ୱାସିଂଟନ/କାରାକସ: ଭେନେଜୁଏଲାରେ ରାଜନୈତିକ ଅସ୍ଥିରତା ମଧ୍ୟରେ, କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ବିରୋଧରେ ଆମେରିକୀୟ ସେନାକୁ ସହଯୋଗ କରିଥିବାର ଅଭିଯୋଗ ଆସୁଛି। ତେବେ ଏକ ନୂତନ ଓ ଆଶ୍ଚର୍ଯ୍ୟଜନକ ଭିଡିଓ ଲିକ୍ ସାମ୍ନାକୁ ଆସିଛି। ଯାହା ଅନ୍ତର୍ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ଭିଡିଓରେ, କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ଦାବି କରିଛନ୍ତି ଯେ, ଭେନେଜୁଏଲାରେ ଆମେରିକୀୟ ସାମରିକ ଆକ୍ରମଣ ସମୟରେ ସେ ମାନସିକ ଓ ରଣନୈତିକ ଚାପରେ ଥିଲେ। ରୋଡ୍ରିଗେଜ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଅପହରଣ ପରେ, ତାଙ୍କୁ ତାଙ୍କ ଜୀବନ ରକ୍ଷା କରିବା ଓ ଦେଶକୁ ଅରାଜକତାରୁ ରକ୍ଷା କରିବା ପାଇଁ କଠିନ ନିଷ୍ପତ୍ତି ନେବାକୁ ପଡିଥିଲା। ଏହି ଚାଞ୍ଚଲ୍ୟକର ପ୍ରକାଶ ଭେନେଜୁଏଲାର ସାର୍ବଭୌମତ୍ୱ ଓ ଆମେରିକୀୟ ହସ୍ତକ୍ଷେପ ଉପରେ ଏକ ନୂତନ ତଥା ଗମ୍ଭୀର ବିତର୍କକୁ ଜନ୍ମ ଦେଇଛି। ଏକ ଲିକ୍ ହୋଇଥିବା ଭିଡିଓ ଅନୁଯାୟୀ, ଡେଲସି ରୋଡ୍ରିଗେଜ ଦାବି କରିଛନ୍ତି ଯେ ଆମେରିକାର ସେନା ତାଙ୍କ କ୍ୟାବିନେଟକୁ କେବଳ ୧୫ ମିନିଟ୍ ସମୟ ଦେଇଥିଲେ। ସେମାନଙ୍କୁ ଚେତାବନୀ ଦିଆଯାଇଥିଲା, ଆମେରିକାର ସମସ୍ତ ସର୍ତ୍ତ ଗ୍ରହଣ କରନ୍ତୁ ନଚେତ ମରିବାକୁ ପ୍ରସ୍ତୁତ ରୁହନ୍ତୁ। ରୋଡ୍ରିଗେଜଙ୍କ ଅନୁସାରେ, ନିକୋଲସ ମାଦୁରୋଙ୍କୁ ଗିରଫ କରାଯିବା ପରେ ଧମକ ତାଙ୍କ ଭାଇ ଜର୍ଜ ରୋଡ୍ରିଗେଜ ଓ ଗୃହମନ୍ତ୍ରୀ ଡିଓସଡାଡୋ କାବେଲୋଙ୍କୁ ଦିଆଯାଇଥିଲା।
ଅଧିକପଢ଼ନ୍ତୁ:ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ପାକିସ୍ତାନ ଦଳ ଘୋଷିତ: ବାବର ସାମିଲ; ବାଦ୍ ପଡ଼ିଲେ ରୌଫ୍, ରିଜୱାନ
ମୃତ୍ୟୁର ମିଥ୍ୟା ଖବର
ରୋଡ୍ରିଗେଜ ଏହା ମଧ୍ୟ ପ୍ରକାଶ କରିଛନ୍ତି, ଆମେରିକାର ସଶସ୍ତ୍ର ବାହିନୀ ତାଙ୍କୁ ଜାଣିଶୁଣି ଭୁଲ୍ ସୂଚନା ଦେଇଥିଲେ ଯେ, ମାଦୁରୋଙ୍କୁ ହତ୍ୟା କରାଯାଇଛି। ନିକୋଲାସ୍ ମାଡୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ଆଉ ଜୀବିତ ନାହାନ୍ତି। ପରେ ଜଣାପଡିଥିଲା, ସେମାନଙ୍କୁ ଅପହରଣ କରାଯାଇଥିଲା ଓ ସେମାନେ ଆମେରିକାର ହେପାଜତରେ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ଦୁଇ ଘଣ୍ଟାର ବୈଠକର ଏକ ଲିକ୍ ରେକର୍ଡିଂରେ, ଡେଲସି ରୋଡ୍ରିଗେଜ କହୁଥିବା ଶୁଣିବାକୁ ମିଳୁଛି ଯେ, ତାଙ୍କର ପ୍ରଥମ ପ୍ରାଥମିକତା ଥିଲା ଭେନେଜୁଏଲାର ରାଜନୈତିକ ସ୍ଥିତିକୁ ସଜାଡ଼ିବା। ଏଭଳି କଷ୍ଟକର