Live Law
ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ଗୋଷ୍ଠୀକୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ସୋମବାର ଦିନ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ସଂସଦରେ ଦାବି ଉଠିଛି। ଲୋକସଭାରେ ଅନୁସୂଚିତ ଜନଜାତି ସମ୍ବିଧାନ ସଂଶୋଧନ ବିଲ୍-୨୦୨୨ ଆଲୋଚନା ବେଳେ ଏହି ଦାବି ଉଠିଥିଲା।
ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଲେ, ୧୯୭୮ ପର ଠାରୁ ବିଭିନ୍ନ ସମୟରେ ରାଜ୍ୟ ସରକାର ଆଦିବାସୀ ମାନ୍ୟତା ପାଇଁ ପାଖାପାଖି ୧୬୯ ପ୍ରସ୍ତାବ କେନ୍ଦ୍ର ସରକାର ନିକଟକୁ ପଠାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୪୯ ପ୍ରସ୍ତାବ ବିଚାରାଧୀନ ରହିଛି। ଓଡ଼ିଶାର ଗଡ଼ବା, ଘର, ଖରିଆ, କନ୍ଧ, ସାନ୍ତା, ଓରାଅଁ ଭଳି ୬୨ଟି ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ଚିହ୍ନଟ କରାଯାଇଛି। ଏଥିରେ ପିଭିଟିଜି ଅନେକ ଗୋଷ୍ଠୀକୁ ମଧ୍ୟ ଆଦିବାସୀ ମାନ୍ୟତା ଦେବା ପାଇଁ ଚିହ୍ନଟ କରାଯାଇଥିବା ଶ୍ରୀ ମହତାବ ଆଲୋଚନା ସମୟରେ ଉଲ୍ଲେଖ କରିଥିଲେ। ଗତ ବର୍ଷ ଫେବ୍ରୁଆରି ୧୯ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ ବୋଲି ଶ୍ରୀ ମହତାବ କହିଥିଲେ।
ବିଲ ଆଲୋଚନାରେ ଭାଗ ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଝୋଡ଼ିଆ, ଧରୁଆ ଓ ଦୋରା ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ଦାବି ଉପସ୍ଥାପନ କରିଥିଲେ। ପୂର୍ବରୁ ଉପରୋକ୍ତ ତିନି ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଇଥିଲା। ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ ସେ ଦାବି କରିଥିଲେ। ଏମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ବ୍ୟାଙ୍କ ଋଣ ବ୍ୟବସ୍ଥା ସହ ବିସ୍ଥାପିତ ଆଦିବାସୀଙ୍କ ଥଇଥାନ ଓ ପୁର୍ନବାସ ନୀତିର ସମୀକ୍ଷା ପାଇଁ ଶ୍ରୀ ଉଲ୍ଲାକା ପ୍ରସ୍ତାବ ଦେଇଥିଲେ।
Follow Us