Zee News
ନୂଆଦିଲ୍ଲୀ : ଜାତୀୟ ରାଜଧାନୀରେ ପ୍ରଶାସନିକ ସେବା ଉପରେ କାହାର ନିୟନ୍ତ୍ରଣ ରହିବ? ଏନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଟକ୍କର ଚାଲିଥିଲା। ମାମଲାର ବିଚାର କରି ସୁପ୍ରିମ୍କୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। କହିଛନ୍ତି ଯେ କେବଳ ଜମି, ସାଧାରଣ ବ୍ୟବସ୍ଥା ଓ ପୁଲିସ ବ୍ୟତୀତ ଅନ୍ୟ ସମସ୍ତ ପ୍ରଶାସନିକ ସେବା ଉପରେ ଦିଲ୍ଲୀ ସରକାରଙ୍କର କର୍ତ୍ତୃତ୍ବ ରହିବ। ସୁପ୍ରିମ୍କୋର୍ଟଙ୍କ ଏହି ରାୟ କେଜ୍ରିୱାଲଙ୍କ ଆପ୍ ସରକାର ପାଇଁ ବହୁତ ବଡ଼ ବିଜୟ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପାଇଁ ଝଟ୍କା ସାବ୍ୟସ୍ତ ହୋଇଛି। ବଦଳି ଓ ନିଯୁକ୍ତି କ୍ଷେତ୍ରରେ ଦିଲ୍ଲୀ ସରକାରର କ୍ଷମତାକୁ ସୁପ୍ରିମ୍କୋର୍ଟ କାଏମ ରଖିବା ସହ ଏହା ଏକ ନିର୍ବାଚିତ ସରକାରର ଅଧିକାର ବୋଲି ସ୍ପଷ୍ଟ କରିଦେଇଛନ୍ତି।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ଗୁରୁବାର କହିଥିଲେ ଯେ ଉପରାଜ୍ୟପାଳ (ଏଲ୍ଜି) ତାଙ୍କ କ୍ଷମତା ପରିସର ଭିତରେ ଦିଲ୍ଲୀ ବିଧାନସଭା ଓ ନିର୍ବାଚିତ ସରକାରଙ୍କ ବୈଧାନିକ କ୍ଷମତା (ଲେଜିସଲେଟିଭ୍ ପାୱାର)ରେ ହସ୍ତକ୍ଷେପ କରିପାରିବେ ନାହିଁ। କୋର୍ଟ କହିଲେ, ଦିଲ୍ଲୀର ଶାସନ ଅନ୍ୟ ରାଜ୍ୟ ପରି ହେବ ଏବଂ ଉପ ରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ପରାମର୍ଶ
ଅନୁଯାୟୀ କାର୍ଯ୍ୟ କରିବେ। ଦିଲ୍ଲୀ ସରକାରଙ୍କର ପ୍ରଶାସନିକ ସେବା ଉପରେ କୌଣସି କ୍ଷମତା ନାହିଁ ବୋଲି ପୂର୍ବରୁ ଜଷ୍ଟିସ୍ ଭୂଷଣ ଦେଇଥିବା ରାୟକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଥିଲେ। ସୁପ୍ରିମ୍କୋର୍ଟ କହିଥିଲେ, ଏକ ନିର୍ବାଚିତ ସରକାର ଯାହା ଚାହୁଛନ୍ତି, ତାହା ଜନସାଧାରଣଙ୍କ ଇଚ୍ଛା ବୋଲି ଧରାଯିବ।
ସୁପ୍ରିମ୍କୋର୍ଟଙ୍କ ଉକ୍ତ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ଜନସାଧାରଣଙ୍କ ପ୍ରତି ନ୍ୟାୟ କରିଥିବାରୁ ସୁପ୍ରିମ୍କୋର୍ଟଙ୍କୁ ଅଶେଷ ଧନ୍ୟବାଦ। ଏହି ନିର୍ଣ୍ଣୟ ଦ୍ବାରା ଦିଲ୍ଲୀର ବିକାଶ ତ୍ବରାନ୍ବିତ ହୋଇପାରିବ। ଏହାଦ୍ବାରା ଗଣତନ୍ତ୍ରର ବିଜୟ ହୋଇଛି। ଆପ୍ ନେତା ରାଘବ ଚଢ଼ା କହିଛନ୍ତି ‘ସତ୍ୟମେବ ଜୟତେ’।
ଉକ୍ତ ୫ ଜଣିଆ ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି- ଜଷ୍ଟିସ୍ ଏମ୍ଆର୍ ଶାହ, କୃଷ୍ଣା ମୁରାରି, ପିଏସ୍ ନରସିଂହ ଓ ହିମା କୋହଲି। ଗତ ଜାନୁଆରି ମାସରେ ଖଣ୍ଡପୀଠ ୪ ଦିନ ଧରି ମାମଲାର ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ।
Follow Us