ପରିସ୍ଥିତିରେ ଦାୟିତ୍ୱ ଗ୍ରହଣ କରିବା ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ଚ୍ୟାଲେଞ୍ଜିଂ ଅଭିଜ୍ଞତା ଥିଲା। ଆଉ ଏକ ବଡ଼ ବିପର୍ଯ୍ୟୟ କିମ୍ବା ସାମରିକ ଆକ୍ରମଣରୁ ଭେନେଜୁଏଲାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସେ ଆମେରିକାର ଦାବିକୁ ଗ୍ରହଣ କରିଥିଲେ। ରୋଡ୍ରିଗେଜ ତାଙ୍କର ତିନୋଟି ମୁଖ୍ୟ ଲକ୍ଷ୍ୟ ସମ୍ପର୍କରେ କହିଛନ୍ତି। ଦେଶରେ ଶାନ୍ତି ବଜାୟ ରଖିବା ଓ ବନ୍ଧକଙ୍କ ନିରାପଦ ମୁକ୍ତିକୁ ସୁନିଶ୍ଚିତ କରିବା। ସେ କହିଛନ୍ତି, ଧମକ ଓ ବ୍ଲାକମେଲ୍ ଜାରି ରହିଥିବା ବେଳେ ମୁଁ ତଥା ମୋ ସହକର୍ମୀମାନେ ଆଜି ମଧ୍ୟ ନିଜନିଜ ବକ୍ତବ୍ୟରେ ଅଟଳ ଅଛନ୍ତି।
ଆମେରିକା ସହିତ ଗୁପ୍ତ ସମ୍ପର୍କ ଅଭିଯୋଗ
କିଛି ରାଜନୈତିକ ବିଶ୍ଳେଷକ, ଯେପରିକି ମାର୍ଗାରିଟା ଲୋପେଜ୍ ମାୟାଙ୍କ ଅନୁସାରେ , ଏହା ରୋଡ୍ରିଗେଜ୍ଙ୍କ ନିଜସ୍ୱ ଏକ କାଳ୍ପନିକ ତଥ୍ୟ ହୋଇପାରେ। ସେମାନେ ଯୁକ୍ତି ଦେଇଛନ୍ତି, ଆଭ୍ୟନ୍ତରୀଣ ସହଯୋଗ ବିନା ମାଦୁରୋଙ୍କୁ କ୍ଷମତାରୁ ହଟାଇବା ସମ୍ଭବ ହୋଇନଥାନ୍ତା। ଆରମ୍ଭରୁ ରୋଡ୍ରିଗେଜ୍ ଏଥିରେ ସମ୍ପୃକ୍ତ ଥାଇପାରନ୍ତି। ଏପରି ରିପୋର୍ଟ ମଧ୍ୟ ଆସିଥିଲା ​​ଯେ, ରୋଡ୍ରିଗେଜ୍ ଓ ତାଙ୍କ ଭାଇ ମାଦୁରୋଙ୍କ ଗିରଫଦାରୀ ପୂର୍ବରୁ ଟ୍ରମ୍ପଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଟ୍ରମ୍ପଙ୍କ ପ୍ରଶଂସା ଓ ଧମକ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୋଡ୍ରିଗେଜଙ୍କୁ ପ୍ରତିବାଦ ବିନା ଆମେରିକାର ସମସ୍ତ ଦାବି ଗ୍ରହଣ କରିଥିବାରୁ ପ୍ରଶଂସା କରିଥିଲେ। ଏହା ସହିତ ଚେତାବନୀ ଦେଇଥିଲେ ଯେ, ଯଦି ରୋଡ୍ରିଗେଜ ଠିକ୍ କାମ ନ କରନ୍ତି, ତେବେ ତାଙ୍କୁ ମାଦୁରୋ ଅପେକ୍ଷା ବହୁ ମୂଲ୍ୟ ଦେବାକୁ ପଡିବ। ସମ୍ପ୍ରତି ଭେନେଜୁଏଲା ସରକାର ଉପରୁ ଉପରୁ ଆମେରିକାର ବିରୋଧ କରୁଥିବାବେଳେ ବାସ୍ତବରେ ଟ୍ରମ୍ପଙ୍କ ପ୍ରତ୍ୟେକ ନିର୍ଦ୍ଦେଶ ପାଳନ କରୁଛନ୍ତି।
ମାଦୁରୋଙ୍କ ଆଇନଗତ ଲଢ଼େଇ
ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ନ୍ୟୁୟର୍କର ଏକ କୋର୍ଟରେ ହାଜର ହୋଇ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ତାଙ୍କୁ ବେଆଇନ ଭାବରେ ଅପହରଣ କରାଯାଇଥିଲା। ସେ କୌଣସି ଅପରାଧରେ ଜଡିତ ନଥିଲେ।
ଅଧିକପଢ଼ନ୍ତୁ:କାରକୁ ପିଟିଲା ମାଲବାହୀ ଟ୍ରକ୍, ପ୍ରବଚକଙ୍କର ଶୋଚନୀୟ ମୃତ୍ୟୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/25/9d50f505-2f72-49a0-8c40-5973fa21c637-2026-01-25-15-29-57.jpg)