ଆମେରିକାରେ ଅଣାୟତ୍ତ ହେଉଛି ହିଂସା : ୩୦ ସହରକୁ ବ୍ୟାପିଲା, ୧୭ ସହରରେ ସଂଘର୍ଷ

Advertisment
ଆମେରିକାରେ ଅଣାୟତ୍ତ ହେଉଛି ହିଂସା : ୩୦ ସହରକୁ ବ୍ୟାପିଲା, ୧୭ ସହରରେ ସଂଘର୍ଷ

Aapla Mahanagar

ୱାସିଂଟନ : ଆମେରିକାର ମିନେସୋଟାରେ ୪୬ ବର୍ଷୀୟ ଜର୍ଜ ଫ୍ଲଏଡ୍‌ ନାମକ ଜଣେ ଆଫ୍ରିକୀୟ-ଆମେରିକୀୟ କଳା ନାଗରିକଙ୍କୁ ପୁଲିସ ଅଧିକାରୀ ମାରିଦେବା ଘଟଣାକୁ ନେଇ ହିଂସା ଭୟଙ୍କର ରୂପ ଧାରଣ କରିଛି। ସଂପୃକ୍ତ ପୁଲିସ ଅଧିକାରୀ ଏବଂ ତାଙ୍କୁ ସହାୟତା କରିଥିବା ପୁଲିସ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ଦେଶରେ ବି‌କ୍ଷୋଭ ପ୍ରଦର୍ଶନ କରାଯାଉଛି। ୩୦ ସହରରେ ପରିସ୍ଥିତିି ଅଣାୟତ୍ତ ହେଉଥିବା ବେଳେ ନ୍ୟୁୟର୍କ, ଅଷ୍ଟିନ୍‌, ଆରିଜୋନା, ୱାସିଂଟନ, ଫଲାଡେଲଫିଆ, ସିକାଗୋ ସମେତ ୧୭ ସହରରେ ଆଜି ପୁଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଜୋର୍‌ଦାର ସଂଘର୍ଷ ହୋଇଛି। ହ୍ବାଇଟ୍‌ ହାଉସ୍‌ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ହଜାର ହଜାର ଲୋକ ହ୍ବ‌ାଇଟ୍ ହାଉସ୍ ସମ୍ମୁଖରେ ବିକ୍ଷୋଭ କରିବାରୁ ନିରାପତ୍ତା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବଙ୍କରରେ ନେଇ ରଖାଯାଇଥିଲା।

publive-image english.newstracklive.com

ପ୍ରାୟ ୨ ହଜାର ଲୋକଙ୍କୁ ପୁଲିସ ଗିରଫ କରିଛି ଏବଂ ଅନ୍ୟପକ୍ଷରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ବିରୋଧରେ ନାଗରିକମାନେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। ବର୍ଣ୍ଣବୈଷମ୍ୟକୁ ନେଇ ଏଭଳି ବ୍ୟାପକ ହିଂସା ଟ୍ରମ୍ପ୍‌ ପ୍ରଶାସନ ନିମନ୍ତେ ଚିନ୍ତାର କାରଣ ହୋଇଛି ଏବଂ ବିଭିନ୍ନ ସହରରେ ନାଗରିକ ସମାଜ ସିଧାସଳଖ ପୁଲିସକୁ ଦାୟୀ କରିଛି। ନ୍ୟୁୟର୍କରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ବଳ ପ୍ରୟୋଗ କରିବାରୁ ଅଚାନକ ହିଂସା ବ୍ୟାପିଯାଇଛି। ସଲ୍ଟ ଲେକ୍‌ ସିଟିରେ ଆନ୍ଦୋଳନକାରୀଙ୍କ ଉପରେ ପ୍ରବଳ ଲାଠିମାଡ଼ କରି ଘଉଡାଇ ଦିଆଯାଇଛି। ଅଷ୍ଟିନ୍‌ ସହରରେ ମହିଳାଙ୍କୁ ପୁଲିସ ରବର ବୁଲେଟ ମାଡ଼ କରିଥିବା ଜଣାପଡ଼ିଛି।

ଆଜି ହଜାର ହଜାର ବିକ୍ଷୋଭକାରୀ ପୁଲିସର ଗାଡ଼ିଗୁଡ଼ିକୁ ଟାର୍ଗେଟ୍‌ କରି ପୋଡ଼ାଜଳା କରିଛନ୍ତି। ହିଂସାକୁ ରୋକିବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁନାହିଁ ଏବଂ ଉଭୟ ଡେମୋକ୍ରାଟ ଏବଂ ରିପବ୍ଲିକାନ୍‌ ନେତାମାନେ ନିଜ ନିଜକୁ ସୁହାଇଲା ଭଳି ମନ୍ତବ୍ୟ ଦେବାରେ ଲାଗିଛନ୍ତି। ୱାସିଂଟନରେ ଆନ୍ଦୋଳନ ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିବାରୁ ପୁଲିସ ପ୍ରଶାସନ ଦମନମୂଳକ ପଦକ୍ଷେପ ଗ୍ରହଣ କରି ବିକ୍ଷୋଭକାରୀଙ୍କୁ ଘଉଡ଼ାଇଛି। ୨୦୧୩ରୁ ୨୦୧୯ ମଧ୍ୟରେ ଆମେରିକା ପୁଲିସର କାର୍ଯ୍ୟାନୁଷ୍ଠାନରେ ୭୬୬୬ ଜଣ କଳା ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସବୁ ଅଂଚଳରେ ପୁଲିସ ବିରୋଧରେ ପୁଂଜୀଭୂତ ଅସନ୍ତୋଷ ରହିଥିଲା। ଏବେ ଜର୍ଜ ଫ୍ଲଏଡଙ୍କୁ ହତ୍ୟା ଆମେରିକାକୁ ବାରୁଦ ଗଦାରେ ଛିଡ଼ା କରାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe