Image Courtesy of DNA India
ନୂଆଦିଲ୍ଲୀ: ଆଜି ଜାତୀୟ ରାଜଧାନୀ ଦିଲ୍ଲୀର ୨୨ଶ ଉପରାଜ୍ୟପାଳ ଭାବେ ବିନୟ କୁମାର ସାକ୍ସେନା ଶପଥ ଗ୍ରହଣ କରିଛନ୍ତି। ଆଜି ରାଜ ନିବାସରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଦିଲ୍ଲୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇବାରେ ୬୪ ବର୍ଷିୟ ସାକ୍ସେନା ହେଉଛନ୍ତି ପ୍ରଥମ ଅଣ-ଅମଲା ଏବଂ ଅଣ-ପ୍ରତିରକ୍ଷା ପୃଷ୍ଠଭୂମି ଥିବା ବ୍ୟକ୍ତି। ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ଖଦୀ ଓ ଗ୍ରାମୀଣ ଶିଳ୍ପ କମିସନ୍ରେ ୬ ବର୍ଷ ଧରି ଅଧ୍ୟକ୍ଷ ଥିଲେ। ତାହା ପୂର୍ବରୁ ସାକ୍ସେନା ଏକ ଘରୋଇ ଉଦ୍ୟୋଗରେ ୩ ଦଶନ୍ଧି ଧରି କାର୍ଯ୍ୟ କରିଥିଲେ।
Image Courtesy of CNBC TV18ଆଜିର ଉକ୍ତ ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀସମୂହ ଯୋଗ ଦେଇଥିଲେ। ଏହାଛଡ଼ା, ବିଜେପି ସାଂସଦ ମନୋଜ ତିୱାରି, ପରଓେଶ୍ ସାହିବ ସିଂହ, ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ରମବୀର ସିଂହ ବୁଧରି, ବିଜେପି ଓ ଆପ୍ର ବିଧାୟକମାନେ ମଧ୍ୟ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ।
ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାର ଏବଂ ଦିଲ୍ଲୀ ସରକାରଙ୍କର ଶୀର୍ଷସ୍ତରୀୟ ଅମଲାମାନେ ବି ଏହି ଶପଥ ପାଠ ଉତ୍ସବରେ ଯୋଗ ଦେଇଥିଲେ।
ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ହେବ ବ୍ୟକ୍ତିଗତ କାରଣ ଦର୍ଶାଇ ଅନୀଲ ବୈଜଲ୍ ଉପରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଥିଲେ। ୫ ବର୍ଷ ଧରି ଦିଲ୍ଲୀ ସରକାରଙ୍କ ନେତୃତ୍ବ ନେଇଥିବା ବୈଜାଲ୍ଙ୍କର ୪ ବର୍ଷ ‘ଆପ୍’ ସରକାରଙ୍କ ସହ ମତାନ୍ତରରେ କଟିଥିଲା। ଘରେ ଘରେ ରେସନ୍ ପହଞ୍ଚାଇବା, ସିସିଟିଭି କ୍ୟାମେରା ଲଗାଇବା ଏବଂ ସ୍ବତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ଭଳି ଅନେକ ବିଷୟରେ ‘ଆପ୍’ ସରକାରଙ୍କ ସହ ତାଙ୍କର ବିବାଦ ହୋଇଥିଲା।
Follow Us