ମାଲ୍ୟା ଖସି ପାରିବେନି : ବ୍ରିଟେନ ସମ୍ପତ୍ତି ଜବତ ପାଇଁ ନିର୍ଦ୍ଦେଶ ଦେଲେ ଲଣ୍ଡନ କୋର୍ଟ

ମାଲ୍ୟାଙ୍କ ସମ୍ପତ୍ତି ବିକ୍ରିରୁ ମିଳିଛି ୯୬୩ କୋଟି

ଲଣ୍ଡନ : ଋଣଭାରରେ ଭାରତୀୟ ବ୍ୟାଙ୍କଗୁଡ଼ିକୁ ବୁଡ଼ାଇ ଲଣ୍ଡନ ପଳାଇଥିବା ବିଜୟ ମାଲ୍ୟାଙ୍କୁ ବଡ଼ ଧରଣର ଝଟକା ଲାଗିଛି। ଋଣ ଆଦାୟ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକର ପ୍ରତିନିଧି ପୋଲିସ ସହାୟତାରେ ମାଲ୍ୟାଙ୍କ ଲଣ୍ଡନସ୍ଥିତ ଘରେ ପଶି ତଲାସୀ ନେଇପାରିବେ ଏବଂ ସଂପତ୍ତି ଜବତ ମଧ୍ୟ କରିପାରିବେ। ବ୍ରିଟେନ ହାଇକୋର୍ଟ ବିଚାରପତି ଏଭଳି ରାୟ ଶୁଣାଇଛନ୍ତି। ମାଲ୍ୟାଙ୍କଠାରୁ ଋଣ ଆଦାୟ ଲାଗି ସଂଘର୍ଷ କରୁଥିବା ଭାରତର ୧୩ଟି ବ୍ୟାଙ୍କ ପାଇଁ ଏହାକୁ ବଡ଼ ଧରଣର ସଫଳତା ବୋଲି କୁହାଯାଉଛି। ୯ ହଜାର କୋଟି ଟଙ୍କାର ଋଣ ଠକିନେଇ ପଳାଇଥିବା ମାଲ୍ୟାଙ୍କୁ ଭାରତ ଆଣିବା ଲାଗି ଲଣ୍ଡନ ଅଦାଲତରେ ଏବେ ବିଚାର ଚାଲିଛି।

ଋଣ ଆଦାୟ ଲାଗି ମାଲ୍ୟାଙ୍କ ସଂପତ୍ତି ଜବତ କରିବା ନିମନ୍ତେ ଭାରତୀୟ କୋର୍ଟ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଥିଲେ। ଇଂଲଣ୍ଡ ଏବଂ େଓ୍ଵଲ୍‌ସରେ ଥିବା ମାଲ୍ୟାଙ୍କ ସଂପତ୍ତିକୁ ମଧ୍ୟ ଜବତ କରିବାରେ ଲଣ୍ଡନ କୋର୍ଟ ରାୟ ସହାୟକ ହେବ।

ଲଣ୍ଡନ ନିକଟ ହାର୍ଟଫୋର୍ଡସାୟାରରେ ୬୨ ବର୍ଷୀୟ ମାଲ୍ୟାଙ୍କର ରହିଥିବା ସମ୍ପତ୍ତିକୁ ଜବତ କରିବା ଲାଗି ହାଇକୋର୍ଟ ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତିି। ଏଥିସହିତ ମାଲ୍ୟା ଏବେ ବାସ କରୁଥିବା େଓ୍ଵଲଓ୍ଵିନ୍‌, ତେଓ୍ଵିନ୍‌ର ଲେଡିଓ୍ଵାକ୍‌ ଏବଂ ବ୍ରାମ୍ବଲ୍‌ ଲଜ୍‌ରେ ପ୍ରବେଶ କରିବାକୁ ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଭାରତୀୟ ବ୍ୟାଙ୍କ ଚାହିଁଲେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ତେବେ ମାଲ୍ୟାଙ୍କଠାରୁ ଋଣ ସମ୍ପତ୍ତି ଜବତ କରିବା ଲାଗି ଏହା ଏକ ବିକଳ୍ପ ବୋଲି କୁହାଯାଇଛି।

ହାଇକୋର୍ଟର କ୍ୱିନ୍ସ ବେଞ୍ଚ ଡିଭିଜନର ବିଚାରପତି ବ୍ରିୟାନ୍‌ ଗତ ୨୬ ତାରିଖରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦରକାର ହେଲେ ଆବଶ୍ୟକ ସଂଖ୍ୟକ ଫୋର୍ସକୁ ମଧ୍ୟ ଏନଫୋର୍ସମେଣ୍ଟ ଅଫିସର ସାଥୀରେ ନେଇପାରିବେ।

ପୂର୍ବରୁ ଗତ ମେ ମାସରେ ବ୍ରିଟେନ୍‌ର ହାଇକୋର୍ଟ ଏହି ମାମଲାରେ ଅନ୍ୟ ଏକ ରାୟ ଦେଇଥିଲେ। ସମ୍ପତ୍ତି ଜବତ କରିବା ପାଇଁ ଭାରତରେ କୋର୍ଟଗୁଡ଼ିକ ଯେଉଁ ଆଦେଶ ଦେଇଛନ୍ତି ତାହାକୁ ଚାଲେଞ୍ଜ କରି ମାଲ୍ୟା ବ୍ରିଟେନ୍‌ରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଏହି ରାୟକୁ ବଦଳାଯାଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ବ୍ୟାଙ୍କଗୁଡ଼ିକର ଋଣ ପରିଶୋଧ ନକରି ଲଣ୍ଡନ ପଳାଇଥିବା ମାଲ୍ୟା ନିକଟରେ ଏକ ଚିଠିକୁ ସର୍ବସାଧାରଣରେ ପ୍ରକାଶ କରିଥିଲେ। ପ୍ରାୟ ୨ ବର୍ଷ ପୂର୍ବେ ସେ ଏହି ଚିଠି ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଲେଖିଥିଲେ। ତାଙ୍କୁ ରାଜନୀତିର ମୋହରା କରି ଦିଆଯାଇଛି ବୋଲି ସେ ଏହି ଚିଠିରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe