ରଣବୀରଙ୍କୁ ସମର୍ଥନ କଲେ ବିଦ୍ୟା ବାଲାନ; ପସନ୍ଦ ଆସୁନାହିଁ ଯଦି ଆଖି ବନ୍ଦ କରିଦିଅନ୍ତୁ

Advertisment
ରଣବୀରଙ୍କୁ ସମର୍ଥନ କଲେ ବିଦ୍ୟା ବାଲାନ; ପସନ୍ଦ ଆସୁନାହିଁ ଯଦି ଆଖି ବନ୍ଦ କରିଦିଅନ୍ତୁ

mid-day.com

ମୁମ୍ବାଇ: ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ଅଭିନେତା ରଣବୀର ସିଂହ କରିଥିବା ନଗ୍ନ ଫଟୋସୁଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଭିନ୍ନ ମହଲରୁ ରଣବୀରଙ୍କୁ ଏଭଳି ଫଟୋସୁଟ ପାଇଁ ସମାଲୋଚନା କରାଯାଉଥିବା ବେଳେ ତାଙ୍କ ସର୍ଥନରେ ବାହାରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ବିଦ୍ୟା ବାଲାନ କହିଛନ୍ତି, "ଯଦି ଏହି ଫଟୋସୁଟ କାହାକୁ ଭଲ ଲାଗୁନାହିଁ, ତେବେ ସେମାନେ ଦେଖନ୍ତୁ ନାହିଁ। ଏପରିକି ଏହା ବିଷୟରେ ପଢ଼ନ୍ତୁ ନାହିଁ। କିନ୍ତୁ ଲୋକମାନଙ୍କୁ କ’ଣ କରିବା ଉଚିତ ଏବଂ କ’ଣ ନକରିବା ଉଚିତ ତାହା କହିବାରେ କୌଣସି ଅର୍ଥ ନାହିଁ। ଫଟୋସୁଟକୁ ‌ଯେତେ ସବୁ ଚର୍ଚ୍ଚା ହେଉଛି ତାହା ଅର୍ଥହୀନ। ଆପଣ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ପ୍ରଶ୍ନ କରିପାରିବେ ନାହିଁ।

ତେବେ ରଣବୀର ସିଂହଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଅଧୀନରେ ଧାରା ୫୦୯, ୨୯୨, ୨୯୪ ଲାଗିଥିବା ବେଳେ ଆଇଟି ଆକ୍ଟ ଅଧୀନରେ ସେକ୍ସନ ୬୭ଏ ଧାରା ଲାଗିଛି। ତାଙ୍କ ବିରୋଧରେ ମଙ୍ଗଳବାର ଚେମ୍ବୁର ପୁଲିସ୍‌ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଏକ ସ୍ବେଚ୍ଛାସେବୀ ସଂଗଠନର ଜଣେ ମହିଳା କର୍ମୀ ଓ ଜଣେ ମହିଳା ଓକିଲଙ୍କ ଦ୍ବାରା ୨ଟି ଭିନ୍ନ ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ରଣବୀର ତାଙ୍କର ଏହି ନଗ୍ନ ଫଟୋସୁଟ୍‌ କରି ଗତ ୨୧ ତାରିଖରୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛନ୍ତି। ଏକ କସ୍‌ମୋପଲିଟାନ୍‌ ମାଗାଜିନ୍‌ ପାଇଁ ଏପରି ଫଟୋସୁଟ୍‌ କରିଥିବା ବର୍ଟ ରେନୋଲ୍‌ଡସଙ୍କଠାରୁ ସେ ପ୍ରେରିତ ହୋଇ ଏପରି ଫଟୋସୁଟ୍‌ କରିଥିବା ସୂଚନା ରହିଛି। ରଣବୀର ଫଟୋସୁଟ୍‌ରେ ଏକ ଅନ୍ତର୍ବସ୍ତ୍ର ପରିଧାନ କରିଛନ୍ତି, ମାତ୍ର ତାହା ଅଧିକାଂଶ ଫଟୋରେ ଦୃଶ୍ୟମାନ ହେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe