ଅସାମାନ୍ୟ ସାହସ ପ୍ରଦର୍ଶନ ପାଇଁ ଓଡ଼ିଆ ପୁଅ ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’

Advertisment
ଅସାମାନ୍ୟ ସାହସ ପ୍ରଦର୍ଶନ ପାଇଁ ଓଡ଼ିଆ ପୁଅ ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’

ନୂଆଦିଲ୍ଲୀ: ‘ଅପରେସନ୍‌ ତ୍ରିବେଣୀ’ରେ ଅତ୍ୟନ୍ତ ପ୍ରତିକୂଳ ଅଞ୍ଚଳରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ହେତୁ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌  ତଥା ରାଉରକେଲାର ବାସିନ୍ଦା ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’ ପ୍ରଦାନ କରାଯିବ।

ପ୍ରତିରକ୍ଷା ମନ୍ତ୍ରାଳୟ ବିବୃତି ଅନୁସାରେ, ଏମ୍‌ଆଇ-୧୭-ଭି୫ ହେଲିକପ୍ଟର୍‌ ୟୁନିଟ୍‌ରେ ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ନକ୍ସଲ୍‌ମାନଙ୍କ ଭୟାବହ ଅତର୍କିତ ଆକ୍ରମଣ ପରେ ମୃତାହତ ଯବାନମାନଙ୍କୁ ସ୍ଥାନାନ୍ତର କରିବା ଲାଗି  ୨୦୨୧ ଏପ୍ରିଲ୍‌ ୩ ତାରିଖ ଦିନ ‘ଅପରେସନ୍‌ ତ୍ରିବେଣୀ’ର ଅଂଶବିଶେଷ ଭାବେ ୱିଙ୍ଗ୍‌ କମାଣ୍ଡର୍‌ ପାତ୍ର ତିନୋଟି ବିମାନର ନେତୃତ୍ବ ନେଇଥିଲେ। ଏହି ‘ହାଇ-ରିସ୍କ୍‌’ ଅଭିଯାନରେ ଅପରିଚିତ ପ୍ରତିକୂଳ ଅଞ୍ଚଳରେ ବିମାନ ଅବତରଣ କରାଇବା ଭଳି କାର୍ଯ୍ୟ ସମ୍ପାଦନ କରିବାକୁ ଥିଲା। ପାତ୍ର ଥିଲେ ଏହି ପ୍ରାରମ୍ଭିକ ଯୋଜନାର ମୁଖ୍ୟ ଏବଂ ନିକଟରେ ଥିବା ନୋଡାଲ୍‌ ହେଲିପ୍ୟାଡ୍‌କୁ ଦୁଇଟି ବିମାନକୁ ବାଟ କଢ଼ାଇ ନେଇଥିଲେ।

publive-image Image Courtesy of ANI

ଉକ୍ତ ହେଲିପ୍ୟାଡ୍‌କୁ ଆକାଶମାର୍ଗରୁ ନିରୀକ୍ଷଣ କରିବା ପରେ ସେ ଅବତରଣ କରି ‌ଘଟଣାସ୍ଥଳରେ ଥିବା ଯବାନମାନଙ୍କ ପରିସ୍ଥିତିର ପୁନଃସମୀକ୍ଷା କରିବା ସହ ‘ଅନ୍‌-ସାଇଟ୍‌ କାସ୍‌ ଇଭାକ୍‌’ରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ। ପ୍ରତିକୂଳ ସ୍ଥାନରେ ଆକାଶମାର୍ଗରୁ ସମର୍ଥନ ଦେବାକୁ ସେ ତୃତୀୟ ହେଲିକପ୍ଟର୍‌ ଉଡ଼ାଣ ବ୍ୟବସ୍ଥା କରାଇଥିଲେ। କାରଣ, ଯେଉଁ ସ୍ଥାନରେ ଏନକାଉଣ୍ଟର ଘଟି ଯବାନ ସହିଦ ହୋଇଥିଲେ ବୋଲି ପୂର୍ବରୁ ସୂଚନା ମିଳିଥିଲା ବାସ୍ତ‌ବରେ ତାହା ଆହୁରି କିଛି ଦୂରରେ ଥିଲା। ଏହାପରେ ବିପଦ ଥିବା ଅଞ୍ଚଳକୁ ଏଡ଼ାଇ ସେ ଏନ୍‌କାଉଣ୍ଟର୍‌ସ୍ଥଳ ସଂଲଗ୍ନ ଅନ୍ୟ ଏକ ଅଞ୍ଚଳରେ ବିମାନ ଅବତରଣ କରାଇଥିଲେ। ସେଠାରୁ ସେ ୭ଜଣ ଆହତଙ୍କୁ ରାୟପୁର ସ୍ଥାନାନ୍ତର କରି ଦ୍ବିତୀୟ ହେଲିକପ୍ଟର୍‌କୁ ଅବତରଣ ସ୍ଥାନକୁ ବାଟ କଢ଼ାଇ ନେଇଥିଲେ।

ଅସାମାନ୍ୟ ପ୍ରତିବଦ୍ଧତା, ଉପସ୍ଥିତ ବୁଦ୍ଧି ଏବଂ ତ୍ବରିତ ପଦକ୍ଷେପ ବଳରେ ସେ ୧୮ଜଣ ଆହତ ଏବଂ ୨୨ଜଣ ସହିଦ ଯବାନଙ୍କ ମରଶରୀରକୁ ଅତର୍କିତ ଆକ୍ରମଣସ୍ଥଳରୁ ସ୍ଥାନାନ୍ତର କରିଥିଲେ। ଏଭଳି ସାହସିକ କାର୍ଯ୍ୟ ସଂପ‌ାଦନ କରିଥିବା ହେତୁ ତାଙ୍କୁ ବାୟୁସେନା ପଦକରେ ସମ୍ମାନିତ କରାଯାଇଛି।

ଆସନ୍ତା ଅକ୍ଟୋବର ୮ ବାୟୁସେନା ଦିବସ ପ୍ୟାରେଡ଼ରେ ତାଙ୍କୁ ଚିଫ ଅଫ ଏୟାର ଷ୍ଟାଫ ଏହି ସମ୍ମାନ ଜନକ ପଦକ ପ୍ରଦାନ କରିବେ। ଚିନ୍ମୟଙ୍କ ଘର ରାଉରକେଲାର ଛେଣ୍ଡ କଲୋନିରେ। ବାପା ନରେଶ ପାତ୍ର ଥିଲେ ଜଣେ ବ୍ୟବସାୟୀ ଓ ମା' ସବିତା ଗୃହିଣୀ। ପିତାମାତାଙ୍କର ଚିନ୍ମୟ ହେଉଛନ୍ତି ଏକମାତ୍ର ପୁତ୍ର। ସ୍ଥାନୀୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ୧୦ମ ଏବଂ ସେଣ୍ଟପଲ ସ୍କୁଲରୁ ଯୁକ୍ତ ଦୁଇ ପାସ କରିବା ପରେ ୨୦୦୩ରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗଦେଇଥିଲେ। ଏହାପରେ ୨୦୦୭ରେ ଭାରତୀୟ ବାୟୁସେନାରେ କମିସନ ହୋଇ ସ୍କ୍ବାର୍ଡନ ଲିଡ଼ର ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇବା ପରେ ୨୦୨୦ ମସିହାରେ ଚିନ୍ମୟଙ୍କୁ ୱିଙ୍ଗ୍‌ କମାଣ୍ଡର ଭାବେ ପଦୋନ୍ନତି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe