଛି। ମହାମାରୀ କୋଭିଡ୍‌ର ଦ୍ବିତୀୟ ଲହର ସଂକ୍ରମଣରେ ଡାକ୍ତରଖାନା ଓ ଶବଦାହ କେନ୍ଦ୍ରମାନଙ୍କରେ ଅଭୂତପୂର୍ବ ଗହଳି ଲାଗି ରହିଥିଲା ବେଳେ ସେଥିପ୍ରତି ସୁରକ୍ଷା ସୃଷ୍ଟି କରିବା ପରିବର୍ତ୍ତେ ଦେଶ ଦିନକୁ ଦିନ ନୂତନ ସଂକ୍ରମଣର ରେକର୍ଡ ଦେଖିବା ହିଁ ସାର ହୋଇଛି।

ପ୍ରଥମେ ସରକାର ଟିକା ନିର୍ମାତାଙ୍କ ସହ ଟିକାର ଦର ଠିକ୍‌ କରି ରାଜ୍ୟମାନଙ୍କୁ ଯୋଗାଇ ଦେଉଥିଲେ। ସ୍ବାସ୍ଥ୍ୟକର୍ମୀ ଓ ବୟସ୍କ ହିତାଧିକାରୀଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯାଇଥିଲା। ମେ' ପହିଲାରୁ ସାବାଳକମାନେ ଟିକା ନେବାକୁ ଯୋଗ୍ୟ ବିବେଚିତ ହେଉଥିବା ବେଳେ ରାଜ୍ୟ ସରକାରମାନେ ଆବଶ୍ୟକ ଟିକାକୁ ନିର୍ମାତାଙ୍କଠାରୁ ସିଧାସଳଖ କିଣିବେ ବୋଲି କୁହାଯାଇଛି। ସୁତରାଂ ବାନ୍ଧିହୋଇପଡ଼ିଥିବା ସାମ୍ପ୍ରତିକ ବଜାରରେ ଟିକା ପାଇଁ ବିକଳ ହୋଇ ଏକ ଅସମ୍ଭବ ଭିଡ଼ ଲାଗିବା ଥୟ। ଟିକାର ମୂଲ୍ୟ, ସଂଗ୍ରହ, ଯୋଗ୍ୟତା ଏବଂ ପରିଚାଳନାକୁ ସରକାର ମୁକ୍ତ ଓ ଅବାଧ କରିଦେଇଛନ୍ତି ବୋଲି ସଫେଇ ଦେଉଛନ୍ତ। ମାତ୍ର ମହାମାରୀର ଉଚିତ ମୁକାବିଲା କରିବା ପରିବର୍ତ୍ତେ ସରକାର ଦାୟିତ୍ବକୁ ରାଜ୍ୟ ସରକାରଙ୍କ ଉପରକୁ ଠେଲି ଦେଇଛନ୍ତି ବୋଲି ବିଶେଷଜ୍ଞ ଓ ବିରୋଧୀ ଦଳ ଶାସିତ ରାଜ୍ୟମାନଙ୍କର ମତ। ବିଶ୍ବର ବୃହତ୍ତମ ଟିକା ପ୍ରସ୍ତୁତକାରୀ କମ୍ପାନିଙ୍କୁ ଧାରଣ କରି ସୁଦ୍ଧା ଭାରତ ଏବେ ପ୍ରମୁଖ ସଂକ୍ରମଣ କେନ୍ଦ୍ର ପାଲଟିଛି।

ନିଜ ଦେଶବାସୀଙ୍କର ସମ୍ପୂର୍ଣ୍ଣ ଟିକାକରଣ ଉପରେ ଅଧିକାରୀମାନେ ଗୁରୁତ୍ବ ଦେବା ଅପେକ୍ଷା ବିଶ୍ବର ଅନ୍ୟ ରାଷ୍ଟ୍ରକୁ ଭାରତ କିପରି ସାହାଯ୍ୟ କରୁଛି ତାହା ପ୍ରଦର୍ଶନ କରିବାକୁ ପ୍ରାଥମିକତା ଦେଇଥିବା ଅଭିଯୋଗ ମଧ୍ୟ ଉଠୁଛି। ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ଟିକାର ବ୍ୟାପକ ଅଭାବ ପରିଲକ୍ଷିତ ହେବା ସହ ଅତ୍ୟାବଶ୍ୟକ କଞ୍ଚାମାଲ୍‌ର ଅଭାବ ଯୋଗୁଁ ଦେଶରେ ଟିକାପ୍ରସ୍ତୁତି ମଧ୍ୟ ଥମିଯାଇଥିବା ବେଳେ ଆଉ ୬୦ କୋଟି ଲୋକଙ୍କର କିପରି ଟିକାକରଣ କରାଯିବ ତାହା ହିଁ ଚିନ୍ତାର ବିଷୟ ହୋଇଛି। ଦେଶର ଦୁଇ ପ୍ରମୁଖ ଟିକା ନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌(କୋଭିସିଲ୍‌ଡ) ଓ ଭାରତ ବାୟୋଟେକ୍‌(କୋଭାକ୍ସିନ୍‌) ମେ' ମଧ୍ୟଭାଗ ବେଳକୁ ରାଜ୍ୟମାନଙ୍କୁ ଟିକା ଯୋଗାଇପାରିବେ ବୋଲି ଜଣାଇ ସାରିଲେଣି। ଅବଶ୍ୟ କଟକଣା ଲଗାଇ କଞ୍ଚାମାଲ୍‌ ରପ୍ତାନିକୁ ନିଷିଦ୍ଧ କରିଥିବା ଆମେରିକା ସଂପୃକ୍ତ ସାମଗ୍ରୀ ପଠାଇବାକୁ ରାଜି ହୋଇଛି। ମାତ୍ର ତାହା କେବେ ଆସି ପହଞ୍ଚିବ ଏବଂ ଟିକା ପ୍ରସ୍ତୁତି ତ୍ବରାନ୍ବିତ ହେବ ତାହା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ, ମେ' ପହିଲାରୁ ଟିକାକରଣ ପାଇଁ ଗତ ୨୮ରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ନୂତନ ବର୍ଗ ହିତାଧିକାରୀଙ୍କୁ ସରକାର କିଭଳି ସନ୍ତୁଷ୍ଟ କରିବେ, ତାହା କାହାକୁ ମାଲୁମ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe