Image Courtesy of The Siasat Daily
ମାଣ୍ଡୟା: କର୍ଣ୍ଣାଟକର ମଣ୍ଡୟା ଜିଲ୍ଲାରେ ଥିବା ଜାମିଆ ମସ୍ଜିଦ୍ ବାହାରେ ହନୁମାନ ଚାଳିଶା ପାଠ ଏବଂ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ଦକ୍ଷିଣପନ୍ଥୀ ହିନ୍ଦୁ ସଙ୍ଗଠନଗୁଡ଼ିକ କହିବାରୁ ଆଜି ସେଠାରେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଉକ୍ତ ବିବାଦୀୟ ମସ୍ଜିଦ୍ର ଏକ କିଲୋମିଟର୍ ପରିଧି ମଧ୍ୟରେ ହନୁମାନ ଚାଳିଶା ପାଠ କରିବେ ବୋଲି ବିଶ୍ବ ହିନ୍ଦୁ ପରିଷଦ୍ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ କହିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ମାଣ୍ଡୟାର ଶ୍ରୀରଙ୍ଗପାଟଣା ତାଲୁକରେ ଥିବା ଉକ୍ତ ଜାମିଆ ମସ୍ଜିଦ୍ ବାହାରେ ବାରିକେଡ୍ ବସାଯିବା ସହ କର୍ଣ୍ଣାଟକ ରାଜ୍ୟ ରିଜର୍ଭ ପୁଲିସର ୫ ପ୍ଲାଟୁନ୍ ଏବଂ ଅନ୍ୟ ନିରାପତ୍ତା ବଳ ମୁତୟନ କରାଯାଇଛି।
Image Courtesy of India Todayସତର୍କତା ଅବଲମ୍ବନ କରିବା ପାଇଁ କର୍ଣ୍ଣାଟକର ଗୃହମନ୍ତ୍ରୀ ଅର୍ଗ ଜ୍ଞାନେନ୍ଦ୍ର ନିର୍ଦେଶାବଳି ଜାରି କରିବା ପରେ ଜିଲ୍ଲା ପ୍ରଶାସନ ହାଇ ଆଲର୍ଟରେ ରହିଛି। ପ୍ରତିବାଦ ପ୍ରଦର୍ଶନ ଆଶଙ୍କ ଥିବାରୁ ସେ ଅଞ୍ଚଳରେ ଜୁନ୍ ୩ ତାରିଖ ଅପରାହ୍ଣ ୩ଟାରୁ ଜୁନ୍ ୫ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।
ସତ୍ୟ ଉଦ୍ଘାଟନ ପାଇଁ ଜ୍ଞାନବାପି ମସ୍ଜିଦ୍ ଭଳି ଜାମିଆ ମସ୍ଜିଦ୍ରେ ମଧ୍ୟ ସର୍ଭେ କରାଯିବା ଦାବି କରି ମେ ୨୦ ତାରିଖ ଦିନ ‘ବିଶ୍ବ ହିନ୍ଦୁ ପରିଷଦ୍’ ଏବଂ ‘ବଜରଙ୍ଗ ଦଳ’ ମାଣ୍ଡୟା ଜିଲ୍ଲା କମିସନର୍ଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରିଥିଲେ। ସେମାନେ କହିଛନ୍ତି ଯେ, ପୂର୍ବରୁ ସେ ସ୍ଥାନରେ ହନୁମାନ ମନ୍ଦିର ଥିଲା। ସେ ମନ୍ଦିର ଭଙ୍ଗାଯାଇ ତା’ଉପରେ ମସ୍ଜିଦ୍ ନିର୍ମାଣ କରାଯାଇଛି।
Follow Us